banner
Breaking

୧୦୦୦ ଜଣଙ୍କୁ ମିଳିଲା ପଠାଣିସାମନ୍ତ ମେଧାବୃତ୍ତି

0

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ଦ୍ୱାଦଶ ଶ୍ରେଣୀର ୧୦୦୦ ମେଧାବୀ ଛାତ୍ରୀଛାତ୍ରଙ୍କୁ ୨୦୨୦-୨୧୨୦୨୧-୨୨ ଶିକ୍ଷାବର୍ଷ ପାଇଁ ‘ପଠାଣି ସାମନ୍ତ ଗଣିତ ମେଧାବୃତ୍ତି’ ପ୍ରଦାନ କରାଯାଇଛି। ପ୍ରତ୍ୟେକଙ୍କୁ ୧୦ ହଜାର ଟଙ୍କା ଲେଖାଏ ମୋଟ୍‌ ୧ କୋଟି ଟଙ୍କା ଦିଆଯାଇଛି। ଏହି ବୃତ୍ତି ମାଟ୍ରିକ ପରୀକ୍ଷାରେ ସାମଗ୍ରିକ ଭାବରେ ଓ ବିଶେଷକରି ଗଣିତରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଛାତ୍ରୀଛାତ୍ରଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଦାନ କରିଥାନ୍ତି। ମୋଟ ୧,୦୨୭ଜଣ ଛାତ୍ରୀଛାତ୍ର ଷ୍ଟେଟ୍‌ ସ୍କଲାରଶିପ୍‌ ପୋର୍ଟାଲ https://scholarship.odisha.gov.inରେ ଆବେଦନ କରିଥିଲେ। ଅଧ୍ୟକ୍ଷଙ୍କ ସୁପାରିସ ଆଧାରରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ୱାରା ୧ ହଜାର ମେଧାବୀଙ୍କୁ ବୃତ୍ତି ପ୍ରଦାନ କରାଯାଇଛି।
ସେହିପରି ୨୦୨୧-୨୨ ଶିକ୍ଷା ବର୍ଷରେ ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧ ହଜାର ମେଧାବୀ ଛାତ୍ରୀଛାତ୍ରଙ୍କୁ ୫ହଜାର ଟଙ୍କା ଲେଖାଏ ‘ପଠାଣି ସାମନ୍ତ ଗଣିତ ମେଧାବୃତ୍ତି’ ପ୍ରଦାନ ପାଇଁ ଷ୍ଟେଟ୍‌ ସ୍କଲାରଶିପ୍‌ ପୋର୍ଟାଲ ମାଧ୍ୟମରେ ଆବେଦନ ପାଇଁ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି ଏକାଦଶ ଶ୍ରେଣୀରେ ଅଧ୍ୟୟନରତ ୧୦ହଜାର ଗରିବ ଓ ମେଧାବୀ ଛାତ୍ରୀଛାତ୍ରଙ୍କୁ ବାର୍ଷିକ ୩ହଜାର ଟଙ୍କା ଲେଖାଏ କନିଷ୍ଠ ମେଧାବୃତ୍ତି ପ୍ରଦାନ ପାଇଁ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଆବେଦନ ପାଇଁ ଶେଷ ତାରିଖ ଡିସେମ୍ବର ୫ ରହିଥିଲା। କିନ୍ତୁ ଶେଷ ତାରିଖ ସୁଦ୍ଧା ମାତ୍ର ୧,୯୨୮ ଛାତ୍ରୀଛାତ୍ର ଆବେଦନ କରିଥିବାରୁ ଏହାକୁ ଆସନ୍ତା ୨୭ ତାରିଖକୁ ବୃଦ୍ଧି କରାଯାଇଛି। ଏହି ବୃତ୍ତି ପାଇଁ ସିବିଏସ୍‌ଇ, ଆଇସିଏସ୍‌ଇ, ସିଏଚ୍‌ଏସ୍‌ଇ ଆଦି ବୋର୍ଡ ଅଧୀନରେ ପଢୁଥିବା ଶତକଡ଼ା ୬୦ ପ୍ରତିଶତ ନମ୍ବର ରଖିଥିବା ଛାତ୍ରୀଛାତ୍ରମାନେ ଆବେଦନ କରିପାରିବେ। ଛାତ୍ରୀଛାତ୍ରମାନେ ବହୁ ସଂଖ୍ୟାରେ ଆବେଦନ କରିବା ପାଇଁ ଉତ୍ସାହିତ କରିବାକୁ ଅଧକ୍ଷମାନଙ୍କୁ ନିବେଦନ କରାଯାଇଛି। ଛାତ୍ରୀଛାତ୍ରମାନେ ଏହାର ସୁଯୋଗ ନେବା ସଙ୍ଗେ ସଙ୍ଗେ ଅଧ୍ୟୟନରେ ମନଯୋଗୀ ହୁଅନ୍ତୁ ବୋଲି ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ଆହ୍ବାନ ଦେଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.