banner
Breaking

ନାସାରେ ଚହଳ ପକାଇଲେ ଓଡ଼ିଆ ଝିଅ ନାରାୟଣୀ।

0

ଭୁବନେଶ୍ୱର ୧୩/୧୧: ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସାରେ ବୈଜ୍ଞାନିକ ହେଲେ ଓଡ଼ିଆ ଝିଅ ଓଁ ନାରାୟଣୀ । ଘରେ ସ୍ନେହରେ ସମସ୍ତେ ଇସା ବୋଲି ଡାକୁଥିବା କେନ୍ଦ୍ରାପଡ଼ା ଜିଲ୍ଲାର ଏହି ଝିଅ ନିଜ ଜିଲ୍ଲା ପାଇଁ ଏବେ ଗୌରବ ଆଣି ପାରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଳକ୍‌ ହାଟସାହିର ତଥା ଏବେ ଆମେରିକାରେ ଅବସ୍ଥିତ ବିରଞ୍ଚି ନାରାୟଣ ଓ ଗୀତାଞ୍ଜଳି ନାୟକଙ୍କ କନ୍ୟା ଓଁ ନାରାୟଣୀ । ପିଲା ବେଳୁ ସ୍ୱପ୍ନ ଦେଖିଥିବା ପୃଥିବୀର ପ୍ରସିଦ୍ଧ ମହାକାଶ ବିଜ୍ଞାନକେନ୍ଦ୍ର ନାସାରେ ଯୋଗ ଦେଇଛନ୍ତି । ତାଙ୍କ ସ୍ୱପ୍ନ ପୂରଣ ପାଇଁ ସେ ସବୁ ପ୍ରକାର ଆରମ୍ଭରୁ ଚେଷ୍ଟା ମଧ୍ୟ କରିଛନ୍ତି । ଏଥିପାଇଁ ବିଶ୍ୱର ପ୍ରସିଦ୍ଧ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପାଠ ପଢ଼ିଛନ୍ତି । ସେଗୁଡ଼ିକ ମଧ୍ୟରୁ ଆମେରିକାର ବର୍କଲେ ବିଶ୍ୱବିଦ୍ୟାଳୟ ଓ ଜନ୍‌ ହପକିନ୍ସ ବିଶ୍ୱବିଦ୍ୟାଳୟ ଓ ଲଣ୍ଡନ ଇମ୍ପାରିଆଲ୍‌ କଲେଜ ଅନ୍ୟତମ । ସବୁଠି ସେ ମହାକାଶବିଜ୍ଞାନ ଓ ଏହା ସହ ସମ୍ପର୍କ ଥିବା ପଦାର୍ଥବିଜ୍ଞାନ ପଢ଼ିଥିଲେ । ଗବେଷଣା କରି ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ । ପରେ ଉଚ୍ଚତ୍ତର ଗବେଷଣା ଜାରି ରଖିଥିଲେ ।
ଓଁ ନାରାୟଣୀଙ୍କ ବୟସ ଏବେ ମାତ୍ର ୨୮ବର୍ଷ । ଏତେ ଅଳ୍ପ ବୟସରେ ସାଉଁଟି ପାରିଛନ୍ତି ଅସୁମାରୀ ସଫଳତା । ଜର୍ମାନ, ଫ୍ରାନ୍ସ, ନେଦର୍‌ଲ୍ୟାଣ୍ଡ, ଲଣ୍ଡନ, ଚୀନ୍‌, ଜାପାନ, ଭିଏତନାମ୍‌, ବ୍ରାଜିଲ୍‌, ଚିଲି ଆଦି ଅନେକ ଦେଶରେ ଆୟୋଜିତ ମହାକାଶ ବିଜ୍ଞାନ ସମ୍ମିଳନୀ ଓ କର୍ମଶାଳାଗୁଡ଼ିକରେ ଭାଗନେଇ ସଂନ୍ଦର୍ଭ ଉପସ୍ଥାପନ ଓ ତଥ୍ୟ ବିନିମୟ କରିଛନ୍ତି । ଓଁ ନାରାୟଣୀଙ୍କ ଏହି ସଫଳତା ପଛରେ ତାଙ୍କ ପରିବାରର ମଧ୍ୟ ଅବଦାନ ରହିଛି । ତାଙ୍କ ପିତା ବିରଞ୍ଚିନାରାୟଣ ଓଡ଼ିଶା ବୋର୍ଡ଼ରେ ୧୯୭୯ ମାଟ୍ରିକ ପରୀକ୍ଷାରେ ପ୍ରଥମସ୍ଥାନ ପାଇଥିଲେ । ଜଣେ ମେଧାବୀ ଛାତ୍ର ଭାବେ ଝିଅକୁ ମଧ୍ୟ ସମସ୍ତ ସହଯୋଗ ଦେଇଥିଲେ । ଓଁ ନାରାୟଣୀଙ୍କ ଜେଜେ ଅଲେଖ ନାୟକ ଓ ଜେଜେମା ଇନ୍ଦୁମତୀ ବର୍ତ୍ତମାନ ରାଜଧାନୀର କାନନବିହାର-୨ରେ ରହୁଛନ୍ତି । ନାତୁଣୀ ଓଁ ନାରାୟଣୀଙ୍କ ସଫଳତାରେ ସେମାନେ ବହୁତ ଖୁସି । ଯାହା କେବଳ ତାଙ୍କ ପରିବାର ନୁହଁ, ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବର ବିଷୟ ବୋଲି ଶ୍ରୀ ନାୟକ କହିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.