banner
Breaking

କରୋନା ମହାମାରୀ ସତ୍ତ୍ୱେ କିଟରେ ରେକର୍ଡ ପ୍ଲେସମେଣ୍ଟ

0

ଭୁବନେଶ୍ୱର : କରୋନା ମହାମାରୀ ଗତିଶୀଳ ଭାରତ ତଥା ସମଗ୍ର ବିଶ୍ୱକୁ ହଠାତ୍‍ ସ୍ଥିର ଅବସ୍ଥାକୁ ନେଇ ଆସିଥିଲା। ଏଥିରୁ କେହି ବି ବର୍ତ୍ତି ନାହାନ୍ତି। ମହାମାରୀ ଯୋଗୁଁ ସମସ୍ତେ ଅଳ୍ପ ବହୁତେ ପ୍ରଭାବିତ ହୋଇଛନ୍ତି । ଯେଉଁମାନେ ଅତ୍ୟଧିକ ପ୍ରଭାବିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଛାତ୍ର ସମାଜ ଅନ୍ୟତମ। ସ୍କୁଲ, କଲେଜ ବିଶ୍ୱବିଦ୍ୟାଳୟ ଆଦି ଶିକ୍ଷାନୁଷ୍ଠାନରେ ଶିକ୍ଷାଦାନ ସମେତ ଅନ୍ୟାନ୍ୟ ଶୈକ୍ଷିକ କାର୍ଯ୍ୟକ୍ରମ ଠପ୍ ହୋଇଯାଇଥିଲା। ଏପରି ଏକ କଠିନ ସମୟରେ ପ୍ରଥମ ଅନୁଷ୍ଠାନ ଭାବେ କିଟ୍ ବିଶ୍ୱବିଦ୍ୟାଳୟ ଏକ ନୂତନ ଧାରାକୁ ଆପଣେଇ ନେଇଥିଲା। ଭାରତ ସମେତ ବିଶ୍ୱର ୫୦ଟି ଦେଶରେ ଥିବା କିଟ୍‌ର ୩୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍ ଲାଇନ୍ ଶିକ୍ଷାଦାନ ଆରମ୍ଭ କରିବାରେ କିଟ୍‍ ହେଉଛି ଭାରତର ପ୍ରଥମ ଅନୁଷ୍ଠାନ। ତାଲା ବନ୍ଦ ଘୋଷଣା ହେବା ଦିନଠାରୁ ଅନ୍‌-ଲାଇନ୍ ଶିକ୍ଷାଦାନ ସଫଳତାର ସହ ଚାଲୁ ରହିଛି। ଏହା କିଟ୍ ବିଶ୍ୱବିଦ୍ୟାଳୟକୁ ତାର ନିର୍ଦ୍ଧାରିତ ଶୈକ୍ଷିକ କାର୍ଯ୍ୟକ୍ରମକୁ ଠିକ୍‌ଭାବେ ଚାଲୁ ରଖିବାରେ ସହାୟକ ହୋଇଛି। ପରୀକ୍ଷା, ବାର୍ଷିକ ସମାବର୍ତ୍ତନ ଉତ୍ସବ, ଆଲୋଚନା ଚକ୍ର ଓ କର୍ମଶାଳା ଆଦି ସମସ୍ତ ଶୈକ୍ଷିକ କାର୍ଯ୍ୟକ୍ରମକୁ କିଟ୍ ସୁଚାରୁ ରୂପେ ସଫଳତାର ସହ ସମ୍ପାଦନ କରିପାରିଛି। କିଟରେ ଉତ୍ତମ ବୈଷୟିକ କୌଶଳ ଏବଂ ହାଇ ଇଣ୍ଟରନେଟ୍ ବ୍ୟବସ୍ଥା ଯୋଗୁଁ ଭର୍ଚୁଆଲ ମୋଡ୍‌ରେ ଏତେସବୁ ଶୈକ୍ଷିକ କାର୍ଯ୍ୟକ୍ରମ ସୁଚାରୁ ରୂପେ କରିବାକୁ ସକ୍ଷମ ହୋଇଛି।
ବିଶିଷ୍ଟ ଶିକ୍ଷାବିତ୍‍ ଓ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କ ଦ୍ୱାରା ୧୯୯୨ ମସିହାରେ ଏକ ଆଇଟିଆଇରୁ ଆରମ୍ଭ ହୋଇଥିବା କିଟ୍ ୧୯୯୭ ମସିହାରେ ଏକ ଉଚ୍ଚ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା। ଏହି ବର୍ଷକୁ କିଟ୍‌ର ଭିତ୍ତିବର୍ଷ ଭାବେ ବିବେଚନା କରାଯାଏ। ୨୦୦୧ ମସିହାରେ କିଟ୍‌ରୁ ପ୍ରଥମ ବ୍ୟାଚ୍ ଡ଼ିଗ୍ରୀ ଇଞ୍ଜିନିୟର ଉତ୍ତୀର୍ଣ୍ଣ ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ପ୍ରତିଷ୍ଠା ହେବା ଦିନଠାରୁ କିଟର ସଫଳ ପ୍ଲେସ୍‌ମେଣ୍ଟ୍ ଟ୍ରାକ ରେକର୍ଡ଼। ଏହି ଧାରାକୁ ବଜାୟ ରଖି ୨୦୧୯-୨୦ ଶିକ୍ଷା ବର୍ଷରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟ ଯୋଗାଇ ଦେବାରେ କିଟ୍ ସଫଳତା ଅର୍ଜନ କରିପାରିଛି।
ଏପରିକି କରୋନା ମହାମାରୀର କଠିନ ପରିସ୍ଥିତିରେ କିଟ୍ ବିଶ୍ୱବିଦ୍ୟାଳୟ ତାର ୨୦୨୦-୨୧ ବ୍ୟାଚ୍‌ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ଯୋଗାଇ ଦେଇ ପୂର୍ବ ଧାରାକୁ ବଜାୟ ରଖିବାରେ ସଫଳ ହୋଇପାରିଛି। ଜୁଲାଇ ୧ରୁ ଅନ୍‌-ଲାଇନ୍ ମାଧ୍ୟମରେ କିଟ୍‌ରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ସୁଦ୍ଧା କିଟ୍ ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର ୮୦ ପ୍ରତିଶତ ଛାତ୍ରଛାତ୍ରୀ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ମାଧ୍ୟମରେ ନିଯୁକ୍ତି ସୁଯୋଗ ପାଇ ସାରିଲେଣି।
କରୋନା ମହାମାରୀର ଏହି ନୈରାଶ୍ୟଜନକ ସମୟରେ ପାଖାପାଖି ୯୦ଟି କମ୍ପାନୀ ଅନ୍ ଲାଇନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ୍‌ରେ ଯୋଗଦେଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୩୫୦୦ଟି ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛନ୍ତି। ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର ୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କମ୍ପାନୀରେ ନିଯୁକ୍ତି ପାଇସାରିଲେଣି। ପ୍ରାୟ ଏକ ହଜାର ଛାତ୍ରଛାତ୍ରୀଙ୍କ ହାତରେ ରହିଛି ଏକାଧିକ ନିଯୁକ୍ତି ସୁଯୋଗ। କିଟ୍‌ର ଛାତ୍ରଛାତ୍ରୀମାନେ ସର୍ବାଧିକ ବାର୍ଷିକ ୩୦ଲକ୍ଷ, ୨୪ଲକ୍ଷ ଏବଂ ୧୯ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି। ହାରାହାରି ବାର୍ଷିକ ପ୍ୟାକେଜ ୬ଲକ୍ଷ ଟଙ୍କା ରହିଛି। କମ୍ପାନୀଗୁଡ଼ିକର ପ୍ରତିଶୃତି ଅନୁସାରେ ୨୦୨୧ ଏପ୍ରିଲ୍ ସୁଦ୍ଧା କିଟ୍‌ର ଆଉ ୭୦୦ ଛାତ୍ରଛାତ୍ରୀ ନିଯୁକ୍ତ ସୁଯୋଗ ପାଇବାକୁ ଯାଉଛନ୍ତି।
