banner
Breaking

ମୁମ୍ବାଇରେ ଖୋଲିବ କିସ୍ ଆବାସିକ ବିଦ୍ୟାଳୟ

0

ଭୁବନେଶ୍ୱର, ୧୭।୧(ବ୍ୟୁରୋ): ଦିଲ୍ଲୀ ଓ କୋଲକାତା ପରେ ମହାରାଷ୍ଟ୍ରର ମୁମ୍ବାଇରେ କିସ୍‌ ଆବାସିକ ବିଦ୍ୟାଳୟ ଖୋଲିବ। ଏନେଇ କିସ୍‌ ଓ ମୁମ୍ବାଇସ୍ଥିତ ଚଏସ୍‌ ୱେଲଫେୟାର ଫାଉଣ୍ଡେଶନ ମଧ୍ୟରେ ରବିବାର ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଏଥିରେ ଫାଉଣ୍ଡେଶନ ପକ୍ଷରୁ ଏହାର ଅଧ୍ୟକ୍ଷ ସୁନୀଲ ପାଟୋଡିଆ ଏବଂ କିସ୍‌ ପକ୍ଷରୁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସ୍ବାକ୍ଷର କରିଥିଲେ। ମୁମ୍ବାଇ ସହର ନିକଟବର୍ତ୍ତୀ ଅଞ୍ଚଳରେ ପାଟୋଡିଆ ଚଏସ୍‌-କିସ୍‌ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ୨୫ ଏକର ଜମି ବ୍ୟବସ୍ଥା ହୋଇଥିବାବେଳେ ବିଭିନ୍ନ ସୂତ୍ରରୁ ଅର୍ଥ ସଂଗ୍ରହ ହୋଇସାରିଛି। ଭିତ୍ତିଭୂମି ନିର୍ମାଣର ସମ୍ପୂର୍ଣ୍ଣ ଖର୍ଚ୍ଚ ଚଏସ୍‌ ୱେଲ୍‌ଫେୟାର ଫାଉଣ୍ଡେଶନ ବହନ କରିବ। ବର୍ଷକ ମଧ୍ୟରେ ଏହି ଆବାସିକ ବିଦ୍ୟାଳୟ କାର୍ଯ୍ୟ କରିବ। ତେବେ ଏଥିରେ ଗରିବ, ଅବହେଳିତ ଓ ଜନଜାତି ବର୍ଗର ପିଲାଙ୍କୁ ବିନାଦେୟରେ କିସ୍‌ ଢାଞ୍ଚାରେ ଶିକ୍ଷା ପ୍ରଦାନ କରାଯିବ।
ଏହି ଅବସରରେ ପାଟୋଡିଆ କହିଛନ୍ତି, ଅଚ୍ୟୁତ ସାମନ୍ତଙ୍କୁ ସେ ନିଜର ଆଦର୍ଶ ଭାବେ ମାନି ଆସୁଛନ୍ତି। ୫ବର୍ଷ ପୂର୍ବରୁ ମୁମ୍ବାଇରେ କିସ୍‌ ପ୍ରତିଷ୍ଠା ପାଇଁ ସେ ସ୍ବପ୍ନ ଦେଖିଥିଲେ। ଆଜି ତାଙ୍କର ସ୍ବପ୍ନ ସାକାର ହୋଇଛି। କିସ୍‌ ଓ ଚଏସ୍‌ ୱେଲଫେୟାର ଫାଉଣ୍ଡେଶନ ମିଳିତ ଭାବେ ସମାଜ ପାଇଁ କାର୍ଯ୍ୟ କରିବେ ବୋଲି ସେ କହିଛନ୍ତି। ଅଚ୍ୟୁତ କହିଛନ୍ତି, କିସ୍‌କୁ ଏବେ ସମସ୍ତେ ଏକ ସଫଳ ମଡେଲ ଭାବେ ଗ୍ରହଣ କରିଥିବାରୁ ମୁଁ ବହୁତ ଖୁସି। ୨୦୧୩ରୁ କିସ୍‌-ଦିଲ୍ଲୀ କାର୍ଯ୍ୟ କରୁଥିବାବେଳେ କୋଲକାତାରେ ହେଲ୍ପ ଅସ୍‌ ହେଳ୍ପ ଦେମ୍‌ ସଙ୍ଗଠନ ସହଯୋଗରେ କିସ୍‌ର ଏକ ଶାଖା ପ୍ରତିଷ୍ଠା ହୋଇଛି। ଏବେ ମୁମ୍ବାଇରେ ଚଏସ୍‌-କିସ୍‌ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବାକୁ ଯାଉଛି। ଦେଶର ତିନୋଟି ବୃହତ ମହାନଗରରେ କିସ୍‌ ପ୍ରତିଷ୍ଠା ହୋଇପାରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ କିଟ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତା ସାମନ୍ତ, କିସ୍‌ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିସ୍‌ ମହାନିର୍ଦ୍ଦେଶକ କାହ୍ନୁଚରଣ ମାହାଲି ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ. ପ୍ରଶାନ୍ତ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.