banner
Breaking

ତିନି ଘଣ୍ଟା ବିଳମ୍ବରେ ଉଠିଲା ମହାଦୀପ

0

ଭୁବନେଶ୍ୱର: ପ୍ରାୟ ୩ ଘଣ୍ଟା ବିଳମ୍ବରେ ରାତି ୧ ଟା ୦୮ ମିନିଟରେ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ ଉଠିଛି। ମହାଦୀପ ଦର୍ଶନ ପରେ ବ୍ରତାଧାରୀମାନେ ନିଜ ବ୍ରତ ସମାପନ କରିଛନ୍ତି। ଆଜି ମହାଦୀପ ଉଠିବା ବେଳେ ଭକ୍ତଙ୍କ ହୁଳହୁଳି ଏବଂ ହର ହର ମହାଦେବ ଧ୍ୱନରି ପ୍ରକମ୍ପିତ ହୋଇ ଉଠିଥିଲା ଗଗନ-ପବନ। ମହାପ୍ରଭୁଙ୍କ ମହାଦୀପକୁ ନେଇ ସେବାୟତମାନେ ମନ୍ଦିର ଉପରକୁ ଚଢ଼ୁଥିଲା ବେଳେ ହରିବୋଲ ଓ ହୁଳହୁଳିରେ ଏକାମ୍ର ‌କ୍ଷେତ୍ର କମ୍ପିଥିଲା।

ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ନିଆଯାଇଥିଲା ଯେ ଠିକ ସମୟରେ ରୀତିନୀତି ଶେଷ ହେବ ଏବଂ ମହାଦୀପ ରାତି ୧୦ ଟା ସମୟରେ ଉଠିବ। ହେଲେ ପୂର୍ବ ନିଷ୍ପତ୍ତି ଅନୁଯାୟୀ ମହାଦୀପ ଠିକ ସମୟରେ ଉଠିପାରିନାହିଁ। ବିଳମ୍ବ ହେଉଥିବା ଦେଖି ମନ୍ତ୍ରୀ ଅଶୋକ ପଣ୍ଡା ମନ୍ଦିର ପ୍ରଶାସନର ଅଧିକାରୀଙ୍କ ସହ ସେବାୟତଙ୍କ ସହ ଆଲୋଚନା କରିଥିଲେ। ପରେ ସେବାୟତମାନେ ଯଥାଶୀଘ୍ର ରୀତିନୀତି ଶେଷ କରିବାକୁ ରାଜି ହୋଇଥିଲେ। ଗତ ବର୍ଷ ଲିଙ୍ଗରାଜ ମନ୍ଦିରର ମହାଦୀପ ନିର୍ଦ୍ଧାରିତ ସମୟ ରାତି ୧୦ଟା ଥିଲା। ହେଲେ ଅଧଘଣ୍ଟାଏ ପୂର୍ବରୁ ଏହା ସମ୍ପୂର୍ଣ୍ଣ ହୋଇଥିଲା।

ଏଥର ପୂଜା ପାଇଁ କୌଣସି କଟକଣା ନଥିଲା। ତେଣୁ ଜାଗର ପାଳିବା ପାଇଁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଏକାମ୍ରକ୍ଷେତ୍ରକୁ। ଖରା ସତ୍ତ୍ୱେ ଲୋକେ ଉପବାସ କରି ଭୋଳାବାବାଙ୍କ ଦର୍ଶନ କରିଥିଲେ। ତେଣୁ ୩ଟାରୁ ମନ୍ଦିରକୁ ଭକ୍ତଙ୍କ ସୁଅ ଛୁଟିଥିଲା। ରାତି ବଢ଼ିବା ସହ ମହାଦୀପ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଥିଲା। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଖି ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିର ଚୂଡ଼ାରେ ଲାଖି ରହିଥିଲା।

Khansweb Solution Bhubaneswar

Leave A Reply

Your email address will not be published.