କିସ୍‌ରେ ମହାଅଭିଭାବକ ସମ୍ମିଳନୀ ଏକଜୁଟ ହେଲେ୧ଲକ୍ଷ ଜନଜାତି ଅଭିଭାବକ

ଭୁବନେଶ୍ୱର, ୨୨ ।୧: ଚଳିତବର୍ଷ କିସ୍ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କୁ ନେଇ ରବିବାର ଏକ ମହାଅଭିଭାବକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡି଼ଶାର ୩୦ଜିଲ୍ଲାରୁ ୬୦ହଜାର ଅଭିଭାବକ, ପୁରାତନ ଛାତ୍ରଛାତ୍ରୀ ଓ ୩୦ ହଜାର ଛାତ୍ରଛାତ୍ରୀଙ୍କୁ ମିଶାଇ କିସରେ ୧ଲକ୍ଷ ଜନସମାଗମ ହୋଇଥିଲା। ଅଭିଭାବକମାନେ ଯେପରି ସୁରୁଖୁରୁରେ କିସରେ ପହଞ୍ଚି ସମ୍ମିଳନୀରେ ଯୋଗଦେବେ ସେଥିପାଇଁ କିସ୍‍ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ସେମାନଙ୍କ ରହିବାଠାରୁ ଆରମ୍ଭ କରି ଖାଇବା ପର୍ଯ୍ୟନ୍ତ ସବୁକିଛି ସୁଚାରୁ ରୂପେ ବ୍ୟବସ୍ଥିତ କରାଯାଇଥିଲା। ଦୂର ଦୂରାନ୍ତରୁ ଆଜି ସକାଳୁ ଅଭିଭାବକମାନେ କିସରେ ପହଞ୍ଚିଥିଲେ। ଅଭିଭାବକମାନେ ଯେପରି ସୁରୁଖୁରୁରେ ସେମାନଙ୍କ ପିଲାମାନଙ୍କ ଭଲମନ୍ଦ ବୁଝିପାରିବେ ସେଥିପାଇଁ କିସ୍‍ ପରିସରରେ ଜିଲ୍ଲାୱାରୀ ଷ୍ଟଲ୍‍ମାନ ଖୋଲାଯାଥିଲା।
ସମ୍ମିନଳୀରେ ସମସ୍ତ ଜନଜାତି ଅଭିଭାବକ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ। ଅଭିଭାବକମାନେ କହିଲେ, ଜଣେ ବ୍ୟକ୍ତିଙ୍କୁ ୨୫ବର୍ଷ ବୟସ ହୋଇଥିବା ବେଳେ ସମଗ୍ର ଜନଜାତିଙ୍କ ବିକାଶ କଥା ଚିନ୍ତାକଲେ ଏବଂ ଅତି ସାହସର ସହ କିସ୍‍ ଭଳି ଅନୁଷ୍ଠାନ ପ୍ରତିଷ୍ଠା କରି ଜନଜାତିଙ୍କୁ ମୁଖ୍ୟସ୍ରୋତରେ ସାମିଲ କରାଇପାରିଲେ। ଶ୍ରୀ ସାମନ୍ତ କିସ୍‍କୁ ଏକ ସଫଳ ଅନୁଷ୍ଠାନରେ ପରିଣତ କରିବା ସହ କିସରେ ପଢ଼ୁଥିବା ପ୍ରତ୍ୟେକଟି ପିଲାକୁ ଜଣେ ଜଣେ ସଫଳ ମଣିଷ କରି ଗଢ଼ି ତୋଳିଛନ୍ତି ବୋଲି ସେମାନେ କହିଥିଲେ। ଗତ ୩୦ ବର୍ଷ ମଧ୍ୟରେ ବହୁ ବାଧାବିଘ୍ନ ଆସିଥିଲେ ମଧ୍ୟ ଶ୍ରୀ ସାମନ୍ତ ସେଥିପ୍ରତି ଭ୍ରୁକ୍ଷେପ ନକରି ଜନଜାତିଙ୍କ ସେବାରେ ନିରନ୍ତର ନିଜକୁ ନିୟୋଜିତ କରିଛନ୍ତି। ଫଳରେ କିସ୍‍ ଆଜି ୩୦ ବର୍ଷର ଏକ ସଫଳ ଅନୁଷ୍ଠାନ। ୩୦ ହଜାର ଛାତ୍ରଛାତ୍ରୀ ଏଠାରୁ ଉତ୍ତୀର୍ଣ୍ଣ ହୋଇସାରିଲେଣି, ଏବେ ଏଠାରେ ୩୦ ହଜାର ପିଲା ପଢ଼ୁଛନ୍ତି