banner
Breaking

ଏନଇଇଟି ଫଳ ପ୍ରକାଶିତ। ସ୍ବସ୍ତି ରାଜ୍ୟ ଟପର

0

ଭୁବନେଶ୍ୱର, ୨।୧୧(ବ୍ୟୁରୋ): ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି(ୟୁଜି) ରେଜଲ୍ଟ ସୋମବାର ପ୍ରକାଶ ପାଇଛି। ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ପକ୍ଷରୁ ଘୋଷିତ ଫଳ ଅନୁଯାୟୀ ସର୍ବଭାରତୀୟ ସ୍ତରରେ ୩ ଜଣ ପରିକ୍ଷାର୍ଥୀ ର଼୍ୟାଙ୍କ-୧ରେ ରହିଛନ୍ତି। ସେମାନେ ହେଲେ ତେଲଙ୍ଗାନାର ମ୍ରିଣାଲ କୁଟ୍ଟେରି, ଦିଲ୍ଲୀର ତନ୍ମୟ ଗୁପ୍ତା ଓ ମହାରାଷ୍ଟ୍ରର କାର୍ତ୍ତିକା ଜି ନାୟର। ତେବେ ଓଡ଼ିଶାର ନିକେତନ ସ୍ବସ୍ତି ଶ୍ରବଣ ମିଶ୍ର ରାଜ୍ୟ ଟପ୍ପର ହୋଇଛନ୍ତି। ଭୁବନେଶ୍ୱରର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲର ଛାତ୍ର ନିକେତନ ସର୍ବଭାରତୀୟସ୍ତରରେ ୭୫ ର଼୍ୟାଙ୍କ ରଖିଥିବା ବେଳେ ୯୯.୯୯ ପର୍ସେଣ୍ଟାଇଲ ରଖିଛନ୍ତି। ସେହିପରି ସାଇ ସ୍କୁଲର ଗୀତି ଗାୟତ୍ରୀ ପଣ୍ଡା ୧୦୦, ସୁରଜ ନନ୍ଦ ୧୨୪,
ଶ୍ରୀ ରଥ ୨୮୫, ପୌର୍ଣ୍ଣଭ ପ୍ରତ୍ୟାଶା ପ୍ରଧାନ ୪୫୦ ର଼୍ୟାଙ୍କ୍‌ ହାସଲ କରିଛନ୍ତି। ଚଳିତ ବର୍ଷ ସେପ୍ଟେମ୍ବରରେ ଦେଶ ଓ ବିଦେଶର ୩,୮୫୮ କେନ୍ଦ୍ରରେ ଏହି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ମୋଟ ୧୫,୪୪,୨୭୫ ଜଣ ପରୀକ୍ଷା ଦେଇଥିବାବେଳେ ୮,୭୦,୦୭୪ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀଛାତ୍ରମାନେ neet.nta.nic.in ନିଜର ରେଜଲ୍ଟ ଦେଖିପାରିବେ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ୧ରେ ଏନ୍‌ଇଇଟି ପାଇଁ ପ୍ରଥମେ ତାରିଖ ଧାର୍ଯ୍ୟ କରାଯାଇଥିଲ। କିନ୍ତୁ କରୋନାର ଦ୍ୱିତୀୟ ଲହର ଯୋଗୁ ଏହାକୁ ସ୍ଥଗିତ ରଖାଯାଇଥିଲା। ସେପ୍ଟେମ୍ବର ୧୨ରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। କିଛି ଦିନ ତଳେ ଦୁଇ ଜଣ ପିଲା ପରୀକ୍ଷା ବେଳେ ସେମାନଙ୍କୁ ଭୁଲ ପ୍ରଶ୍ନପତ୍ର ମିଳିଥିବା ଅଭିଯୋଗ କରିଥିଲେ। ବମ୍ବେ ହାଇକୋର୍ଟ ଏହାର ଶୁଣାଣି କରିବା ସହ ସାନି ପରୀକ୍ଷା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଦୁଇ ଜଣ ପିଲାଙ୍କ ପାଇଁ ୧୬ଲକ୍ଷ ପରୀକ୍ଷାର୍ଥୀଙ୍କ ରେଜଲ୍ଟକୁ ରୋକା ଯାଇପାରିବ ନାହିଁ ବୋଲି କହିବା ସହ ଏନ୍‌ଟିଏ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ବମ୍ବେ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଥିଲେ। ଫଳରେ ସୋମବାର ଏନ୍‌ଟିଏ ଏନ୍‌ଇଇଟି ରେଜଲ୍ଟ ଘୋଷଣା କରିଛି।

Khansweb Solution Bhubaneswar

Leave A Reply

Your email address will not be published.