banner
Breaking

ନୂଆଖାଇ ପାଳିତ

0

ସମ୍ବଲପୁର,:ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାସମ୍ବଲପୁରନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ମା’ ସମଲେଇଙ୍କ ପୀଠରେ ନବାନ୍ନ ଭୋଗ ଲାଗିଥିଲା। ପ୍ରାତଃ ସାଢେ ୪ଟାରୁ ସମଲେଇ ଗୁଡିରେ ରୁଦ୍ଧଦ୍ୱାର ନୀତି ହୋଇଥିଲା। ମା’ଙ୍କୁ ନୂଆ ସମ୍ବଲପୁରୀ ପାଟବସ୍ତ୍ର ଓ ସୁନା ରୌପ୍ୟ ଅଳଙ୍କାରରେ ବିଭୂଷିତ କରାଯାଇଥିଲା। ସକାଳ ୮ଟାରେ ୧୧୫ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ପୂଜକମାନେ ବନା (ଝୋଟି) ପକାଇଥିଲେ। କ୍ଷତ୍ରୀୟ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରୁ ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ନବାନ୍ନ ଭୋଗ ମନ୍ଦିର ଗମ୍ଭୀରାକୁ ଯାଇଥିଲା। ପରେ କ୍ରମାନ୍ବୟରେ ଗଙ୍ଗାଧର ରାୟ, କୋଦଣ୍ଡ ରାୟ, ପ୍ରଶାନ୍ତ ରାୟଙ୍କ ଘରୁ ନବାନ୍ନ ଭୋଗ ମନ୍ଦିରକୁ ଆସିଥିଲା। ପରମ୍ପରାନୁସାରେ ଝାଡୁଆପଡା ବେହେରା ପରିବାରରୁ ନୂଆଁଖାଇ ଭୋଗ, ନୂଆ ଚାଉଳ, ପିଠା, କାକରା, ଉଖୁଡା, ଖିରି, ସାରୁ, ଶାଗ ମନ୍ଦିରକୁ ଆସିଥିଲା। ପୂର୍ବାହ୍ନ ୧୦ଟାରେ ଦେବୀଙ୍କ ମୁଖ୍ୟ ଦ୍ୱାର ବନ୍ଦ ହୋଇଥିଲା। ଶଙ୍ଖ ଧ୍ୱନି ସହ ୧୫ଜଣ କ୍ଷତ୍ରୀୟ ପୂଜକ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ର ଉଚ୍ଚାରଣ କରିଥିଲେ। ଏଥିସହ ଇଷ୍ଟଦେବୀ ମା’ ସମଲେଇଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ୧୧ଟା ୩୦ ମିନିଟ୍ରେ ପୂଜକମାନେ ମନ୍ଦିର ଗମ୍ଭୀରା ଭିତରୁ ବାହାରି ନୂଆ ଚାଉଳ, ଗାଈଘିଅ ଓ ଗୁଡ଼ରେ ପ୍ରସ୍ତୁତ ନବାନ୍ନ ଭୋଗ ୧୧୫ ପାର୍ଶ୍ୱ ଦେବଦେବୀଙ୍କୁ ଅର୍ପଣ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ ମା’ସମଲେଇଙ୍କ ମହାଆଳତି ଓ ପହଡ଼ ନୀତି ହୋଇଥିଲା। ଅପରାହ୍ନ ସାଢ଼େ ୧୨ଟାରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା। ରାତି ୮ଟାରେ ଆଳତି, ୯ଟାରେ ଅନ୍ନଭୋଗ ଓ ୧୦ଟାରେ ମନ୍ଦିର ଦ୍ୱାର ବନ୍ଦ ହୋଇଥିଲା। ଏଥିସହ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୋନପୁର ସୁରେଶ୍ୱରୀ, ଝାରସୁଗୁଡା ସମ୍ବଲେଶ୍ୱରୀ, ବୌଦ୍ଧର ଭୈରବୀ, ବରଗଡ ସମଲେଇ, ନୂଆପଡା ଜିଲାର ଟାନ୍ୱାଟ୍ କଣାଭଇରା, ସୁନ୍ଦରଗଡ଼ ସମଲେଇ, ଶିଖରବାସିନୀ ପୀଠରେ ରୀତିନୀତରେ ନୂଆଁ ଲାଗିଛି। ଦେବୀ ପୀଠରେ ନୂଆଁ ଲାଗିବା ପରେ ପ୍ରତ୍ୟେକ ନିଜ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ପରିବାର ସଦସ୍ୟ, ବନ୍ଧୁ ପରିଜନ ସମବେତ ହୋଇ ନୂଆଁଖାଇ ତିହାର ପାଳନ କରିଛନ୍ତି। ନୂଆଁଖାଇ ପରେ ସାହି ଓ ପଡାରେ ଜୁହାର ଭେଟ କାର୍ଯ୍ୟକ୍ରମ ହୋଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.