banner
Breaking

ସଫଳ କଳାକାର ପାଇଁ ଗୁରୁଭକ୍ତି ଓ ନିଷ୍ଠା ଆବଶ୍ୟକ

0

ଭୁବନେଶ୍ୱର : ଓଡିଶାର ଅଗ୍ରଣୀ ନୃତ୍ୟ ଭିିତ୍ତିକ ଅନୁଷ୍ଠାନ ନୃତ୍ୟ ମନ୍ଦିରର ୧୨ତମ ବାର୍ଷିକ ଉତ୍ସବ ଜାଭିୟର ଛକ ସ୍ଥିତ ଗୁରୁ କେଳୁଚରଣ ଗବେଷଣା କେନ୍ଦ୍ର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ଲକ୍ଷ୍ମୀକାନ୍ତ ପାଳିତ୍ ଉଦ୍‌ଘାଟନ କରିବା ସହ କହିଥିଲେ ବ୍ୟସ୍ତ ବହୁଳ ମଣିଷର ଅବସାଦ ମଣ୍ଟାଇବାର ପ୍ରମୁଖ ଭୂମିକା ନେଇଛି ନାଚ ଗୀତ ।

ବର୍ତ୍ତମାନ ଛୋଟ ଠାରୁ ବଡ ପର୍ଯ୍ୟନ୍ତ ସମସ୍ତେ ସାମାଜିକ ଗଣମାଧ୍ୟମରେ ବୁଡି ରହୁଛନ୍ତି । ପୂର୍ବରୁ କଳାକାର ମାନଙ୍କୁ ନିଜର କଳା ନିପୁଣତା ପରିପ୍ରକାଶ କରିବା ପାଇଁ ମଞ୍ଚର ଆବଶ୍ୟକତା ଥିଲା । ବର୍ତ୍ତମାନ ସାମାଜିକ ଗଣମାଧ୍ୟମ ମଞ୍ଚ ଅପୂର୍ବ ସୁଯୋଗ ଆଣି ଦେଇଛି । ଏହା ମାଧ୍ୟମରେ କଳାକାର ନିଜର କଳା ପ୍ରଦର୍ଶନ କରିବା ସହିତ ଅର୍ଥ ଉପାର୍ଜନ କରି ଦେଶ ବିଦେଶରେ ପ୍ରସିଦ୍ଧି ଲାଭ କରି ପାରୁଛନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ବହୁ ଲୁକ୍କାୟିତ ପ୍ରତିଭାଙ୍କୁ ଦେଖିବାକୁ ମିଳୁଛି । ସେମାନଙ୍କୁ ଯଦି ଉପଯୁକ୍ତ ଶିକ୍ଷା ଓ ସୁବିଧା ସୁଯୋଗ ଦିଆଯାଏ ତାହେଲେ କଳା କ୍ଷେତ୍ରରେ ଓଡିଶା ଆଉ ପାଦେ ଆଗକୁ ବଢିବ । ଉତ୍କୃଷ୍ଟ କଳାର ଦେଶ ଭାବରେ ଆମ ଓଡିଶା ସାରା ପୃଥିବୀରେ ଓଡିଶୀ ନୃତ୍ୟ ପାଇଁ ପ୍ରସିଦ୍ଧ ଲାଭ କରିଛି । ଏହାହିଁ ବିଶିଷ୍ଟ ଗୁରୁ ଓ ଅନୁଷ୍ଠାନ ପାଇଁ ସମ୍ଭବ ହୋଇପାରିଛି ।

ସମ୍ମାନୀତ ଅତିଥି ଭାବେ ନଳିନୀ ଦେବୀ ମହିଳା ମହାବିଦ୍ୟାଳୟର ପ୍ରଫେସର୍ ଶରତ କୁମାର କଣ୍ଠ, ଓଡିଶୀ ନୃତ୍ୟଗୁରୁ ଶ୍ରୀରୂପା ଘୋଷ, ଭାସ୍କର୍ଯ୍ୟ ଶିଳ୍ପୀ ଜୟନ୍ତ କୁମାର ଦାସ ପ୍ରମୁଖ ଯୋଗଦେଇ ଗୁରୁଶିଷ୍ୟ ପରମ୍ପରା ଜନ ମାନସରେ ଉଜ୍ଜୀବୀତ ରହିଛି ଓ ରହିବ ଏବଂ ଜଣେ ସଫଳ କଳାକାର ପାଇଁ ଗୁରୁଭକ୍ତି ଓ ନିଷ୍ଠା ନିହାତି ଆବଶ୍ୟକ ବୋଲି କହିବା ସହିତ ନୃତ୍ୟ ମନ୍ଦିରର ଶିକ୍ଷାଦାନ ପଦ୍ଧତିକୁ ପ୍ରଶଂସା କରିଥିଲେ । ବରିଷ୍ଠ ଆଇନଜିବୀ ମନମୋହନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ସଂସ୍କୃତିକ ସଭାରେ ନୃତ୍ୟ ମନ୍ଦିରର ଅଧ୍ୟକ୍ଷ ଗୁରୁଶ୍ରୀ ଦେବବ୍ରତ ଦାସ ବାର୍ଷିକ ବିବରଣୀ ପାଠ କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ଗୁରୁ ବିମ୍ବାଧର ଦାସଙ୍କୁ ପଦ୍ମଶ୍ରୀ ମିନତି ମିଶ୍ର ପ୍ରତିଭା ସମ୍ମାନ, ସଙ୍ଗୀତ ନିର୍ଦ୍ଦେଶକ ତାପସ ଦାସଙ୍କୁ ଗୁରୁ ଘନଶ୍ୟାମ ପଣ୍ଡା ସମ୍ମାନ, ଡଃ ଚନ୍ଦନା ରାଉଳଙ୍କୁ ଡଃ ବିଦ୍ୟୁତ କୁମାରୀ ଚୌଧୁରୀ ପ୍ରତିଭା ସମ୍ମାନ ଓ ଶିଶୁ ସାହିତ୍ୟିକ ତଥା ଇଟିକିଲି ମିଟିକିଲିର ସଚିବ ଶରତ କୁମାର ନାୟକଙ୍କୁ ଗୋବିନ୍ଦ ଚନ୍ଦ୍ର ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ନୃତ୍ୟ ମନ୍ଦିରର ଛାତ୍ରଛାତ୍ରୀ ମାନଙ୍କଦ୍ୱାରା ଓଡିଶୀ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ଆଧୁନିକ ନୃତ୍ୟ, ଦାଶାତ୍ମବୋଧକ ନୃତ୍ୟ ଓ ଏକକ ସଙ୍ଗୀତ ପରିବେଷଣ କରାଯାଇଥିଲା । ଜ୍ଞାନାନନ୍ଦ ସାଗର ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.