banner
Breaking

ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି-ବାଚସ୍ପତି ଓମ୍‌ ବିର୍ଲା

0

ଭୁବନେଶ୍ବର,୧୦/୧୧(ଓଡ଼ିଆ ନ୍ୟୁଜ): ବିଶ୍ୱକୁ ନେତୃତ୍ୱ ଦେବାର କ୍ଷମତା ଭାରତର ଯୁବ ସମାଜର ରହିଛି ବୋଲି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି। ଶନିବାର କିଟ୍‌ ବିଶ୍ୱବିଦ୍ୟାଳୟର ୧୫ତମ ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଭାଷଣ ପ୍ରଦାନ କରି ଶ୍ରୀ ବିର୍ଲା କହିଲେ, ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବ ହେଉଛି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜୀବନରେ ଏକ ସ୍ମରଣୀୟ ମୁହୂର୍ତ୍ତ। ଏହା ହେଉଛି ସେମାନଙ୍କ ପାଇଁ ସିଦ୍ଧି ଦିବସ। ବର୍ଷ ବର୍ଷ ଧରି ଯେଉଁ ଜ୍ଞାନ ଯଜ୍ଞରେ ଛାତ୍ରଛାତ୍ରୀମାନେ ଦୃଢ଼ ସଂକଳ୍କ ଓ ପରିଶ୍ରମର ସହ ଲାଗି ରହିଥିଲେ, ସେହି ଜ୍ଞାନ ଯଜ୍ଞର ପୂର୍ଣ୍ଣାହୁତି ଦିନ ହେଉଛି ସମାବର୍ତ୍ତନ ଉତ୍ସବ।
ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ସେ କହିଲେ, ଆଜି ତୁମେମାନେ ଛାତ୍ର ଜୀବନରୁ ବାହାରି ଏକ ନୂଆ ଦୁନିଆରେ ପାଦ ରଖିବାକୁ ଯାଉଛ। ନୂଆ ଦୁନିଆରେ ତୁମମାନଙ୍କୁ ଅନେକ ଚ୍ୟାଲେଞ୍ଜ ଏବଂ ସମ୍ଭାବନାର ସମ୍ମୁଖୀନ ହେବାକୁ ପଡ଼ିବ। ପୁରାତନ ଭାରତରେ ତକ୍ଷଶୀଳା, ନାଳନ୍ଦା ଭଳି ଗୁରୁକୁଳ ଶିକ୍ଷା ବ୍ୟବସ୍ଥାରେ ସୀମିତ ବିଷୟରେ ଶିକ୍ଷାଦାନ କରାଯାଉଥିଲା। ଏବେ କିନ୍ତୁ ଶିକ୍ଷାର ଆକାର ବ୍ୟାପକ ହୋଇଛି। ଇଞ୍ଜିନିୟରିଂଠାରୁ ଆରମ୍ଭ କରି ଡାକ୍ତରୀ, ସାମ୍ବାଦିକତା, ଆଇନ ଆଦି ଅନେକ ବିଭାଗରେ ଶିକ୍ଷାଲାଭ କରିବାର ସୁଯୋଗ ମିଳୁଛି। ଜ୍ଞାନ ହେଉଛି ସବୁଠୁ ବଡ଼ ଶକ୍ତି। ଏହାର ସକାରାତ୍ମକ ଓ କଲ୍ୟାଣକାରୀ ଉଦ୍ଦେଶ୍ୟରେ ବିନିଯୋଗ ହେବା ଉଚିତ ବୋଲି ସେ କହିଥିଲେ। ବୌଦ୍ଧିକ ଦୃଷ୍ଟିରୁ ଭାରତ ହେଉଛି ସମୃଦ୍ଧ। ନୂଆ କିଛି ସୃଷ୍ଟି କରିବାର କ୍ଷମତା ଭାରତର ଯୁବ ସମାଜର ରହିଛି। ବିଶ୍ୱର ବିଭିନ୍ନ ଦେଶରେ ଯୁବକଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭାରତରେ ବିରାଟ ଯୁବଶକ୍ତି ରହିଛି। ପ୍ରଯୁକ୍ତି ବିଦ୍ୟାର ପ୍ରୟୋଗରେ ଆଜି ବିଶ୍ୱରେ ବ୍ୟାପକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ଏହି ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ଆମେ ଗୋଟିଏ ସ୍ଥାନରେ ସାରା ବିଶ୍ୱର ଜ୍ଞାନ ପାଇପାରୁଛେ। ଭାରତର ଯୁବକମାନେ ନିଜର ସୃଜନଶୀଳତାର ବିନିଯୋଗ କରି ନୂଆ ପ୍ରଯୁକ୍ତି କୌଶଳ ବିକାଶ କରିବା ସହ ଏହାକୁ ଦେଶ ଓ ବିଶ୍ୱର ସମସ୍ୟା ସମାଧାନ ଦିଗରେ ଲଗାଇବା ଉଚିତ ବୋଲି ସେ କହିଥିଲେ। ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଲେ, ଛାତ୍ରଛାତ୍ରୀମାନେ ଗବେଷଣାମୂଳକ କାର୍ଯ୍ୟ କରିବା ସହ ଭବିଷ୍ୟତ ବଂଶଧରଙ୍କ ସୁରକ୍ଷା ପାଇଁ ଏହାକୁ ବିନିଯୋଗ କରିବା ଉଚିତ। ବର୍ତ୍ତମାନ ବିଶ୍ୱତାପନ ଓ ପରିବେଶ କ୍ଷୟ ଜୀବଜଗତ ପାଇଁ ବିପଦ ସୃଷ୍ଟି କରିଛି। ଛାତ୍ରଛାତ୍ରୀମାନେ ସେମାନଙ୍କ ଜ୍ଞାନର ବିନିଯୋଗ କରି ଏହି ସବୁ ଚ୍ୟାଲେଞ୍ଜର ମୁକାବିଲା ପାଇଁ ନୂତନ ଗବେଷଣା କରିବାକୁ ସେ ପରାମର୍ଶ ଦେଇଥିଲେ। କୁଳାଧିପତି ପ୍ରଫେସର ବେଦ ପ୍ରକାଶ ତାଙ୍କ ଅଭିଭାଷଣରେ କହିଲେ, ଦେଶର ୯୦୦ ଉଚ୍ଚତର ଶିକ୍ଷାନୁଷ୍ଠାନ ମଧ୍ୟରୁ କିଟ୍‌କୁ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏମିନେନ୍‌ସ ଭାବେ ମନୋନୀତ କରାଯାଇଛି। ମାତ୍ର ୧୫ ବର୍ଷ ମଧ୍ୟରେ ଏହି ସ୍ୱୀକୃତି ଏକ ବଡ଼ ମାଇଲଖୁଣ୍ଟ ବୋଲି ସେ କହିଥିଲେ। କିଟ୍‌ରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନେ କିଟ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଭଳି ଜୀବନରେ ସେବା ଉତ୍ସର୍ଗୀକୃତ ମନୋଭାବ ରଖିବା ସହ ସମାଜର ଅବହେଳିତଙ୍କ ପାଇଁ କିଛି କରି ଦେଖାଇବାକୁ ସେ ପରାମର୍ଶ ଦେଇଥିଲେ। ଉପକୁଳାଧିପତି ଡା ସୁବ୍ରତ ଆଚାର୍ଯ୍ୟ କହିଲେ, କିଟ୍‌ର ପ୍ରତ୍ୟେକ ସ୍କୁଲ୍‌ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଉଦ୍ୟମ କରିଆସୁଛନ୍ତି। କୁଳପତି ପ୍ରଫେସର ହୃଷୀକେଶ ମହାନ୍ତି ବାର୍ଷିକ ବିବରଣୀ ଉପସ୍ଥାପନ କରି କହିଲେ, କିଟ୍‌ ତାର ଟେକ୍ନୋଲୋଜି ଇନ୍‌କ୍ୟୁବେସନ୍‌ ଇନିସିଏଟିଭ୍‌ ପାଇଁ ଜାତୀୟ ସ୍ୱୀକୃତି ଲାଭ କରିପାରିଛି। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ ଓ କୁଳସଚିବ ପ୍ରଫେସର ଜ୍ଞାନରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସାମଗ୍ରିକ ଶ୍ରେଷ୍ଠତ୍ୱ ପାଇଁ ତ୍ରିସା ଚାଟାର୍ଜୀ, ସ୍ୱାଗତ ଖଟାଇ ଏବଂ ବୈଦେହୀ ଘୋଷଙ୍କୁ ପ୍ରତିଷ୍ଠାତା ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିବା ବେଳେ ୨୦ଜଣ ଛାତ୍ରଛାତ୍ରୀଙ୍କୁ କୁଳାଧିପତି ସ୍ୱର୍ଣ୍ଣ ପଦକ, ୨୩ଜଣଙ୍କୁ କୁଳପତି ରୌପ୍ୟ ପଦକ, ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସ୍ୱର୍ଣ୍ଣ ପଦକ, ପିପିଏଲ୍‌ ସ୍ୱର୍ଣ୍ଣପଦକ, ନନୀବାଳା ସ୍ମାରକୀ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା। ୮୫ଜଣ ରିସର୍ଚ୍ଚ ସ୍କଲାରଙ୍କୁ ପିଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଥିବା ବେଳେ ୫୪୩୯ଜଣଙ୍କୁ ସ୍ନାତକ ଓ ୧୦୫୪ ଛାତ୍ରଛାତ୍ରୀଙ୍କୁ ସ୍ନାତକୋତ୍ତର ଡିଗ୍ରୀ ପ୍ରଦାନ କରାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.