banner
Breaking

ପରଲୋକରେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ୍.କରୁଣାନିଧି, ତାମିଲନାଡୁରେ ଶୋକର ଛାୟା

0

ଚେନ୍ନାଇ: ଦକ୍ଷିଣ ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ଯଥା ଡିଏମ୍‌କେ ସୁପ୍ରିମୋ ଏମ୍‌ କରୁଣାନିଧିଙ୍କର ୯୪ ବର୍ଷ ବୟସରେ ମଙ୍ଗଳବାର ବିୟୋଗ ଘଟିଛି। ଚେନ୍ନାଇର କାବେରୀ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି। ଦେଶର ଜଣେ ବର୍ଷିୟାନ୍‌ ରାଜନେତା ଏମ୍‌.କରୁଣାନିଧି ମାତ୍ର ୧୪ ବର୍ଷ ବୟସରେ ରାଜନୈତିକ ଜୀବନ ଆରମ୍ଭ କରି ୧୩ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ପାଞ୍ଚ ଥର ତାମିଲନାଡୁର ମୁଖ୍ୟମନ୍ତ୍ରୀ ଆସନ ଅଳଂକୃତ କରିିଥିବା ଏମ୍‌.କରୁଣାନିଧି କେବେ ହେଲେ ନିର୍ବାଚନ ହାରିନାହାନ୍ତି। ସଂପୂର୍ଣ୍ଣ ରାଜନୈତିକ କ୍ୟାରିୟର୍‌ରେ ସେ ରହିଛନ୍ତି ଅପରାଜେୟ। କେବଳ ସେତିକି ନୁହେଁ, କୌଣସି ରାଜନୈତିକ ଦଳର ସଭାପତି ଭାବେ ସର୍ବାଧିକ କାଳ କାର୍ଯ୍ୟ କରିବା ରେକର୍ଡର ମଧ୍ୟ ଅଧିକାରୀ ହେଉଛନ୍ତି ସ୍ୱର୍ଗତଃ କରୁଣାନିଧି।

୧୯୨୪ ମସିହା ଜୁଲାଇ ୩ ତାରିଖରେ ଜନ୍ମଗ୍ରହଣ କରିଥିବା ଏହି ଦ୍ରାବିଡ କିମ୍ବଦନ୍ତୀ ପୁରୁଷ ଦୀର୍ଘ ୫୦ ବର୍ଷ ଧରି ଡିଏମ୍‌କେର ଅଧ୍ୟକ୍ଷ ପଦରେ ଅଧିଷ୍ଠିତ ଥିଲେ। ୧୯୫୭ ମସିହାରେ କରୁଣାନିଧି ପ୍ରଥମେ ତାମିଲନାଡୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ ତାଙ୍କୁ ଆଉ ପଛକୁ ଫେରି ଚାହିଁବାକୁ ପଡ଼ିନାହିଁ। ସେ ଶେଷ ଥର ଲାଗି ୨୦୦୬ ମସିହାରେ ୮୨ ବର୍ଷ ବୟସରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ।

ଜଣେ ସଫଳ ରାଜନୀତିଜ୍ଞ ହେବା ସହ ଏମ୍‌.କରୁଣାନିଧି ଥିଲେ ଜଣେ ପ୍ରତିଷ୍ଠିତ ସିନେ-କାହାଣୀକାର ଓ ଚିତ୍ରନାଟ୍ୟକାର। ୧୯୪୭ ମସିହାରେ ତାଙ୍କ ଲିଖିତ ପ୍ରଥମ ଚଳଚ୍ଚିତ୍ର ‘ରାଜକୁମାରୀ’ ମୁକ୍ତି ଲାଭ କରିଥିଲା। ୧୯୫୨ରେ ତାଙ୍କ ଲିଖିତ ପ୍ରଥମ ହିଟ ଚଳଚ୍ଚିତ୍ର ‘ପରାଶକ୍ତି’ ମୁକ୍ତିଲାଭ କରିଥିଲା।

ତାଙ୍କୁ ୧୪ ବର୍ଷ ହେବା ବେଳକୁ ସେ ହିନ୍ଦୀ ବିରୋଧୀ ଆନ୍ଦୋଳନରେ ଯୋଗ ଦେଇଥିଲେ ଓ ପରବର୍ତ୍ତୀ ବର୍ଷମାନଙ୍କରେ ଦ୍ରାବିଡ଼ ରାଜନୀତିର ଏକ ମୁଖ୍ୟ ଚେହେରା ପାଲଟିଥିଲେ । ତାମିଲନାଡୁ ରାଜନୀତିର ୩ଜଣ ସ୍ତମ୍ଭ ମଧ୍ୟରେ ସେ ଅନ୍ୟତମ । ଏହି ୩ ଜଣ ହେଲେ ସି.ଏନ ଆନ୍ନାଦୁରାଇ, ଏମଜି ରାମଚନ୍ଦ୍ରନ ଓ ଏମ.କରୁଣାନିଧି ।

ଉଲ୍ଲେଖଯୋଗ୍ୟ, ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ କରୁଣାନିଧିଙ୍କୁ ଗତ ଜୁଲାଇ ୨୮ ତାରିଖଠାରୁ କାବେରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଏମ୍‌ କରୁଣାନିଧିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ବେଳେ ଗତକାଲି ଅପରାହ୍ନରେ ହଠାତ ସ୍ୱାସ୍ଥ୍ୟାବସ୍ଥା ଅବନତି ଘଟିବା ସହ ସଙ୍କଟଜନକ ଅବସ୍ଥା ଆଡ଼କୁ ଗତି କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.