banner
Breaking

ଖୋର୍ଦ୍ଧା ନୟାଗଡ଼ ରାସ୍ତାରେ ବ୍ଲାକ ପଲସର ଆତଙ୍କ

0

ଖୋର୍ଦ୍ଧା ,୩/୨: ଖୋର୍ଦ୍ଧା-ନୟାଗଡ଼ ୫୭ନମ୍ବର ଜାତୀୟ ରାଜପଥରେ ବ୍ଲାକ୍‌ ପଲସର ଆତଙ୍କ। ବୁଧବାର ଅପରାହ୍ନରେ ଖୋର୍ଦ୍ଧା ଜିଲା ବାଘମାରୀ ଥାନା ଅନ୍ତର୍ଗତ ବାମଡିହ ଛକରେ ୪ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଦୁଇଜଣ କମ୍ପାନୀ କର୍ମଚାରୀଙ୍କଠାରୁ ୫ଲକ୍ଷ ଟଙ୍କା ଲୁଟି ଫେରାର ହୋଇଯାଇଛନ୍ତି। ଜୀବନ ବଞ୍ଚାଇବା ପାଇଁ କର୍ମଚାରୀ ଦ୍ୱୟ ରାସ୍ତାକଡ଼ କେନାଲକୁ ଡେଇଁପଡ଼ିିଥିଲେ। ଫଳରେ ଦୁହେଁ ସାମାନ୍ୟ ଆହତ ହୋଇଛନ୍ତି। ସମ୍ପୃକ୍ତ କର୍ମଚାରୀ ଦ୍ୱୟ ହେଲେ ବିଜୟ ଦାସ ଓ ଉମାକାନ୍ତ ହୋତା। ଖବର ପାଇ ବାଘମାରୀ ଥାନା ପୋଲିସ ପହଞ୍ଚି ଉକ୍ତ କର୍ମଚାରୀ ଦ୍ୱୟଙ୍କୁ ଉଦ୍ଧାର କରି ଘଟଣାର ତଦନ୍ତ ଚଳାଇଛି। ନାଳରେ ଖସି ପଡ଼ିିଥିବା ବାଇକ୍‌କୁ ପୋଲିସ ଲୋକଙ୍କ ସହାୟତାରେ ଉଦ୍ଧାର କରିଛି। ଏ ନେଇ ଥାନାରେ ଦଫା ୩୯୨, ୨୫/୨୭ ଆର୍ମସ୍‌ ଆକ୍ଟରେ ଏକ ମାମଲା (ନଂ ୧୧/୨୨) ରୁଜୁ ହୋଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧାସ୍ଥିତ ମଡର୍ନ ଫର୍ଟିଲାଇଜର କମ୍ପାନୀରେ କାର୍ଯ୍ୟରତ କର୍ମଚାରୀ ବିଜୟ ଓ ଉମାକାନ୍ତ ନୟାଗଡ଼ ଅଞ୍ଚଳରୁ ଟଙ୍କା ସଂଗ୍ରହ କରି ଏକ ବାଇକ ଯୋଗେ ଖୋର୍ଦ୍ଧା ଫେରୁଥିଲେ। ପୂର୍ବରୁ ତାଙ୍କୁ ୪ଜଣ ଦୁର୍ବୃତ୍ତ ବ୍ଲାକ୍‌ ପଲସରରେ ପିଛା କରୁଥିଲେ। ବାମଡିହ ଛକଠାରେ ରାସ୍ତା ଶୂନଶାନ ଥିବା ଦେଖି ଜଣେ ଦୁର୍ବୃତ୍ତ ୨ରାଉଣ୍ଡ ଫାଙ୍କା ଗୁଳି ଚାଳନା କରିଥିଲେ। ଏଥିରେ ବିଜୟ ଓ ଉମାକାନ୍ତ ଭୟଭୀତ ହୋଇ ଜୀବନ ବଞ୍ଚାଇବା ଲାଗି ରାସ୍ତାପାର୍ଶ୍ୱ କେନାଲକୁ ଡେଇଁପଡ଼ିିଥିଲେ। ଦୁର୍ବୃତ୍ତମାନେ ସେମାନଙ୍କଠାରୁ ୫ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇନେଇ ଖୋର୍ଦ୍ଧା ଆଡ଼କୁ ଚମ୍ପଟ ମାରିଥିଲେ। ଏ ସଂକ୍ରାନ୍ତରେ ସ୍ଥାନୀୟ ଲୋକଙ୍କଠାରୁ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା। ପରେ କର୍ମଚାରୀ ଦ୍ୱୟ ଥାନାରେ ଏତଲା ଦେଇଥିଲେ। ଘଟଣାର ତଦନ୍ତ ଜାରି ରହିଛି ଓ ବିଭିନ୍ନ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ବୋଲି ଥାନାଧିକାରୀ ଅର୍ଚ୍ଚନା ମଲିକ କହିଛନ୍ତି।

ପ୍ରକାଶ ଯେ, ଖୋର୍ଦ୍ଧା-ନୟାଗଡ଼ ୫୭ନଂ. ଏବଂ ଭୁବନେଶ୍ୱର-ଚେନ୍ନାଇ ୧୬ନଂ. ଜାତୀୟ ରାଜପଥରେ ଯାତ୍ରା ଅସୁରକ୍ଷିତ ହୋଇପଡ଼ିଛି। ୫୭ ନମ୍ବର ଜାତୀୟ ରାଜପଥର ଜୟମଙ୍ଗଳ ଛକଠାରୁ ବାଘମାରୀ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସମୟରେ ଦୁର୍ବୃତ୍ତମାନେ ବାଇକ ଚାଳକଙ୍କୁ ଟାର୍ଗେଟ କରି ଲୁଟପାଟ କରୁଛନ୍ତି। ଏବେ ବ୍ଲାକ୍‌ ପଲସର ଆତଙ୍କ ଦେଖିବାକୁ ମିଳିଛି।

Khansweb Solution Bhubaneswar

Leave A Reply

Your email address will not be published.