banner
Breaking

ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୨ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

0

ଭୁବନେଶ୍ୱର : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ଚଳିତବର୍ଷର ଜାତୀୟ କ୍ରୀଡ଼ା ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ବୁଧବାର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ପୁରସ୍କାର ପ୍ରଦାନ କରିଥିଲେ । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ରାଷ୍ଟ୍ରପତିଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ । କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଥିବା କର୍ପୋରେଟ୍‍, ବିଭିନ୍ନ ସ୍ପୋର୍ଟସ କଣ୍ଟ୍ରୋଲ୍‍ ବୋର୍ଡ, ଏନ୍‍ଜିଓଙ୍କ ସମେତ ରାଜ୍ୟ ଓ ଜାତୀୟସ୍ତରରେ ଥିବା କ୍ରୀଡ଼ା ଅନୁଷ୍ଠାନଗୁଡ଼ିକୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଛି । ଏଥିରେ ଖୁସି ବ୍ୟକ୍ତ କରିବା ସହ ଅତୀତର ସ୍ମୃତିଚାରଣ କରି ଶ୍ରୀ ସାମନ୍ତ କହିଲେ କିଟ୍‍ ଆରମ୍ଭ ହେବା ଦିନଠାରୁ କ୍ରୀଡ଼ା ପ୍ରତି ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଆଜିର ଏହି ଜାତୀୟସ୍ତରର ପୁରସ୍କାର ମିଳିଛି । ଶିକ୍ଷା ସହ କ୍ରୀଡ଼ା, କ୍ରୀଡ଼ାବିତ୍‍ ଓ କ୍ରୀଡ଼ା ଭିତ୍ତିଭୂମିକୁ ଆମେ ସୁଦୃଢ଼ କରିଆସୁଛୁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାକୁ ପ୍ରୋତ୍ସାହନ ଯୋଗାଇ ଦେବା ଫଳରେ କିଟ୍‍ ମଧ୍ୟ ଏଥିରେ ଉତ୍ସାହିତ ହୋଇ କ୍ରୀଡ଼ାକୁ ଆହୁରି ଆଗେଇ ନେବା ପାଇଁ ଚେଷ୍ଟା କରୁଛି । ଏହି ପୁରସ୍କାର କିଟ୍‍ ପାଇଁ ଗର୍ବ ଓ ଆନନ୍ଦର ବିଷୟ ବୋଲି ଶ୍ରୀ ସାମନ୍ତ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିବା ସହ ଏହି ପୁରସ୍କାରକୁ ସେ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କୁ ଉତ୍ସର୍ଗ କରିଛନ୍ତି । ସୂଚନାଯୋଗ୍ୟ, ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି କିଟ୍‍ କ୍ରୀଡ଼ା ଓ କ୍ରୀଡ଼ାବିତ୍‍ଙ୍କୁ ପ୍ରୋତ୍ସାହିତ କରିଆସୁଛି । ଫଳରେ ଅଲିମ୍ପିଆନ୍‍ ଦୂତୀ ଚାନ୍ଦ, ଶିବପାଲ ସିଂହ, ଅମିତ ରୋହିଦାସ ଓ ଅଶି ଚାଳକ ଭବାନୀ ଦେବୀଙ୍କ ଭଳି ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ ସୃଷ୍ଟି ହୋଇପାରିଛନ୍ତି । ଅତ୍ୟାଧୁନିକ ଓ ଉନ୍ନତ କ୍ରୀଡ଼ା ଭିତ୍ତିଭୂମିଠାରୁ ଆରମ୍ଭ କରି ଅଲିମ୍ପିଆନ୍‍ ସୃଷ୍ଟି କରି କିଟ୍‍ ସମଗ୍ର ବିଶ୍ୱରେ ନାଁ କମେଇ ପାରିଛି । ଆଜି କେନ୍ଦ୍ର କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କିଟ୍‍କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର ପ୍ରଦାନ କରାଯାଇଥିବାରୁ କିଟ୍‍ର ସମସ୍ତ ଛାତ୍ରଛାତ୍ରୀ, ଖେଳାଳି ଓ କର୍ମଚାରୀମାନେ ଆନନ୍ଦ ପ୍ରକାଶ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.