ନବରଙ୍ଗପୁର : କ୍ଷୁଦ୍ର ଗ୍ରହର ଆବିଷ୍କାରକ ନବରଙ୍ଗପୁରର ଓଡିଆ ଝିଅ ବନୀତା ଦାସ ମଙ୍ଗଳବାର ନୂଆ ଦିଲ୍ଲୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଛନ୍ତି। ମନ୍ତ୍ରୀ ପ୍ରଧାନ ବନୀତାଙ୍କୁ ସାଧୁବାଦ ଜଣାଇଛନ୍ତି। କ୍ଷୁଦ୍ର ଗ୍ରହ ଆବିଷ୍କାର କରି ବନୀତା ଓଡିଆ ମାଟିକୁ ଗର୍ବିତ କରିଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ଭବିଷ୍ୟତରେ ଜଣେ ମହାକାଶ ବିଜ୍ଞାନୀ ହୋଇ ମାନବ ସେବା କରିବାକୁ ଧର୍ମେନ୍ଦ୍ର ତାଙ୍କୁ ପରାମର୍ଶ ଦେଇଛନ୍ତି। ପ୍ରକାଶ ଯେ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତାଙ୍କ ନିମନ୍ତ୍ରଣକ୍ରମେ ବନୀତା ନୂଆଦିଲ୍ଲୀସ୍ଥିତ ଡିଆର୍ଡିଓ ତଥା ବିଭିନ୍ନ ଗବେଷଣା ସଂସ୍ଥାକୁ ଗସ୍ତ କରିଛନ୍ତି। ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଝିଅ ବନୀତା ମଧ୍ୟପ୍ରଦେଶର ଅନୁପୁରର ଜବାହର ନବୋଦୟ ବିଦ୍ୟାଳୟରେ ପଢୁଛନ୍ତି। ଚଳିତ ବର୍ଷ ଜାନୁଆରୀ ୨୦୨୧ରେ ଖାଗୋଲାଲା ଆଷ୍ଟ୍ରଏଡ୍ ସର୍ଚ୍ଚ ଅଭିଯାନ (କେଏଏସ୍ସି)ରେ ସେ ଯୋଗ ଦେଇଥିଲେ। ଯେଉଁଠାରେ ଜବାହର ନବୋଦୟ ବିଦ୍ୟାଳୟର ପିଲମାନଙ୍କୁ ଆଷ୍ଟ୍ରଏଡ୍ ଚିହ୍ନଟ ତାଲିମ ଦିଆଯାଇଥିଲା। ସେ ହାୱାଇରେ ଅବସ୍ଥିତ ଏକ ଟେଲିସ୍କୋପ ବ୍ୟବହାର କରି ଆଷ୍ଟ୍ରଏଡ୍ ଆବିଷ୍କାର କରିଥିଲେ। ନାସା, ହାର୍ଡିନ୍-ସିମନ୍ସ ୟୁନିଭରସିଟି ଏବଂ ଆନ୍ତର୍ଜାତୀୟ ଜ୍ୟୋର୍ତିବିଜ୍ଞାନ ସନ୍ଧାନ ସହଯୋଗରେ ଉକ୍ତ ଗ୍ରହକୁ ସ୍ବୀକୃତି ଦିଆଯାଇଛି।



