banner
Breaking

ହାତୀକୁ ଉଦ୍ଧାର କରିବାକୁ ଯାଇ ବୁଡିଲା ବୋଟ୍। ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ।

0

ଭୁବନେଶ୍ୱର,୨୪/୯ : ଆଠଗଡ ବନଖଣ୍ଡ ଅନ୍ତର୍ଗତ ମୁଣ୍ଡଳୀ ବ୍ରିଜ ନିକଟରେ ମହାନଦୀରେ ଫସିରହିଥିବା ଏକ ଦନ୍ତାହାତୀକୁ ଉଦ୍ଧାରକରିବା ପାଇଁ ଯାଇଥିବା ଓଡ୍ରାଫ ଟିମର ବୋଟଟି ପ୍ରଖର ସ୍ରୋତରେ ଓଲଟି ପଡିଥିଲା । ଫଳରେ ସେଥିରେ ଥିବା ୫ଜଣ ଓଡ୍ରାଫ କର୍ମଚାରୀ ଓ ୨ ସାମ୍ବାଦିକ ପାଣିରେ ବୁଡିଯାଇଥିଲେ। ସ୍ଥାନୀୟ ମୁଣ୍ଡଳୀ ଅଞ୍ଚଳର ମତ୍ସ୍ୟଜୀବିମାନେ ଦେଶୀଡଙ୍ଗାରେ ସେମାନଙ୍କୁ ଉଦ୍ଧାର କରିଥିଲେ । ଏବେବି ଜଣେ ଓଡ୍ରାଫ କର୍ମଚାରୀ ନିଖୋଜ ରହିଛନ୍ତି । ଓଟିଭିର ସାମ୍ବାଦିକ ଅରିନ୍ଦମ ଦାସଙ୍କ ମୃତ୍ୟୁ ଘଟିଛି । ଏଥିସହିତ ଅତ୍ୟତମ ଫଟୋ ସାମ୍ବାଦିକ ପ୍ରଭାତ ସିହ୍ନା ଓ ୩ଜଣ ଓଡ୍ରାଫ୍ଟ କର୍ମଚାରୀ କଟକ ବଡମେଡିକାଲରେ ଚିକିତ୍ସିତ ହେଉଛନ୍ତି। ସାମ୍ବାଦିକ ଅରିନ୍ଦମଙ୍କ ଅକାଳ ବିୟୋଗରେ ସାମ୍ବାଦିକ ଜଗତ ସ୍ତବ୍ଧ ହୋଇଯାଇଛି । ଏବେ ଦୁଇଟି ଓଡ୍ରାଫ ବୋଟ, ଗୋଟିଏ ଅଗ୍ନିଶମ ଓ ଦୁଇଟି ଏନଡିଆରଏଫ ବୋଟ ଜରିଆରେ କର୍ମଚାରୀମାନେ ନିଖୋଜ ଓଡ୍ରାଫ କର୍ମଚାରୀକୁ ଖୋଜିବା ସହ ଫସିରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଘଟଣାସ୍ଥଳରେ ପ୍ରଧାନମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଶଶି ପଲ, ଭାରପ୍ରାପ୍ତ ଆଞ୍ଚଳିକ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ (ଅନୁଗୁଳ), ଆଠଗଡ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ସହିତ ଚନ୍ଦକା ଓ କଟକ ବନଖଣ୍ଡ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଫସିଯାଇଥିବା ହାତୀକୁ ଉଦ୍ଧାର କରିବା ପାଇଁ ଉପସ୍ଥିତ ଅଛନ୍ତି । ଓଡ୍ରାଫ୍ଟ ବିଭାଗର ବରିଷ୍ଠ କର୍ମକର୍ତ୍ତା ଓ ଜିଲ୍ଲା ପୋଲିସର ପଦସ୍ଥ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ରହି ତୀକ୍ଷ୍ମ ନଜର ରଖିଛନ୍ତି ଏବଂ ଦନ୍ତାହାତୀକୁ ଉଦ୍ଧାର ସହ ନିଖୋଜ ଥିବା ଓଡ୍ରାଫ ଟିମ କର୍ମଚାରୀଙ୍କୁ ଖୋଜାଖୋଜି ଚଳାଇଛନ୍ତି ।

