banner
Breaking

ସ୍ବାସ୍ଥ୍ୟ ଉପରେ ଗୁରୁତ୍ୱ। ନିଯୁକ୍ତି ପାଇବେ ୨୦୦୦ ଡାକ୍ତର

0

ଭୁବନେଶ୍ୱର,୩/୮(ଓଡ଼ିଆ ନ୍ୟୁଜ)  ରାଜ୍ୟ ସରକାର ୨ହଜାର ଏଲଟିଆରଏମଓ ଡାକ୍ତରୀ ପଦବୀ ସୃଷ୍ଟି କରିଛନ୍ତି। ଏହି ଡାକ୍ତରମାନେ ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର(ଏଲଟିଆରଏମଓ) ଭାବେ କାର୍ୟ୍ୟ କରିବେ। ରାଜ୍ୟ ସରକାର ଆଜି ଏ ସମ୍ପର୍କରେ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ଲିଖିତ ଭାବେ ଅବଗତ କରାଇଛନ୍ତି।

ଗୃପ-ଏ କନିଷ୍ଠ ଶାଖାରେ ଏହି ପଦବୀ ସୃଷ୍ଟି ହୋଇଥିବା ନେଇ କମିଶନର ତଥା ସଚିବ ଡା. ପ୍ରମୋଦ କୁମାର ମେହେର୍ଦ୍ଦା ତାଙ୍କ ପତ୍ରସଂଖ୍ୟା ୧୯୫୪୭ରେ ମହାଲେଖ ଅଧିକ୍ଷକଙ୍କୁ ସୂଚିତ କରିଛନ୍ତି। ଏହି ପ୍ରସ୍ତାବକୁ ରାଜ୍ୟପାଳଙ୍କ ସ୍ବୀକୃତି ମିଳିଥିବା ନେଇ ଡା.ମେହେର୍ଦ୍ଦା ତାଙ୍କ ପତ୍ରରେ ସୂଚିତ କରିଥିବା ବେଳେ ଏହି ପଦବୀରେ ନିଯୁକ୍ତି ନିମନ୍ତେ ବେତନ ହାର ଓ ଅନ୍ୟାନ୍ୟ ନିଯୁକ୍ତି ସର୍ତ୍ତାବଳୀ ଓଆରଏସି ରୁଲସ ୨୦୧୭ ଅନୁସାରେ ହେବ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ ଏବେ ରାଜ୍ୟରେ ମୋଟ ୬୭୧୯ଟି ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ରହିଛି। ଏଥିରୁ ୩୪୩୧ଜଣ ଡାକ୍ତର ବିଭିନ୍ନ ଡାକ୍ତରଖାନାରେ କାର୍ୟ୍ୟରତ ଅଛନ୍ତି। ଖାଲି ପଡ଼ିଥିବା ୩୨୮୮ଟି ପଦବୀ ମଧ୍ୟରୁ ୧୯୯୧ଜଣ ଡାକ୍ତର ବିଭିନ୍ନ ମେଡିକାଲ କଲେଜରେ ପିଜି, ରେସିଡେଣ୍ଟ ଡାକ୍ତର, ସହାୟକ ପ୍ରଫେସର ଭାବେ ଆଡହକ୍ ଭାବେ କାର୍ୟ୍ୟ କରୁଛନ୍ତି। ଡାକ୍ତରମାନଙ୍କ ଅଭାବକୁ ପୂରଣ କରିବା ନିମନ୍ତେ ରାଜ୍ୟ ସରକାର ୨୦୦୦ଟି ନୂଆ ଏଲଟିଆରଏମଓ ପଦବୀ ସୃଷ୍ଟି କରିଛନ୍ତି। ୩୭୪ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ୫ ଜଣ ଲେଖାଏଁ ନିଯୁକ୍ତି ପାଇବେ।

Khansweb Solution Bhubaneswar

Leave A Reply

Your email address will not be published.