banner
Breaking

କନ୍ଧମାଳ ସଂସଦୀୟ କ୍ଷେତ୍ରରେ ବେକାର ଓ ପ୍ରବାସୀ ଶ୍ରମିକଙ୍କୁ ନିଯୁକ୍ତି ଦେବା ନିମନ୍ତେ ସାଂସଦଙ୍କ ପ୍ରୟାସ

0

ଫୁଲବାଣୀ, ୫/୧୧(ଓଡ଼ିଆ ନ୍ୟୁଜ): କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ପ୍ରୟାସ ଓ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗତ ଜାନୁଆରୀ ମାସରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ହଜାର ହଜାର ବେକାର ଯୁବକ ଯୁବତୀ କର୍ମ ସଂସ୍ଥାନ ପାଇ ପାରିଥିଲେ। ସେତେବେଳେ ଆୟୋଜିତ ମେଗା ନିଯୁକ୍ତି ମେଳାରେ ଦେଶର ୭୧ଟି କମ୍ପାନୀ ଯୋଗ ଦେଇଥିଲେ। ଏବେ କରୋନା ସମୟରେ ହଜାର ହଜାର ଯୁବକ ଯୁବତୀ ରୋଜଗାର ହରାଇ ଘରେ ରହୁଥିବାରୁ ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ସଂସଦୀୟ କ୍ଷେତ୍ରର ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ତାମିଲନାଡୁର କେପିଆର ମିଲସ ସହ ସାଂସଦ ଶ୍ରୀ ସାମନ୍ତ ଆଲୋଚନା କରିଥିଲେ। ଶ୍ରୀ ସାମନ୍ତଙ୍କ ଅନୁରୋଧ କ୍ରମେ କନ୍ଧମାଳର ୨ରୁ ୫ହଜାର ବେକାର ଯୁବକ ଯୁବତୀଙ୍କୁ କେପିଆର ମିଲସ ଖାଇବା ଓ ରହିବା ସହ ମାସିକ ୧୦ରୁ ୧୨ ହଜାର ଟଙ୍କା ପ୍ରଦାନ କରିବେ। ଏହା ସହ ଏହି ପିଲାମାନଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ମଧ୍ୟ କେପିଆର ମିଲସ ବନ୍ଦୋବସ୍ତ କରିବେ। ଏହି ପରିପ୍ରେକ୍ଷୀରେ ଗୁରୁବାର କନ୍ଧମାଳ ସଂସଦୀୟ କ୍ଷେତ୍ର ପରିଦର୍ଶନ ଅବସରରେ ସଂସଦୀୟ କ୍ଷେତ୍ରର କିଛି ଯୁବକ ଯୁବତୀଙ୍କୁ କେପିଆର ମିଲସ ପକ୍ଷରୁ କନ୍ଧମାଳ ଜିଲ୍ଲାପାଳ ଡ ବୃନ୍ଦା ଡି, ଉପଜିଲ୍ଲାପାଳ ଶୁଭଙ୍କର ମହାପାତ୍ର ଓ ଜିଲ୍ଲା ନିୟୋଜନ ଅଧିକାରୀ ଭୃଗୁରାଜ ମହାନ୍ତିଙ୍କ ଉପସ୍ଥିତିରେ ସାଂସଦ ଶ୍ରୀ ସାମନ୍ତ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲାର ୧ହଜାର ବେକାର ଯୁବକ ଯୁବତୀ ଏଥିରେ ନିଯୁକ୍ତି ପାଇବା ପାଇଁ ଇଚ୍ଛା କରିଛନ୍ତି। ପରବର୍ତ୍ତୀ ସମୟରେ ଯେଉଁ ଯୁବକ ଯୁବତୀମାନେ ନିଯୁକ୍ତି ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ମଧ୍ୟ ନିଯୁକ୍ତି ଯୋଗାଇ ଦିଆଯିବ ବୋଲି ଶ୍ରୀ ସାମନ୍ତ ପ୍ରକାଶ କରିଛନ୍ତି।
ଏହା ବ୍ୟତୀତ ସାଂସଦ ଶ୍ରୀ ସାମନ୍ତଙ୍କ ପ୍ରୟାସ କ୍ରମେ ପ୍ରବାସୀ ଶ୍ରମିକଙ୍କ ଥଇଥାନ ନିମନ୍ତେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହାତକୁ ନିଆଯାଇଛି। କରୋନା ସମୟରେ ବାହାର ରାଜ୍ୟରୁ ଗାଆଁକୁ ଫେରିଥିବା ପ୍ରବାସୀ ଶ୍ରମିକମାନେ କାମଧନ୍ଦା ନପାଇ ଘରେ ବସିଛନ୍ତି। ସେମାନଙ୍କୁ ସେମାନଙ୍କ ଯୋଗ୍ୟତା ଅନୁସାରେ ନିଯୁକ୍ତି ଦେବା ପାଇଁ ଶ୍ରୀ ସାମନ୍ତ ପ୍ରୋଜେକ୍ଟ ଆଲମ୍ବନ ସଂସ୍ଥା ସହ ଆଲୋଚନା କରିଛନ୍ତି। ଯେଉଁ ପ୍ରବାସୀ ଶ୍ରମିକମାନେ ଏହି ସଂସ୍ଥାରେ ଚାକିରି କରିବା ପାଇଁ ଇଚ୍ଛା ପ୍ରକାଶ କରିବେ ସେମାନଙ୍କୁ ଉକ୍ତ ସଂସ୍ଥା ନିଯୁକ୍ତି ଯୋଗାଇ ଦେବ। ଏହି ସଂସ୍ଥାରେ ନିଯୁକ୍ତି ପାଇଁ ପ୍ରତ୍ୟେକ ଶ୍ରମିକଙ୍କୁ ପଞ୍ଜୀକରଣ କରିବାକୁ ପଡ଼ିଥାଏ। ତେବେ ପ୍ରବାସୀ ଶ୍ରମିକଙ୍କ ନିମନ୍ତେ କନ୍ଧମାଳ ସାଂସଦ ଶ୍ରୀ ସାମନ୍ତ ବ୍ୟକ୍ତିଗତ ଭାବେ ଏହି ଅର୍ଥ ଜମା କରିବେ ବୋଲି ଘୋଷଣା କରିଛନ୍ତି। କରୋନା ସମୟରେ ବେକାର ହୋଇ ବସିଥିବା ଯୁବକ ଯୁବତୀ ଓ ପ୍ରବାସୀ ଶ୍ରମିକ ରୋଜଗାରକ୍ଷମ ହୋଇପାରିଲେ ଏହି ଜିଲ୍ଲାର ବିକାଶରେ ସହାୟକ ହେବ ବୋଲି ଶ୍ରୀ ସାମନ୍ତ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.