ସୂଚନାଯୋଗ୍ୟ ଗତକାଲି ରାତିରେ ଆଠଗଡ ବନାଞ୍ଚଳ ଅନ୍ତର୍ଗତ ସୁକାସନ ଜଙ୍ଗଲରୁ ୧୭ଟି ହାତୀ ନଦୀ ପାର ହୋଇ ବାଙ୍କି ଅଞ୍ଚଳକୁ ଯାଉଥିଲେ। ହେଲେ ପ୍ରଖର ସ୍ରୋତରେ ୧୭ଟିକିଆ ହାତୀଦଳ ନଦୀ ଅତିକ୍ରମ କରିନପାରି ତଳକୁ ଭାସି ଆସିଥିଲେ। ୮ଟି ହାତୀ ସାନମୁଣ୍ଡଳୀ ପାଶ୍ୱର୍ରେ ଲାଗିଥିଲେ। ଆଉ ୮ଟି ହାତୀ ଅନନ୍ତପୁର ପାଖରେ କୂଳରେ ଲାଗିଥିଲେ। ହେଲେ ଗୋଟିଏ ଦନ୍ତା କୌଣସି କୂଳରେ ନଲାଗିପାରି ମୁଣ୍ଡଳୀ ବ୍ରିଜ ନିକଟରେ ନିଜକୁ ବଞ୍ଚାଇବା ପାଇଁ ଉବୁଟୁବୁ ହେଉଥିଲା । ଘଟଣା ସଂପର୍କରେ ଖବର ପାଇ ସକାଳୁ ସକାଳୁ ଆଠଗଡ ବନାଞ୍ଚଳ ଅଧିକାରୀ ଆୟିଶା ଅକତରୀ ନିଶା, ବନପାଳ କୃଷ୍ଣଚନ୍ଦ୍ର ସ୍ୱାଇଁ ପ୍ରମୁଖ ହାତୀଟିକୁ ସୁରକ୍ଷିତ ଭାବରେ କୂଳକୁ ଆଣିବା ନିମନ୍ତେ ଉଦ୍ୟମ କରିଥିଲେ । ହେଲେ ବିଫଳ ହେବା ପରେ ବନବିଭାଗ ଉଚ୍ଚ କର୍ତ୍ତୃପ ଦନ୍ତାହାତୀକୁ ଉଦ୍ଧାର ପାଇଁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗର ସହାୟତା ଲୋଡିଥିଲେ। ଏହାପରେ ଓଡ୍ରାଫର ଏକ ବୋଟରେ ୫ଜଣ କର୍ମଚାରୀ ହାତୀଟିକୁ ଉଦ୍ଧାର କରିବା ପାଇଁ ବାହାରିବା ବେଳେ ଓଟିଭିର ୨ଜଣ ସାମ୍ବାଦିକ ଖବର ପ୍ରସାରଣ ପାଇଁ ତାଙ୍କ ସାଙ୍ଗରେ ଯାଇଥିଲେ। ଉଦ୍ଧାରକାରୀ ଦଳ ବୋଟଟିକୁ ହାତୀର ପଛପାଖରେ ଅତି ଚତୁରତା ଓ ସତର୍କତାର ସହିତ ବୁଲାଇ ଆଣିବା ପାଇଁ ଉଦ୍ୟମ କରୁଥିବା ବେଳେ ପ୍ରଖର ସ୍ରୋତରେ ବୋଟଟି ତଳକୁ ଭାସିଯାଇ ପିଲାର ରେ ମାଡ ହୋଇଥିଲା। ଯାହାଫଳରେ କି ବୋଟରେ ପାଣି ପଶିଯିବା ପରେ ବୋଟଟି ଓଲଟି ପଡିଥିଲା। ଫଳରେ ଅପ୍ରତ୍ୟାଶିତ ଭାବରେ ଏଭଳି ଘଟଣା ଘଟିବାରୁ ବୋଟରେ ଥିବା ୫ଜଣ ଓଡ୍ରାଫ କର୍ମଚାରୀ ଓ ଓଟିଭିର ସାମ୍ବାଦିକ ଅରିନ୍ଦମ ଓ କ୍ୟାମେରାମ୍ୟାନ ପ୍ରଭାତ ପାଣିରେ ବୁଡି ଭାସିବାକୁ ଲାଗିଥିଲେ। ଘଟଣାସ୍ଥଳରେ କିଛିଦୂରରେ ସ୍ଥାନୀୟ ମୁଣ୍ଡଳୀ ଗାଁର ମତ୍ସ୍ୟଜୀବିମାନେ ଦେଶୀଡଙ୍ଗା ସାହାଯ୍ୟରେ ଭାସିଯାଉଥିବା ଓଡ୍ରାଫ କର୍ମଚାରୀଙ୍କ ମଧ୍ୟରୁ ୪ଜଣଙ୍କୁ ଓ ୨ ସାମ୍ବାଦିକଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ କଟକ ବଡମେଡିକାଲକୁ ନିଆଯାଇଥିଲା। ହେଲେ ସେଠାରେ ଓଟିଭି ସାମ୍ବାଦିକ ଅରିନ୍ଦମଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନେ ଗୁରୁତର ହୋଇ ଚିକିତ୍ସିତ ହେଉଛନ୍ତି । ଏବେବି ଜଣେ ଓଡ୍ରାଫ କର୍ମଚାରୀ ନିଖୋଜ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.