ଯଦିଓ ଅନ୍‌ଲାଇନ୍‌ରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଚାଲୁ ରହିଛି ପୂର୍ବ ଶିକ୍ଷା ବର୍ଷ ଅପେକ୍ଷା ଚଳିତ ଶିକ୍ଷାବର୍ଷରେ ପ୍ଲେସମେଣ୍ଟ୍‌ ରେକର୍ଡ ଭଲ ରହିଛି। ବର୍ତ୍ତମାନ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ ଏବଂ କିଟ୍ ଲ ସ୍କୁଲରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଦୁଇ ସ୍କୁଲ୍ ମଧ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ରେକର୍ଡ଼ ଶତପ୍ରତିଶତ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି।
କିଟ୍‌ର କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟର ଏହି ସଫଳତା ଯୋଗୁଁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ଭାରତରେ କରୋନା ମହାମାରୀ ଦେଖାଦେବା ପରେ ଛାତ୍ରଛାତ୍ରୀଙ୍କ ଅଭିଭାବକ ଓ ବାପାମାଆମାନେ ସେମାନଙ୍କ ପିଲାଙ୍କ ଭବିଷ୍ୟତ ନେଇ ବିଶେଷ କରି କ୍ୟାମ୍ପସ୍ ପ୍ଲେସମେଣ୍ଟ ନେଇ ଚିନ୍ତିତ ହୋଇପଡ଼ିଥିଲେ। କାରଣ ଦୀର୍ଘ ଦିନ ଧରି ତାଲା ବନ୍ଦ ଯୋଗୁଁ ସମସ୍ତ କମ୍ପାନୀ ଓ କର୍ପୋରେଟ୍ ହାଉସ୍‍ ସେମାନଙ୍କ କର୍ମଚାରୀଙ୍କ ସଂଖ୍ୟା କମାଇଦେଇଥିଲେ। ଏପରିକି କେତେକ କମ୍ପାନୀ ସମୂହ କର୍ମଚାରୀ ଛଟେଇ କରିଥିଲେ। ଏଭଳି ସ୍ଥିତିରେ ନିଯୁକ୍ତି ସୁଯୋଗ ସମ୍ପୂର୍ଣ୍ଣ ନିମ୍ନଗାମୀ ହୋଇଥିଲା। ଏସବୁ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କିଟ୍ ୨୦୨୦-୨୧ ଶିକ୍ଷାବର୍ଷରେ ଉତ୍ତୀର୍ଣ୍ଣ ହେବାକୁ ଥିବା ଏହାର ଛାତ୍ରଛାତ୍ରୀଙ୍କ ପାଇଁ କ୍ୟାମ୍ପସ୍ ପ୍ଲେସମେଣ୍ଟ ସୁନିଶ୍ଚିତ କରାଇବାରେ ସଫଳ ହୋଇଛି। ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ କର୍ପୋରେଟ୍‍ ଜଗତରେ କିଟ୍‌ର ବ୍ରାଣ୍ଡ୍ ସଫଳତାର ସହ ପହଞ୍ଚି ପାରିଛି। ଏହା ସହିତ କିଟ୍ ପ୍ଲେସମେଣ୍ଟ ଓ ଟ୍ରେନିଂ ସେଲର ସକ୍ରିୟ ଭୂମିକା ଏହି ସଫଳତା ଆଣିଦେବାରେ ସହାୟକ ହୋଇଛି। ଏଭଳି କଠିନ ସମୟରେ ସଫଳ ପ୍ଲେସମେଣ୍ଟ ହୋଇଥିବାରୁ କିଟ୍‍ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଅଭିଭାବକମାନେ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ତଥା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.