ଏବଂ କିସ୍‍ର ବିଭିନ୍ନ ଶାଖା କ୍ୟାମ୍ପସରେ ୧୦ ହଜାର ଛାତ୍ରଛାତ୍ରୀ ପଢ଼ୁଛନ୍ତି। ଶ୍ରୀ ସାମନ୍ତଙ୍କୁ ତାଙ୍କ ଉତ୍ସର୍ଗୀକୃତ ଜୀବନ ପାଇଁ ଧନ୍ୟବାଦ ଜଣାଇବା ସହ ଜନଜାତି ଅଭିଭାବକମାନେ ଶ୍ରୀ ସାମନ୍ତଙ୍କୁ ଓଡ଼ିଶାର ପ୍ରତି ଜିଲ୍ଲାରେ କୃତଜ୍ଞତା ଜଣାଇବେ ବୋଲି ଆଜି ଘୋଷଣା କରିଥିଲେ। ସେମାନଙ୍କ ପିଲାମାନେ କିସରେ ରହି କିପରି ଉନ୍ନତ ମାନର ଶିକ୍ଷା ଲାଭ କରିବା ସହ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିପାରୁଛନ୍ତି ସେ ନେଇ ଅଭିଭାବକମାନେ ଖୁସି ବ୍ୟକ୍ତ କରିଥିଲେ।
ଅଭିଭାବକଙ୍କୁ ସମ୍ବୋଧିତ କରି କିସ୍‍ ଓ କିଟ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଲେ, କିସ୍‍ ଆଜି ୩୦ବର୍ଷରେ ପଦାର୍ପଣ କରିଥିବା ବେଳେ ଏହା ସମଗ୍ର ବିଶ୍ୱରେ ଏକମାତ୍ର ଜନଜାତି ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିବାର ସୌଭାଗ୍ୟ ହାସଲ୍‍ କରିଛି। ଆଜି କିସ୍‍ର ଅଧ୍ୟୟନରତ ଓ ପୁରାତନ ଛାତ୍ରଛାତ୍ରୀଙ୍କୁ ମିଶାଇ ମୋଟ ୭୦ହଜାର ଛାତ୍ରଛାତ୍ରୀ ଓଡ଼ିଶାର ଜନଜାତି ଅଧ୍ୟୁଷିତ ଗାଆଁଗୁଡ଼ିକରେ ଶିକ୍ଷାର ବାର୍ତ୍ତାବହ ପାଲଟିଛନ୍ତି। କିସ୍‍ ଆଜି ସମଗ୍ର ଜନଜାତି ସଂପ୍ରଦାୟ ମଧ୍ୟରେ ଏକ ଆନ୍ଦୋଳନରେ ପରିଣତ ହୋଇଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ସେ ସମସ୍ତ ଅଭିଭାବକ ସର୍ବୋପରି ଜନଜାତି ଲୋକଙ୍କ ସହଯୋଗ କାମନା କରିଥିଲେ। ଏହି ସମ୍ମିଳନୀର ମୁଖ୍ୟ ଆକର୍ଷଣ ଥିଲା ସାମୁହିକ ମଧ୍ୟାହ୍ନ ଭୋଜନ। ୧ଲକ୍ଷ ଲୋକ ଆଜି କିସରେ ଏକାଠି ମଧ୍ୟାହ୍ନ ଭୋଜନ କରିବା ଏକ ଅନନ୍ୟ ପରିବେଶ ସୃଷ୍ଟି କରିଥିଲା।
ଏହି ମହାସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କିସ୍‍ ଓ କିଟ୍‍ର ସଭାପତି ଶାଶ୍ୱତୀ ବଳ, ସଂପାଦକ ଆର ଏନ୍‍ ଦାଶ, କିସ୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପି କେ ରାଉତରାୟ ଓ ରାଜ୍ୟସଭା ସାଂସଦ ତଥା ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଭାର ମହାସଚିବ ନିରଞ୍ଜନ ବିଶି ପ୍ରମୁଖ ଉପସ୍ଥିତ ଥିଲେ।