banner
Breaking

ବଢ଼ିବ ବିଧାୟକଙ୍କ ଦରମା

0

ଭୁବନେଶ୍ୱର :ବିଧାୟକ ମାନଙ୍କର ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ଏନେଇ ଗଠିତ କମିଟି ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଶୀତ ଅଧିବେଶନରେ ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ବିଭିନ୍ନ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ଦରମା,ଭତ୍ତା ଓ ସୁବିଧା ସୁଯୋଗକୁ ଅନୁଧ୍ୟାନ କରିବା ପରେ କମିଟି ଓଡ଼ିଶାରେ ବିଧାୟକମାନଙ୍କ ଦରମା ଓ ଅନ୍ୟାନ୍ୟ ସୁବିଧାରେ ବୃଦ୍ଧି ହେବା ସପକ୍ଷରେ ମତ ଦେଇଛି। ବାଚସ୍ପତିଙ୍କ ନିର୍ଦ୍ଦେଶରେ ବରିଷ୍ଠ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ପରାମର୍ଶଦାତା କମିଟିର ଚତୁର୍ଥ ବୈଠକ ଗୁରୁବାର ବିଧାନସଭା ପରିସରରେ ଅନୁଷ୍ଠିତ ହୋଇଛି। ଏ ସମ୍ପର୍କରେ ଅମର କହିଛନ୍ତି ଯେ, ବିଧାୟକଙ୍କ ଦରମା ଓ ଭତ୍ତା ବୃଦ୍ଧି ସଂକ୍ରାନ୍ତ ଦାବି ଉପରେ କମିଟି ବିଚାରବିମର୍ଶ କରିଛି। ଆସନ୍ତା ଶୀତ ଅଧିବେଶନରେ କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିବ। ବୈଠକରେ କମିଟିର ସଦସ୍ୟ ଥିବା ଭାଜପା ମୁଖ୍ୟ ସଚେତକ ମୋହନ ମାଝି ଓ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଅନୁପସ୍ଥିତ ଥିବାରୁ କମିଟି ପୁଣିଥରେ ବୈଠକ କରି ଦରମା ଓ ଭତ୍ତା ଆଦିର ଚୂଡ଼ାନ୍ତ କରିବ। ତେବେ ବୈଠକରେ ରାଜ୍ୟର ବିଧାୟକମାନେ ଏବେ ପାଉଥିବା ଦରମା,ଭତ୍ତା ଓ ସୁବିଧା ସୁଯୋଗ ସହ ଅନ୍ୟ ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ସୁବିଧା ସୁଯୋଗ ଆଦିର ସମୀକ୍ଷା କରାଯାଇଥିଲା ବୋଲି ସେ କହିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ଦଳଗତ ନିର୍ବିଶେଷରେ ବିଧାୟକମାନେ ସେମାନଙ୍କର ଦରମା ଓ ଅନ୍ୟାନ୍ୟ ଭତ୍ତା ବୃଦ୍ଧି କରିବାକୁ ବିଧାନସଭାରେ ବହୁବାର ଦାବି କରିଛନ୍ତି। ଏହି ଦାବିକୁ ଦୃଷ୍ଟିରେ ରଖି ବାଚସ୍ପତି ଏକ କମିଟି ଗଠନ କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.