banner
Breaking

ପ୍ରେମ ପାଗଳୀ ହୋଇ ବନ୍ଧା ହେଲେ

0

ଭୁବନେଶ୍ୱର, ୩୦।୪ (ବ୍ୟୁରୋ): ପ୍ରେମରେ ଅନ୍ଧ ହୋଇ ଏକ ଘରୋଇ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୯୭ଲକ୍ଷ ଟଙ୍କା ହଡ଼ପ କରିଥିଲେ ମହିଳା ଆକାଉଣ୍ଟାଣ୍ଟ। ଉକ୍ତ ଟଙ୍କାକୁ ପ୍ରେମିକଙ୍କ ପାଖକୁ ପଠାଇ ନିଜ ସ୍ବପ୍ନକୁ ସାକାର କରିବାକୁ ଚାହିଁ ବସିଥିଲେ। ହେଲେ ଯାହା ପାଇଁ ମାଲିକଙ୍କ ବିଶ୍ୱାସରେ ବିଷ ଦେଇ ଟଙ୍କା ହଡ଼ପ କରିଥିଲେ, ସେ ମଧ୍ୟ ଶେଷରେ ଧୋକାଦେଲେ। ତେବେ ଶିକ୍ଷାନୁଷ୍ଠାନ ପକ୍ଷରୁ ଅଭିଯୋଗ ପରେ ଶେଷରେ ବନ୍ଧା ହୋଇଛନ୍ତି ସମ୍ପୃକ୍ତା ଆକାଉଣ୍ଟାଣ୍ଟ। ସେ ହେଲେ ତମାଣ୍ଡୋ ଅଞ୍ଚଳରେ ଥିବା ସି.ଭି. ରମଣ ଗ୍ଲୋବାଲ ୟୁନିଭର୍ସିଟିର ଆକାଉଣ୍ଟାଣ୍ଟ କଟକ ଜିଲା ୪୨ମୌଜାର ପାୟଲ ମହାପାତ୍ର (୨୭)। ପୋଲିସ ମାମଲା (ନଂ.୧୧୦/୨୨) ରୁଜୁ କରି ଅଭିଯୁକ୍ତା ପାୟଲଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅନ୍ୟପକ୍ଷରେ ଟଙ୍କା ନେଇଥିବା ପ୍ରେମିକ ଝାଡ଼ଖଣ୍ଡ ରାଞ୍ଚତ୍ର ବିକାଶ କୁମାର ବୋଲି ଜଣାପଡ଼ିଛି। ତାଙ୍କୁ ଗିରଫ କରିବାକୁ ଏକ ସ୍ବତନ୍ତ୍ର ଟିମ୍‌ ଝାଡ଼ଖଣ୍ଡ ଯିବ ବୋଲି ଅତିରିକ୍ତ ଡିସିପି ପ୍ରକାଶ ଚନ୍ଦ୍ର ପାଲ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ଅନୁଯାୟୀ, ପାୟଲ ସିଭି ରମଣ ବିଶ୍ୱବିଦ୍ୟାଳୟରେ ୨୦୧୭ ଫେବୃୟାରୀରୁ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରନ୍ତି। ତେବେ ୨୦୧୯ରେ ପାସ୍‌ ଆଉଟ୍‌ ଛାତ୍ର ବିକାଶ କୁମାରଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା। ପରବର୍ତ୍ତୀ ସମୟରେ ପାୟଲଙ୍କୁ ପ୍ରେମ ଜାଲରେ ଫସାଇଥିଲେ ବିକାଶ। ଉଭୟ ପରସ୍ପରକୁ ଭଲ ପାଇ ବସିଥିଲେ। ପାଠପଢ଼ା ସରିବା ପରେ ବିକାଶ ଝାଡ଼ଖଣ୍ଡ ଚାଲିଯାଇଥିଲେ ମଧ୍ୟ ପାୟଲଙ୍କ ସହ ସବୁବେଳେ ଯୋଗାଯୋଗରେ ରହୁଥିଲେ। ବାପା ଓ ମା’ଙ୍କ ଦେହ ଖରାପ କହି ବିକାଶ ପ୍ରେମିକା ପାୟଲଙ୍କୁ ବାରମ୍ବାର ଟଙ୍କା ମାଗିଥିଲେ। ପ୍ରେମରେ ଅନ୍ଧ ହୋଇଯାଇଥିବା ପାୟଲ ଟଙ୍କା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲେ। ନିଜେ ବିଶ୍ୱବିଦ୍ୟାଳୟର ଟଙ୍କା କାରବାର ଦାୟିତ୍ୱରେ ଥିବାରୁ ତାହାକୁ ହଡ଼ପ କରିବାକୁ ସେ ଚିନ୍ତା କରିଥିଲେ। ତାଙ୍କ କାର୍ଯ୍ୟଥିଲା ଛାତ୍ରୀଛାତ୍ରଙ୍କଠାରୁ ଫି’ ସଂଗ୍ରହ କରି ଜେନେରାଲ ମ୍ୟାନେଜରଙ୍କୁ (ଆକାଉଣ୍ଟ୍‌ସ) ଜଣାଇ ଶିକ୍ଷାନୁଷ୍ଠାନ ଆକାଉଣ୍ଟରେ ଜମା କରିବା। କିନ୍ତୁ ସେ ପିଲାଙ୍କ ଟଙ୍କାକୁ ଉକ୍ତ ଆକାଉଣ୍ଟରେ ନ ରଖି ନିଜ ନାମରେ ଥିବା ୟୁନିଅନ ବ୍ୟାଙ୍କ ମହୁରା ଶାଖା ଓ ଆକ୍ସିସ୍‌ ବ୍ୟାଙ୍କ୍‌ ବାଦାମବାଡ଼ି ଶାଖା ଆକାଉଣ୍ଟରେ ଜମା କରୁଥିଲେ। ତାହାକୁ ଫୋନ୍‌ ପେ’ ଓ ଇ-ଟ୍ରାଞ୍ଜାକ୍ସନ ମାଧ୍ୟମରେ ପ୍ରେମିକ ବିକାଶ ପାଖକୁ ପଠାଉଥିଲେ। ଅଭିଯୋଗର ୭ଦିନ ପୂର୍ବରୁ ବିଶ୍ୱବିଦ୍ୟାଳୟର ବାର୍ଷିକ ଅଡିଟ୍‌ ସମୟରେ ଟଙ୍କା ଜମାରେ ହେରଫେର ହୋଇଥିବା ଜଣାପଡିଥିଲା। ଏହାପରେ ଦାୟିତ୍ୱରେ ଥିବା ସମସ୍ତ କର୍ମଚାରୀଙ୍କୁ ଏନେଇ ପଚରାଉଚରା କରିବାରୁ ପାୟଲ ଟଙ୍କା ନେଇଥିବା ମାନିଥିଲେ। ଏନେଇ ବିଶ୍ୱବିଦ୍ୟାଳୟର ଜେନେରାଲ ମ୍ୟାନେଜର (ଆକାଉଣ୍ଟ୍‌ସ) ଫିରୋଦ କୁମାର ଶତପଥୀଙ୍କ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ପାୟଲଙ୍କୁ ତାଙ୍କ ଅଫିସରୁ ଗିରଫ କରିଥିଲା। ପୋଲିସ ପଚରାଉଚୁରାବେଳେ ସେ ବିକାଶଙ୍କ ପାଖକୁ ୯୭ଲକ୍ଷ ଟଙ୍କା ପଠାଇଥିବା କହିଥିଲେ। ଫଳରେ ପୋଲିସ ପାୟଲଙ୍କ ପ୍ରେମିକ ବିକାଶଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ରହିଥିବା ଜଣାପଡିଛି।

Khansweb Solution Bhubaneswar

Leave A Reply

Your email address will not be published.