banner
Breaking

ମାର୍ଚ୍ଚ ୩୧ ସୁଦ୍ଧା ମୋ ସରକାରରେ ସାମିଲ ହେବ ସବୁ ବିଭାଗ।

0

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶୁକ୍ରବାର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ବିଭାଗରେ ଅଧିକ ପେସାଗତ ଦକ୍ଷତା ବୃଦ୍ଧି ସହ କର୍ମଚାରୀଙ୍କ ବ୍ୟବହାରିକ ଦୃଷ୍ଟିଭଙ୍ଗୀରେ ପରିବର୍ତ୍ତନ କରିବ ବୋଲି ଆଶା କରାଯାଉଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଚଳିତବର୍ଷ ମାର୍ଚ୍ଚ ୩୧ସୁଦ୍ଧା ସମସ୍ତ ବିଭାଗ ମୋ ସରକାର କାର୍ଯ୍ୟକ୍ରମ ଅଧୀନ ହେବାକୁ ଯାଉଛି। ସେହିକ୍ରମରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ମୋ ସରକାର ଅଧୀନ ହୋଇଛି। ବଢୁଥିବା ନଗରୀକରଣ ଏବଂ ବଢୁଥିବା ଆଧୁନିକ ଜୀବନଚର୍ଯ୍ୟାର ଭିତ୍ତିଭୂମିକୁ ସୁଦୃଢ କରିବା ହେଉଛି ସରକାରଙ୍କ ପ୍ରାଥମିକତା। ସାଧାରଣ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମାନବିକ ଦୃଷ୍ଟିଭଙ୍ଗୀ ରଖି ଆଧୁନିକ ସୁଖସୁବିଧା ଯୋଗାଇଦେବା ଉପରେ ସରକାର ଗୁରୁତ୍ୱ ଦେଉଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଣତନ୍ତ୍ରରେ ସାଧାରଣ ଜନତା ହିଁ ପ୍ରକୃତ ମାଲିକ। ଏହା ପ୍ରତ୍ୟେକ ସରକାରୀ କର୍ମଚାରୀ ମନେରଖିବା ଉଚିତ। ତେଣୁ ସାଧାରଣ ଜନତାଙ୍କ ସମ୍ମାନ ପାଇଁ ପ୍ରତି କର୍ମଚାରୀ କାର୍ଯ୍ୟ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ସହରବାସୀଙ୍କୁ ପାନୀୟଜଳ ଯୋଗାଇ ଦିଆଯାଉଛି। ସେହିଭଳି ଗରିବ ସହରାଞ୍ଚଳ ଅଧିବାସୀଙ୍କୁ ଜାଗା ମିଶନ ଜରିଆରେ ଜମି ମଧ୍ୟ ଯୋଗାଇ ଦିଆଯାଇଛି। କେବଳ ଜମି ନୁହେଁ, ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ମୌଳିକ ସୁବିଧାର ବ୍ୟବସ୍ଥା କରାଯାଇଛି। ଏହି ଯୋଜନା ମାଧ୍ୟମରେ ପ୍ରାୟ ୫୦,୦୦୦ ସହରୀ ପରିବାରଙ୍କୁ ଉତ୍ତମ ଜୀବନଧାରଣ ଭେଟି ଦିଆଯାଇଛି। ଏହି ପଦକ୍ଷେପ ପାଇଁ ନିକଟରେ ରାଜ୍ୟ ସରକାର ୱାଲର୍‌ଡ ହାବିଟାଟ୍‌ ଆୱାର୍ଡ ମଧ୍ୟ ଲାଭ କରିଛନ୍ତି। ସେହିପରି ନଗର ଉନ୍ନୟନ ବିଭାଗ ମୋ ସରକାର ଅଧୀନରେ ଆହୁରିି ଅଧିକ ସୁଦୃଢ ଭାବେ କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆବଶ୍ୟକ ଦକ୍ଷତା ବୃ୍‌ଦ୍ଧି, ବୈଷୟିକ ସହାୟତା, ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯିବ। ଏହା ନିଶ୍ଚୟ ମୋ ସରକାର କାର୍ଯ୍ୟକ୍ରମର ଲକ୍ଷ୍ୟ ହାସଲ କରିବ ବୋଲି ମୁଖ୍ୟମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.