banner
Breaking

ଗୋପାଳ ଦାସ ଭାଇକୁ ପୋଲିସର ଜେରା

0

ବ୍ରହ୍ମପୁର : ପୋଲିସ ଗୁଳିରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚାଲିଛି। ମଙ୍ଗଳବାର କ୍ରାଇମବ୍ରାଞ୍ଚ ଡିଏସ୍‌ପି ଶିଶିର ମିଶ୍ରଙ୍କ ନେତୃତ୍ୱରେ ୪ ଜଣିଆ ଟିମ୍‌ ବ୍ରହ୍ମପୁର ଆସି ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତ ଏଏସ୍‌ଆଇ ଗୋପାଳ ଦାସଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା। ପରେ ଗୋପାଳଙ୍କ ଭାଇ ସତ୍ୟନାରାୟଣ ଦାସଙ୍କୁ ଉଠାଇ ନେଇ କୌଣସି ଏକ ନିର୍ଜନ ସ୍ଥାନରେ ରଖି ଜେରା କରୁଥିବା ସୂଚନା ମିଳିଛି।
କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଆଙ୍କୋଲି ଶିଳ୍ପାଞ୍ଚଳରେ ଥିବା ଗୋପାଳଙ୍କ ଘର ଏବଂ ଜଳେଶ୍ୱରଖଣ୍ଡିରେ ଥିବା ପୈତୃକ ଘରକୁ ଆସିଥିଲେ। ଶିଳ୍ପାଞ୍ଚଳସ୍ଥିତ ଘରେ ତାଲା ପଡିଥିବା ବେଳେ ଜଳେଶ୍ୱରଖଣ୍ଡି ପୈତୃକ ଘରେ ଗୋପାଳଙ୍କ ପରିବାର ଲୋକ ରହୁଥିବାରୁ ଟିମ୍‌ ସେଠାକୁ ଯାଇଥିଲା। ଗୋପାଳଙ୍କ ଘରକୁ ଲାଗି ତାଙ୍କ ବଡ଼ଭାଇ ସତ୍ୟନାରାୟଣଙ୍କ ଘର। ସତ୍ୟ ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ପ୍ରଥମେ ଗୋପାଳଙ୍କ ଘରକୁ ଯାଇ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କୁ ପଚରାଉଚରା କରିଥିଲା। ଗୋପାଳ ମାନସିକ ରୋଗ ପାଇଁ କେତେଦିନ ହେଲା ମେଡିସିନ ଖାଉଥିଲେ, କେଉଁଠି ଚିକିତ୍ସା ହେଉଥିଲେ ଏବଂ ତାଙ୍କର ମାନସିକ ରୋଗ ଅଛି ବୋଲି ପରିବାର ଲୋକ କିପରି ଜାଣିଲେ, ଏଭଳିି ଅନେକ ପ୍ରଶ୍ନ ଜୟନ୍ତୀଙ୍କୁ ପଚରାଯାଇଥିଲା। ସେ ପ୍ରାୟ ସବୁ ପ୍ରଶ୍ନର ଉତ୍ତର ଦେଇଥିବା ସୂଚନା ମିଳିଛି। ପରେ କ୍ରାଇମ୍‌ବ୍ରାଞ୍ଚ ଗୋପାଳଙ୍କ ଭାଉଜ ଏବଂ ପୁତୁରାଙ୍କୁ ମଧ୍ୟ ଜେରା କରିଥିଲା। ଗୋପାଳଙ୍କ ସହ ସେମାନଙ୍କର ସମ୍ପର୍କ କିଭଳି ଥିଲା, କାହାପାଇଁ ଚାକିରି କରାଇ ଦେବାକୁ କାହାକୁ ସୁପାରିସ କରୁଥିଲେ କି ପଚରାଯାଇଥିଲା। ଗୋପାଳଙ୍କ ଝିଅ ପ୍ରିୟଙ୍କା ଅନ୍ୟଜଣେ ସମ୍ପର୍କୀୟଙ୍କ ଘରେ ଥିବାରୁ ତାଙ୍କୁ ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ ଡକାଇ ପଚରାଉଚରା କରି ଫେରିଥିଲା। ଅପରାହ୍ନ ପ୍ରାୟ ୪ଟାରେ କ୍ରାଇମବ୍ରାଞ୍ଚ ଟିମ୍‌ ପୁଣି ଆସି ଗୋପାଳଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ତାଙ୍କ ଭାଇ ସତ୍ୟନାରାୟଣଙ୍କୁ ଉଠାଇ ନେଇଥିଲା ।
ସୂଚନାଯୋଗ୍ୟ, ସତ୍ୟନାରାୟଣ ପୂର୍ବରୁ ଟ୍ୟାକ୍ସ କଲେକ୍ଟର ଭାବେ ବ୍ରହ୍ମପୁର ମହାନଗର ନିଗମରେ ଚାକିରି କରୁଥିଲେ। ତାଙ୍କ ନାମରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିବା ପରେ ଲାଇବ୍ରେରିଆନ ଭାବେ ଦାୟିତ୍ୱ ଦେଇଥିଲା ବିଇଏମସି। ବିଇଏମ୍‌ସିରୁ ଅବସର ନେଇ ଝାରସୁଗୁଡ଼ା ଜିଲା ବ୍ରଜରାଜନଗରରେ ଏକ ହୋଟେଲ ଖୋଲିଥିଲେ। ସେଠାରେ ଭାଇ ଗୋପାଳ ବି ରହୁଥିଲେ। ସ୍ବାସ୍ଥ୍ୟମନ୍ତ୍ରୀ ହତ୍ୟା ଘଟଣାର ଦିନକ ପୂର୍ବରୁ ସତ୍ୟନାରାୟଣ ବ୍ରହ୍ମପୁର ପଳାଇ ଆସିଥିଲେ ବୋଲି ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.