banner
Breaking

୨୦୦୦ ଟଙ୍କିଆ ନୋଟ ଗୁଜବରୁ ପରଦା ହଟିଲା

0

ନୂଆଦିଲ୍ଲୀ,୨୦।୯(ବ୍ୟୁରୋ): ୨୦୦୦ ଟଙ୍କିଆ ନୋଟ୍‌ କେନ୍ଦ୍ର ସରକାର ପ୍ରତ୍ୟାହାର କରି ନେବେ ବୋଲି ବିଭିନ୍ନ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ଏହି ପ୍ରସଙ୍ଗ ଉପରୁ ସରକାର ଶନିବାର ପରଦା ହଟାଇଛନ୍ତି। ୨୦୦୦ ଟଙ୍କିଆ ନୋଟ୍‌ ପ୍ରିଣ୍ଟ ବନ୍ଦ ହେବ ନାହିଁ। ଏହି ନୋଟ୍‌ ବିମୁଦ୍ରୀକରଣ କରିବା ନେଇ କେନ୍ଦ୍ରର କୌଣସି ଯୋଜନା ନାହିଁ। ଏହାର ପ୍ରିଣ୍ଟ ବନ୍ଦ ହେବ ନାହିଁ ବୋଲି କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଲୋକ ସଭାରେ ସ୍ପଷ୍ଟୀକରଣ ଦିଆଯାଇଛି। କେନ୍ଦ୍ର ଅର୍ଥରାଷ୍ଟ୍ର ମନ୍ତ୍ରୀ ଅନୁରାଗ ଠାକୁର ଶନିବାର ଏ ସମ୍ପର୍କରେ ଲୋକ ସଭାରେ ଏକ ଲିଖିତ ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ରିଜର୍ଭ ବ୍ୟାଙ୍କ ସହ ଆଲୋଚନା କରି ବିଭିନ୍ନ ପଦକ୍ଷେପ ହାତକୁ ନିଆଯାଇଥାଏ। ଲୋକଙ୍କ ଚାହିଦା ଏବଂ ନେଣଦେଣ ସୁବିଧା ହେବା ଭଳି ନୋଟ ପ୍ରିଣ୍ଟ ନେଇ ପଦକ୍ଷେପ ନିଆଯାଉଛି। ୨୦୧୯-୨୦ ଏବଂ ୨୦୨୦-୨୧ରେ ୨୦୦୦ ଟଙ୍କିଆ ନୋଟ୍‌ ଛାପିବା ଲାଗି କୌଣସି ଯୋଜନା ହାତକୁ ନିଆଯାଇନାହିଁ। ଅପରପକ୍ଷରେ ଏହି ନୋଟ୍‌ ଛପାକୁ ବନ୍ଦ କରିବା ଲାଗି କେନ୍ଦ୍ର ସରକାର କୌଣସି ନିଷ୍ପତ୍ତି ନେଇ ନ ଥିବା ସେ ସ୍ପଷ୍ଟ କରିଛନ୍ତି।
ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ପ୍ରଚଳନରେ ୨୭,୩୯୮ ଲକ୍ଷ ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ରହିଛି। ୨୦୧୯ ମାର୍ଚ୍ଚ ୩୧ ବେଳକୁ ଏହା ୩୨,୯୧୦ ଲକ୍ଷ ଖଣ୍ଡ ରହିଥିଲା ବୋଲି ସୂଚନା ମିଳିଛି। ସେହିଭଳି କୋଭିଡ୍‌-୧୯ ଯୋଗୁ ନୋଟ୍‌ ଛପା କିଛିଦିନ ଲାଗି ବନ୍ଦ ରହିଥିଲା। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ ଆସିଲା ପରେ ପୁଣି ଥରେ ନୋଟ୍‌ ଛାପିବା ନେଇ ପ୍ରକ୍ରିୟା ଜାରି କରାଯାଇଛି। ଲକ୍‌ଡାଉନ ସମୟରେ ପ୍ରିଣ୍ଟିଂ ପ୍ରେସ୍‌ରେ ରହିଥିବା ନୋଟ୍‌ ଯୋଗାଣ ଧାରା ଜାରି ରହିଥିଲା। ରିଜର୍ଭ ବ୍ୟାଙ୍କ ଅଫିସ ଏବଂ କରେନ୍ସି ଚେଷ୍ଟକୁ ଟଙ୍କା ଇଣ୍ଡିଆନ ରେଲଓ୍ବେ ଟ୍ରେଜେରି ଓ୍ବାଗନ ଦ୍ୱାରା ଏହି ଟଙ୍କା ପଠାଯାଇଥିବା ବୋଲି ଠାକୁର ସ୍ପଷ୍ଟ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.