banner
Breaking

ଗାଁ ଗାଁ ଘର ଘର ବୁଲି ପରୀକ୍ଷା କରିବାକୁ ପରାମର୍ଶ ଦେଲେ ମୋଦି।

0

ନୂଆଦିଲ୍ଲୀ, ୧୫।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର କୋଭିଡ୍‌ ସ୍ଥିତିର ସମୀକ୍ଷା କରିଛନ୍ତି। ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟସେବା ସମ୍ବଳ ବୃଦ୍ଧି ଉପରେ ସେ ଗୁରୁତ୍ୱ ଦେବା ସହ ଘରକୁ ଘର ଯାଇ ପରୀକ୍ଷା କରାଇବାକୁ ପରାମର୍ଶ ଦେଇଛନ୍ତି। ସ୍ଥାନୀୟ ସ୍ତରରେ ବିଶେଷ କରି ଅତ୍ୟଧିକ ପଜିଟିଭ୍‌ ହାର ଥିବା ଜିଲାଗୁଡ଼ିରେ କଣ୍ଟେନମେଣ୍ଟ ରଣନୀତି ବର୍ତ୍ତମାନ ସମୟର ଆବଶ୍ୟକତା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ପ୍ରଧାନମନ୍ତ୍ରୀ ରାଜ୍ୟଗୁଡିକୁ କୋଭିଡ୍‌ ସମ୍ପର୍କିତ ତଥ୍ୟ ସ୍ବଚ୍ଛତାର ସହ ଉପସ୍ଥାପନ କରିବା ଲାଗି ପ୍ରୋତ୍ସାହିତ କରିଥିଲେ। କେତେକ ରାଜ୍ୟ କୋଭିଡ୍‌ ସଂକ୍ରମଣ ଓ ମୃତ୍ୟୁ ସମ୍ପର୍କରେ ଠିକ୍‌ ରିପୋର୍ଟ ଦେଉ ନ ଥିବା ନେଇ ଖବର ପ୍ରକାଶ ପାଇବା ପରେ ପ୍ରଧାନମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇଛନ୍ତି। ଗ୍ରାମାଞ୍ଚଳରେ ଅକ୍ସିଜେନ୍‌ ଯୋଗାଣ ସୁଗମ କରିବା ପାଇଁ ଏକ ସୁଷମ ବଣ୍ଟନ ଯୋଜନା କାର୍ଯ୍ୟକାରୀ କରିବା ଆବଶ୍ୟକ। ଅକ୍ସିଜେନ କନ୍‌ସେଣ୍ଟ୍ରେଟର ଓ ଅନ୍ୟାନ୍ୟ ମେଡିକାଲ ଉପକରଣର ଉପଯୁକ୍ତ ପରିଚାଳନା ପାଇଁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଆବଶ୍ୟକ ତାଲିମ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ।
ଗତବର୍ଷ କରୋନାର ପ୍ରଥମ ଲହରରେ ଗ୍ରାମାଞ୍ଚଳ ବିଶେଷ ପ୍ରଭାବିତ ହୋଇ ନ ଥିଲା। କିନ୍ତୁ ଏଥର କରୋନା ଦ୍ୱିତୀୟ ଲହର ସହରାଞ୍ଚଳ ସମେତ ଗ୍ରାମାଞ୍ଚଳକୁ ମଧ୍ୟ ଗମ୍ଭୀର ଭାବେ ପ୍ରଭାବିତ କରିଛି। ସେହିପାଇଁ ଗ୍ରାମାଞ୍ଚଳରେ ଆଶା ଏବଂ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଆବଶ୍ୟକ ଯନ୍ତ୍ରପାତି ସହ ସଶକ୍ତୀକରଣ କରାଇବା ସପକ୍ଷରେ ମୋଦି କହିଥିଲେ। ଏବେ ଦେଶରେ ସପ୍ତାହକୁ ପାଖାପାଖି ୧.୩ କୋଟି ପରୀକ୍ଷା କରାଯାଉଛି, ଯାହା ମାର୍ଚ୍ଚରେ ୫୦ ଲକ୍ଷ ଥିଲା। ଏବେ ଉଭୟ ଆର୍‌ଟି-ପିସିଆର୍‌ ଏବଂ ରାପିଡ୍‌ ଆଣ୍ଟିଜେନ ପରୀକ୍ଷା ଆହୁରି ବଢ଼ାଇବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା ବ୍ୟତୀତ କେନ୍ଦ୍ର ସରକାର ଯୋଗାଇ ଦେଇଥିବା ଭେଣ୍ଟିଲେଟରଗୁଡ଼ିକ କାର୍ଯ୍ୟ କରୁଛି କି ନାହିଁ ତାହାର ତୁରନ୍ତ ଅଡ଼ିଟ କରିବା ଲାଗି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ କେତେକ ରାଜ୍ୟରେ ଭେଣ୍ଟିଲେଟର ଗୁଡ଼ିକ ଅଚଳ ହୋଇ ପଡ଼ିରହିଥିବା ଖବର ପ୍ରକାଶ ପାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.