banner
Breaking

ପୁଣି ସୃଷ୍ଟି ହେଲା ଲଘୁଚାପ, ହୋଇପାରେ ଝଡବାତ୍ୟା

0

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ ଝଡ଼ବାତ୍ୟାରେ ପରିଣତ ହେବା ଆଶଙ୍କା ରହିଛି। ଆସନ୍ତା ୧୭ ତାରିଖ ସନ୍ଧ୍ୟା କିମ୍ବା ୧୮ ତାରିଖ ସକାଳେ ଏହା ଆନ୍ଧ୍ର ଉପକୂଳ ଅତିକ୍ରମ କରିବା ନେଇ କେତେକ ପାଣିପାଗ ମଡେଲ ଅନୁମାନ କରିଛି। ଲଘୁଚାପ ବାତ୍ୟାରେ ପରିଣତ ହେବ କି ନାହିଁ ତାହା ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ଜଣାପଡ଼ିବ। ଲଘୁଚାପ ଘନୀଭୂତ ହୋଇ ଆନ୍ଧ୍ର ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ବିଶେଷକରି ଗଞ୍ଜାମ ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି ଜିଲାରେ ପ୍ରବଳ ବର୍ଷା ହୋଇପାରେ। ଉପକୂଳ ଜିଲାରେ ମଧ୍ୟ ଏହାର ପ୍ରଭାବ ରହିବ। ଆକାଶ ମେଘାଚ୍ଛନ୍ନ ସାଙ୍ଗକୁ ହାଲୁକା ବର୍ଷା ହେବ ବୋଲି ଅନୁମାନ କରାଯାଇଛି।
ବୁଧବାର ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟରେ ପାଗ କୋହଲା ରହିବା ସହ ମେଘୁଆ ରହିଛି। ଏଥିଯୋଗୁ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାର କେତେକ ଜିଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହୋଇଛି। ଆସନ୍ତା ୧୬ ତାରିଖ ଯାଏ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ଆଶଙ୍କା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ଗଞ୍ଜାମ, ଗଜପତି, ରାୟଗଡ଼ା, ପୁରୀ, କଟକ, ଜଗତ୍‌ସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଢେଙ୍କାନାଳ ଆଦି ଜିଲାରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଲଘୁଚାପ ଯୋଗୁ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଗୁରୁବାର କେବଳ ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ସେଲସିୟସ ଥିବାବେଳେ ରାଜ୍ୟର ଅନ୍ୟାନ୍ୟ ସହରରେ ତାପମାତ୍ରା ୧୫ ଡିଗ୍ରୀ ଉପରେ ରହିଛି।

Khansweb Solution Bhubaneswar

Leave A Reply

Your email address will not be published.