banner
Breaking

୫ରୁ କିଟ୍‍ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମରେ ୬୯ତମ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ

0

ଭୁବନେଶ୍ୱର, : ମାର୍ଚ୍ଚ ୫ରୁ କିଟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମଠାରେ ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପ ୨୦୨୦-୨୧ ଅନୁଷ୍ଠିତ ହେବାକୁ ଯାଉଛି। ଭାରତୀୟ ଭଲିବଲ ସଂଘ (ଭିଏଫ୍‍ଆଇ) ତତ୍ତ୍ୱାବଧାନରେ ମାର୍ଚ୍ଚ ୫ରୁ ୧୧ତାରିଖ ପର୍ଯ୍ୟନ୍ତ ଏହି ଚାମ୍ପିଅନସିପ ଅନୁଷ୍ଠିତ ହେବ। ଭାରତୀୟ ଭଲିବଲ୍‍ ଇତିହାସରେ ଓଡ଼ିଶା ରାଜ୍ୟ ଭାବେ ପ୍ରଥମ ଥର ଲାଗି ଲଗାତାର ଦୁଇଥର ଏହି ଚାମ୍ପିଅନସିପ ଆୟୋଜନ କରୁଛି। ଏହା ପୂର୍ବରୁ ୬୮ତମ ଜାତୀୟ ଭଲିବଲ୍‍ (ମହିଳା ଓ ପୁରୁଷ) ଚାମ୍ପିଅନସିପ ମଧ୍ୟ ଗତବର୍ଷ କିଟ୍‍ରେ ଆୟୋଜନ କରାଯାଇଥିଲା। ଏହା ସହିତ ପ୍ରଥମ ଥର ଲାଗି ଚାମ୍ପିଅନସିପର ସମସ୍ତ ମ୍ୟାଚ କିଟ ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିଅମ କୋର୍ଟରେ ଅନୁଷ୍ଠିତ ହେବ। ଏହାର ସମସ୍ତ ମ୍ୟାଚ ସିଧା ପ୍ରସାରଣ କରାଯିବାର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୨୦୦୯ରେ ଓଡ଼ିଶା ୩୬ତମ ଜାତୀୟ ଭଲିବଲ ଚାମ୍ପିଅନସିପ ଆୟୋଜନ କରିବାର ସୁଯୋଗ ପାଇଥିବା ବେଳେ ୨୦୧୯ରେ ୪୧ତମ ଉପବରିଷ୍ଠ ଭଲିବଲ ଚାମ୍ପିଅନସିପ ଓ ୬୮ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ (ପୁରୁଷ ଓ ମହିଳା) ୨୦୧୯-୨୦ ଆଦି ୩ଟି ଗୁରୁତ୍ୱପୂର୍ଣ୍ଣ ଭଲିବଲ ଚାମ୍ପିଅନସିପ ଆୟୋଜନ କରିବାର ସୁଯୋଗ ପାଇଥିଲା। ସମସ୍ତ ଚାମ୍ପିଅନସିପ କିଟ୍‍ ଷ୍ଟାଡିଅମରେ ହିଁ ଅନୁଷ୍ଠିତ ହୋଇଥିଲା।
ମାର୍ଚ୍ଚ ୫ରୁ ହେବାକୁ ଥିବା ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ (ପୁରୁଷ ଓ ମହିଳା) ଚାମ୍ପିଅନସିପରେ ଦେଶର ୨୮ଟି ରାଜ୍ୟ ଓ ୮ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୨ଶହରୁ ଊର୍ଦ୍ଧ୍ୱ ପୁରୁଷ ଓ ମହିଳା ବର୍ଗର ଖେଳାଳି ଯୋଗଦେବେ। ଏଥିରେ ବହୁ ଅର୍ଜୁନ ପୁରସ୍କାର ବିଜେତା ତଥା ଜାତୀୟ ଓ ଆନ୍ତର୍ଜାତିକ ଖେଳାଳି ମଧ୍ୟ ଅଂଶଗ୍ରହଣ କରିବେ। ଏହି ଚାମ୍ପିଅନସିପ ଜରିଆରେ ନିକଟରେ ହେବାକୁ ଥିବା ଏସିଆନ ଚାମ୍ପିଅନସିପ ଓ ଅନ୍ୟ ଆନ୍ତର୍ଜାତିକ ମିଟରେ ଯୋଗଦେବା ପାଇଁ ଖେଳାଳି ଚୟନ କରାଯିବ। ଭାରତୀୟ ଭଲିବଲ୍‍ ଦଳର କୋଚ୍‍, ଅର୍ଜୁନ ପୁରସ୍କାର ଓ ଦ୍ରୋଣାଚାର୍ଯ୍ୟ ପୁରସ୍କାର ବିଜେତା ଜି. ଇ ଶ୍ରୀଧରନ୍‍; ଅର୍ଜୁନ ପୁରସ୍କାର ବିଜେତା ଡ. ଦଲେଲ୍‍ ସିଂହ ଓ ଡ. ଜଗିର ସିଂହ ରନ୍ଧୱା ଆଦିଙ୍କୁ ନେଇ ଗଠନ କରାଯାଇଥିବା ପୁରୁଷ ଭଲିବଲ୍‍ ଚୟନ କମିଟି ଖୋଳାଳି ଚୟନ କରିବେ। ସେହିପରି ଭାରତୀୟ ମହିଳା ଭଲିବଲ୍‍ ଚୟନ କମିଟିରେ ସ୍ପୋର୍ଟସ ଅଥରିଟି ଅଫ୍‍ ଇଣ୍ଡିଆର ଅଜୟ ଜଙ୍ଗରା, ଦଲଜୀତ ସିଂହ ଓ ଭାରତୀୟ ଭଲିବଲ୍‍ ମହିଳା ଦଳର କୋଚ ବୈଶାଳୀ ଫଡତାରେ ପ୍ରମୁଖ ସଦସ୍ୟ ରହିଛନ୍ତି। ଦ୍ରୋଣାଚାର୍ଯ୍ୟ ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରକାଶ ରାୟ ଏବଂ ଏ. ରାମଣ ରାଓ ଉଭୟ ଚୟନ କମିଟିର ସଂଯୋଜକ ଅଛନ୍ତି। ସଂପୂର୍ଣ୍ଣ ଚାମ୍ପିଅନସିପ ଓଡ଼ିଶା ସରକାରଙ୍କ କୋଭିଡ୍‍ ନିର୍ଦ୍ଦେଶାବଳୀକୁ ଅନୁସରଣ କରାଯାଇ ଆୟୋଜନ କରାଯାଉଛି। ଭିଏଫଆଇ ସଭାପତି ଅଚ୍ୟୁତ ସାମନ୍ତଙ୍କ ଅନୁମତି କ୍ରମେ ଜମ୍ମୁ ଓ କାଶ୍ମୀରର ଲଦାଖ ଦଳ ପ୍ରଥମର ଥର ପାଇଁ ଏହି ଚାମ୍ପିଅନସିପରେ ଅଂଶଗ୍ରହଣ କରୁଛି।
ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଇଲେକ୍ଟ୍ରୋନିକସ ଓ ସୂଚନା ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଉ ଥିବା ବେଳେ କ୍ରୀଡ଼ା ଓ ଯୁବସେବା ଏବଂ ପର୍ଯ୍ୟଟନ ବିଭାଗ ପ୍ରମୁଖ ସଚିବ ବିଶାଳ କୁମାର ଦେବ, ଭିଏଫଆଇର ଆଞ୍ଚଳିକ କାର୍ଯ୍ୟକାରୀ ଉପସଭାପତି ଓ ବୋର୍ଡ ଅଫ୍‍ ଆଡମିନିଷ୍ଟ୍ରେସନ ସଦସ୍ୟ ତଥା ଭିଏଫଆଇର ମୁଖ୍ୟ ପରିଚାଳନା ଅଧିକାରୀ ରାମାବତାର ସିଂହ ଝାକର, ଭିଏଫ୍‍ଆଇର ମହାସଚିବ ଅନୀଲ ଚୌଧୁରୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କିଟ୍‍ ଓ କିସ୍‍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭିଏଫଆଇର ସଭାପତି ଅଚ୍ୟୁତ ସାମନ୍ତ ଉଦ୍‍ଘାଟନୀ ଉତ୍ସବରେ ସଭାପତିତ୍ୱ କରିବେ। ଏହି ଅବସରରେ ଶ୍ରୀ ସାମନ୍ତ ଚାମ୍ପିଅନ୍‍ସିପ୍‍ର ସମସ୍ତ ଖେଳାଳି, କୋଚ ଓ ଅଫିସିଆଲକୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଛନ୍ତି। ୬୯ତମ ବରିଷ୍ଠ ଜାତୀୟ ଭଲିବଲ୍‍ ଚାମ୍ପିଅନସିପ ଆୟୋଜନ କରିବା ପାଇଁ କିଟ୍‍ ବିଶ୍ୱବିଦ୍ୟାଳୟକୁ ସୁଯୋଗ ଦେଇଥିବାରୁ ଭିଏଫଆଇକୁ ଶ୍ରୀ ସାମନ୍ତ ଧନ୍ୟବାଦ ଜଣାଇଛନ୍ତି। ଭିଏଫଆଇର ସଭାପତି ଦାୟିତ୍ୱ ନେବା ପରେ ଶ୍ରୀ ସାମନ୍ତ ତୃଣମୂଳସ୍ତରରେ ଭଲିବଲ୍‍ର ପ୍ରଚାର ଓ ପ୍ରସାର ଦିଗରେ ପ୍ରୟାସ ଜାରି ରଖିଛନ୍ତି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ଅନ୍ୟାନ୍ୟ ରାଜ୍ୟରେ ଭଲିବଲ୍‍ ଭିତ୍ତିଭୂମିର ବିକାଶ ସହ ଖୋଳାଳିଙ୍କୁ ଭଲିବଲ୍‍ ଖେଳ ସରଞ୍ଜାମ ଯୋଗାଇ ଦେଇ ଆସୁଛନ୍ତି। ନିକଟରେ କନ୍ଧମାଳ ସଂସଦୀୟ କ୍ଷେତ୍ରର ରାଇକିଆ, ଟିକାବାଲି ଓ ବାଲିଗୁଡ଼ା ଫୁଲବାଣୀର ଦୁଇଟି ସ୍ଥାନରେ ୫ଟି ଉଜ୍ଜ୍ୱଳ ଆଲୋକ ବ୍ୟବସ୍ଥା ଥାଇ ଭଲିବଲ୍‍ କୋର୍ଟ ନିର୍ମାଣ କରାଇଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.