banner
Breaking

୪୦ତମ ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା

0

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ୨୦୨୨ ମସିହା ପାଇଁ ‘୪୦ତମ ରାଜ୍ୟ ଚାରୁକଳା ପୁରସ୍କାର’ ଘୋଷଣା କରାଯାଇଛି। ୮ଜଣ ଶିଳ୍ପୀ ଏହି ପୁରସ୍କାର ପାଇବେ। ସେମାନେ ହେଲେ ଭାସ୍କର୍ଯ୍ୟରେ ଶିଳ୍ପୀ ପ୍ରତାପ ଚନ୍ଦ୍ର ଜେନା ଓ ଅଶାନ୍ତ ଦାସ, ମୁଦ୍ରଣ କଳାରେ ରବି ନାରାୟଣ ଗୁପ୍ତା ଓ ଟୁକୁନା ଡାକୁଆ, ଚିତ୍ରକଳାରେ ଅମିତ କୁମାର ଓଝା ଓ ସୀତିକାନ୍ତ ସାମନ୍ତସିଂହାର ଏବଂ ପାରମ୍ପରିକ ଚିତ୍ରରେ ରୋନିବାଳା ମହାପାତ୍ର ଓ ନିରଞ୍ଜନ ମୁଖୀ। ଏକ ସ୍ବତନ୍ତ୍ର ଉତ୍ସବରେ ମନୋନୀତ ଶିଳ୍ପୀମାନଙ୍କୁ ୨ ଲକ୍ଷ ଟଙ୍କା ପୁରସ୍କାର ରାଶି, ତାମ୍ର ଫଳକ, ପ୍ରମାଣ ପତ୍ର ଓ ଉପଢ଼ୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯିବ। ଏହି ଅବସରରେ ଶିଳ୍ପୀଙ୍କ ଶ୍ରେଷ୍ଠ କଳାକୃତିଗୁଡ଼ିକର ଏକ ରଙ୍ଗିନ ଚିତ୍ରପୁସ୍ତିକା ମଧ୍ୟ ଉନ୍ମୋଚନ କରାଯିବ ବୋଲି ବୁଧବାର ଏକାଡେମୀ ପକ୍ଷରୁ ସୂଚନା ଦିଆଯାଇଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ୪୦ତମ ରାଜ୍ୟସ୍ତରୀୟ ଚାରୁକଳା ପ୍ରଦର୍ଶନୀ ନିମନ୍ତେ ଓଡ଼ିଶାର ଶିଳ୍ପୀଙ୍କଠାରୁ କଳାକୃତିର ଫଟୋଗ୍ରାଫ୍‌ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ବିଚାରକମଣ୍ଡଳୀଙ୍କ ସୁପାରିସ ଅନୁସାରେ ୧୭୩ଜଣ ଶିଳ୍ପୀଙ୍କ କଳାକୃତିକୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ମନୋନୀତ କରାଯାଇଥିଲା। ପରେ ଦେଶର ବିଶିଷ୍ଟ ଶିଳ୍ପୀଙ୍କୁ ନେଇ ୫ ଜଣିଆ ବିଚାରକ ମଣ୍ଡଳୀ ୮ ଜଣ ଶିଳ୍ପୀଙ୍କୁ ସେମାନଙ୍କର ଶ୍ରେଷ୍ଠ କୃତି ପାଇଁ ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ନିମନ୍ତେ ସୁପାରିଶ କରିଥିଲେ। ଉକ୍ତ ଚୂଡାନ୍ତ ତାଲିକା ଏକାଡେମୀର କାର୍ଯ୍ୟକାରୀ ସମିତି ବୈଠକରେ ଅନୁମୋଦନ ପାଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ଦ୍ୱାରା ଏକାଡେମୀ ସଭାପତି ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଉପସଭାପତି ଶ୍ରୀନିବାସ ପଢିଆରୀ, କାର୍ଯ୍ୟକାରୀ କମିଟି ସଦସ୍ୟ ମହେନ୍ଦ୍ର ପ୍ରସାଦ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ସାହୁ, ଅକ୍ଷୟ କୁମାର ସାମଲ ଓ ଶ୍ୟାମ ସୁନ୍ଦର ମେହେରଙ୍କ ଉପସ୍ଥିତିରେ ରାଜ୍ୟ ପୁରସ୍କାର ଘୋଷଣା କରାଯାଇଛି। ଏକାଡେମୀର ସଚିବ ପଞ୍ଚାନନ ସାମଲ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ

Khansweb Solution Bhubaneswar

Leave A Reply

Your email address will not be published.