banner
Breaking

ମୋ ସରକାରେ ସାମିଲ ହେଲା ପଞ୍ଚାୟତରାଜ ବିଭାଗ।

0

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବ୍ଲକ ଅଫିସ ଗ୍ରାମାଞ୍ଚଳରେ ବିଭିନ୍ନ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟର ୮୩ ପ୍ରତିଶତ ଜନତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ତେଣୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ ବୁଧବାର ମୋ ସରକାର ଅଧୀନକୁ ଅଣାଯାଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପଞ୍ଚାୟତିରାଜ ବିଭାଗ ରାଜ୍ୟ ସରକାରଙ୍କ ବିଭିନ୍ନ ଫ୍ଲାଗସିପ୍‌ କାର୍ଯ୍ୟକ୍ରମକୁ ପରିଚାଳନା କରୁଛି। ୨୦୧୪ ପରଠାରୁ ଏହି ବିଭାଗ ପକ୍ଷରୁ ପ୍ରାୟ ୨୫ ଲକ୍ଷ ଘର ନିର୍ମାଣ କରାଯାଇ ସାରିଛି। ସଫଳତାର ସହ ଏହି ବିଭାଗ ରାଜ୍ୟର ସମସ୍ତ ଯୋଗ୍ୟ ଲୋକଙ୍କୁ ପକ୍କାଘର ଯୋଗାଇଦେବା ଲକ୍ଷ୍ୟରେ କାର୍ଯ୍ୟ କରୁଛି। ୬୫ ପ୍ରତିଶତ ଜନତାଙ୍କୁ ଜଳ ଯୋଗାଇବା କାର୍ଯ୍ୟ ମଧ୍ୟ ଜାରି ରହିଛି। ଆସନ୍ତା ୨୦୨୪ ସୁଦ୍ଧା ସମସ୍ତଙ୍କ ପାଖରେ କିପରି ପାନୀୟ ଜଳ ସୁବିଧା ପହଞ୍ଚିବ, ସେ ଦିଗରେ କାର୍ଯ୍ୟ କରୁଛି। ଏହି ବିଭାଗ ଦ୍ୱାରା ହିଁ ରାଜ୍ୟକୁ ବାହ୍ୟ ମଳତ୍ୟାଗମୁକ୍ତ କରାଯାଇପାରିଛି। ତେଣୁ ମୋ ସରକାର ଏ ସମସ୍ତ କାର୍ଯ୍ୟକ୍ରମରେ ଅଧିକ ବୃତ୍ତିଗତ ଇଚ୍ଛାଶକ୍ତି ଏବଂ ସରକାରୀ କର୍ମଚାରୀଙ୍କ ବ୍ୟବହାରରେ ପରିବର୍ତ୍ତନ ଆଣିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ଏହାଦ୍ୱାରା ବିଭିନ୍ନ ହିତାଧିକାରୀଙ୍କଠାରୁ ସିଧାସଳଖ ଫିଡ୍‌ବ୍ୟାକ୍‌(ଅନୁଭୂତି/ପ୍ରତିକ୍ରିୟା) ସଂଗ୍ରହ କରାଯାଇପାରିବ। ରାଜ୍ୟ ପ୍ରଶାସନ ଓ ତୃଣମୂଳ ଜନତାଙ୍କ ମଧ୍ୟରେ ବ୍ଲକ ସେତୁଭାବେ କାର୍ଯ୍ୟ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ ପଞ୍ଚାୟତିରାଜ ବିଭାଗରେ ପରିବର୍ତ୍ତନ ଆଣିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରତାପ ଜେନା କହିଥିଲେ ଯେ, ଜଳଯୋଗାଣ, ପକ୍କାଘର ନିର୍ମାଣ, ପରିମଳ, ଏମ୍‌ଜିଏନ୍‌ଆରଇଜିଏ ଭଳି କାର୍ଯ୍ୟକୁ ଅଧିକ ସୁସଙ୍ଗଠିତ ଢଙ୍ଗରେ କରାଯିବ। ରାଜ୍ୟରେ ସମସ୍ତେ ପକ୍କାଘରେ ବାସ କରନ୍ତୁ ବୋଲି ବିଜୁବାବୁଙ୍କ ଇଚ୍ଛା ଥିଲା। ଏହା ନିଶ୍ଚୟ ସତରେ ପରିଣତ ହେବ ବୋଲି ପ୍ରତାପ କହିଥିଲେ। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଥିଲେ ଯେ, ସରକାରୀ ଯୋଜନାର ସୁଫଳ ବ୍ଲକ ଦ୍ୱାରା ହିଁ ହିତାଧିକାରୀ ନିକଟରେ ପହଞ୍ଚିଥାଏ। ତେଣୁ ମୋ ସରକାର କାର୍ଯ୍ୟକ୍ରମ ନିଶ୍ଚୟ ସଫଳତା ଆଣିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସମୟରେ କଣ୍ଟାବାଞ୍ଜି, ଜୁନାଗଡ଼, ପଟ୍ଟାଙ୍ଗୀ, ସବ୍‌ଟେକା, ରାଜଗାଙ୍ଗପୁର,ପାଟକୁରା,ଆଠମଲ୍ଲିକ ଏବଂ ଅନ୍ୟ କେତେକ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀ(ବିଡିଓ)ଙ୍କ ସହ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ପ୍ରମୁଖ ସଚିବ ଡି.କେ ସିଂହ ଉପସ୍ଥିତ ରହିଥିଲେ। ପଞ୍ଚାୟତିରାଜ ବିଭାଗ ଦ୍ୱାରା କରାଯାଉଥିବା ବିଭିନ୍ନ କାର୍ଯ୍ୟାବଳୀକୁ ନେଇ ଏକ କ୍ଷୁଦ୍ର ଭିଡିଓ ପ୍ରଦର୍ଶିତ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.