banner
Breaking

କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଓ ଏନ୍‍ଜିଏମ୍‍ଏ ଆନୁକୂଲ୍ୟରେ କିଟ୍‍ ଓ କିସରେ କଳାକୁମ୍ଭ ଆରମ୍ଭ

0

ଭୁବନେଶ୍ୱର: ନିକଟରେ କିଟ୍‍-କିସ୍‍ ଓ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟ ଅଧୀନରେ ଥିବା ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ (ଏନ୍‍ଜିଏମ୍‍ଏ) ସହ ନୂଆଦିଲ୍ଲୀରେ ଜନଜାତି କଳା, ସଂସ୍କୃତି ଓ ପରମ୍ପରା ସୁରକ୍ଷା ପାଇଁ ଏକ ବୁଝାମଣା ହୋଇଥିଲା। ଏହି ବୁଝାମଣା ଅନୁସାରେ ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟ ପକ୍ଷରୁ କିଟ୍‍ ଓ କିସ୍‍ ସହଯୋଗରେ କିସ୍‍ ପରିସରରେ କଳାକୁମ୍ଭ ଡିସେମ୍ବର ୧୨ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଥର ପାଇଁ ସମଗ୍ର ଭାରତରେ ଏତେ ବଡ଼ ଆକାରରେ ଓଡ଼ିଶାର କିଟ୍‍ ଓ କିସରେ ଅନୁଷ୍ଠିତ ହେଉଛି। ରାଷ୍ଟ୍ରୀୟ ଆଧୁନିକ କଳା ସଂଗ୍ରହାଳୟର ମହାନିର୍ଦ୍ଦେଶକ ଅଦ୍ୱୈତ ଗଡ଼ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦୀର୍ଘ ୬ ଦିନ ଧରି ଚାଲିବାକୁ ଥିବା କଳାକୁମ୍ଭରେ ଓଡ଼ିଶା ସମେତ ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଓ ଭାରତର ଉତ୍ତରପୂର୍ବାଞ୍ଚଳ ରାଜ୍ୟର ୨ଶହରୁ ଊର୍ଦ୍ଧ୍ୱ କଳାକାର ଯୋଗ ଦେଇଛନ୍ତି। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଅବସରରେ ଏହି କଳାକୁମ୍ଭ ଅନୁଷ୍ଠିତ ହେଉଛି। ଏହି କଳାକୁମ୍ଭରେ ଯୋଗ ଦେଇଥିବା କଳାକାରମାନେ ୭୫୦ ମିଟର ଲମ୍ବ ବିଶିଷ୍ଟ ଏହି ବିଶାଳ କଳାକୃତି ପ୍ରସ୍ତୁତ କରିବେ। ଏହା ୨୦୨୨ ସ୍ୱାଧୀନତା ଦିବସ ପାଳନର ଏକ ଅଂଶବିଶେଷ ରୂପେ ନୂଆଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ପ୍ରଦର୍ଶନ କରାଯିବ। ଏହି କଳାକୁମ୍ଭ ଆୟୋଜନ ପାଇଁ କିଟ୍‍ ଓ କିସ୍‍ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦେଇଛି। ଏହା ଓଡ଼ିଶା ପାଇ ଗର୍ବ ଓ ଗୌରବ। ସମସ୍ତ କଳାକାରଙ୍କୁ କିଟ୍‍ ଓ କିସରେ ରହିବା, ଖାଇବା ଏବଂ ପରିବହନ ଆଦି ବ୍ୟବସ୍ଥା କରାଯାଇ କିଟ୍‍ ଓ କିସ୍‍ ପକ୍ଷରୁ ଆତିଥ୍ୟ ଯୋଗାଇ ଦିଆଯାଇଛି।
ଏହି ଅବସରରେ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ଗଡ଼ନାୟକ କହିଲେ, ଭାରତର ବିବିଧ ଭୌଗୋଳିକ ସ୍ଥାନ ଉପରେ ଆଲୋକପାତ କରି ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ସମସାମୟିକ ଚିତ୍ରକଳା ଆଦି ପ୍ରଦର୍ଶନ କରିବା ଏହି କଳାକୁମ୍ଭର ଲକ୍ଷ୍ୟ। ଏହି କଳାକୁମ୍ଭରେ ଆଜାଦୀ କା ଅମୃତ ମହୋତ୍ସବ ଏବଂ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଜଣା ବୀରଙ୍କ ଜୀବନୀ ଓ ସେମାନଙ୍କ ସଂଗ୍ରାମ ଉପରେ ମେଗା କର୍ମଶାଳା ମଧ୍ୟ ଆୟୋଜନ କରାଯାଇଛି। ଏହି କଳାକୁମ୍ଭରେ କଳାକାରମାନେ ବିଭିନ୍ନ ପ୍ରକାର ଦେଶୀୟ କଳା ପଟ୍ଟଚିତ୍ର, ତାଳ ପଟ୍ଟଚିତ୍ର, ମଞ୍ଜୁଷା, ମଧୁବନୀ ଓ ଯଦୁ ପାଟୁଆ ଆଦି ଉପରେ ସେମାନଙ୍କ କଳାତ୍ମକ ଭାବ ପ୍ରଦର୍ଶନ କରିବେ ବୋଲି ଶ୍ରୀ ଗଡ଼ନାୟକ କହିଛନ୍ତି। ଏନ୍‍ଜିଏମ୍‍ଏ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହର୍ଷବର୍ଦ୍ଧନ ଶର୍ମା, ରାମହରି ଜେନା ଓ ବିଜୟନ୍ତ ଦାସଙ୍କ ଭଳି ବିଶିଷ୍ଟ ଶିଳ୍ପୀମାନେ ଏହି କାର୍ଯ୍ୟକୁ ମଧ୍ୟ ସଂଯୋଜନା ଓ ତଦାରଖ କରୁଛନ୍ତି।
ଏଥିରେ ଆନନ୍ଦ ପ୍ରକାଶ କରି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଛନ୍ତି, କିଟ୍‍ ଓ କିସରେ କଳାକୁମ୍ଭ ଭଳି ବିଶାଳ କଳାତ୍ମକ କର୍ମଶାଳା ଆୟୋଜିତ ହୋଇପାରିଛି। ଓଡ଼ିଶା ହେଉଛି ଉତ୍କୃଷ୍ଟ କଳାର କ୍ଷେତ୍ର। ତେଣୁ ଓଡ଼ିଶାରେ କଳାକୁମ୍ଭ ଆୟୋଜିତ ହୋଇପାରିଥିବାରୁ ଏହା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ପାଳନ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ଏହା ଆୟୋଜନ କରାଯାଇଛି। ଏହି ବିରାଟ କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ସାମିଲ୍‍ ହୋଇପାରିଥିବାରୁ ଶ୍ରୀ ସାମନ୍ତ ଖୁସି ବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ କିଟ୍‍ ଓ କିସରେ ଆୟୋଜନ କରାଇପାରିଥିବାରୁ ଶ୍ରୀ ସାମନ୍ତ ଏନ୍‍ଜିଏମ୍‍ଏର ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଗଡ଼ନାୟକଙ୍କୁ ସାଧୁବାଦ ଜଣାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.