banner
Breaking

କେନ୍ଦ୍ରାପଡା ଜିଲ୍ଲାରେ ଉଜୁଡିଗଲା ଚାଷୀଙ୍କ ଭାତହାଣ୍ଡି

0

ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ଥିବା ଚଳିତ ବନ୍ୟା ପୂର୍ବରୁ ଲଘୁଚାପ ବର୍ଷା ହୋଇଥିଲା।
କ୍ଷେତରୁ ବର୍ଷା ଜଳ ନିଷ୍କାସିତ ହୋଇ ନ ଥିବା ବେଳେ କେନ୍ଦ୍ରାପଡ଼ା ଜିଲାର ୭ ନଦୀରେ ବନ୍ୟା ଆସିଥିଲା।
ବର୍ଷାଋତୁ ପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଗତ ଏପ୍ରିଲରେ ଅନୁଷ୍ଠିତ ଜିଲା ପ୍ରଶାସନିକ ବୈଠକରେ ସୂଚନା ଦିଆଯାଇଥିଲା।
କେନ୍ଦ୍ରାପଡା,୪/୯(ବ୍ୟୁରୋ):କେନ୍ଦ୍ରାପଡା ଜିଲା ଜରୁରିକାଳୀନ ବିଭାଗ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟା ଚାଷୀଙ୍କ ଭାତହାଣ୍ଡି ଉଜାଡି ଦେଇଥିବା ବେଳେ ଧନଜୀବନ ଉପରେ ପ୍ରଭାବ ପକାଇଛି। ଏହି ବନ୍ୟାରେ ଜିଲାର ୮୧ ପଞ୍ଚାୟତର ୩୭୭ଟି ଗ୍ରାମ ପ୍ରଭାବିତ ହୋଇଛି। ସେହିପରି ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୭ଟି ୱାର୍ଡବାସୀ ଦୀର୍ଘଦିନ ଧରି ବନ୍ୟା ଘେରରେ ରହିଛନ୍ତି। ଜିଲାର ୫,୦୭,୫୯୫ ଜଣ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ସେହିପରି ଆଳି ଓ ରାଜକନିକା ବ୍ଲକରେ ଦୁଇଟି ଜୀବନ ନେଇଛି। ଜିଲାର ୩୮.୧୯ କିଲୋମିଟର ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବିଭିନ୍ନ ନଦୀର ୫ଟି ସ୍ଥାନରେ ବନ୍ଧ ଭାଙ୍ଗିଥିବା ବେଳେ ୭୩ଟି ସ୍ଥାନରେ ଘଳିଆ ପଡିଛି। ୭ ସ୍ଥାନରେ କଲଭର୍ଟ ଓ ୧୫୨ଟି ନଳକୂପ ପ୍ଲାଟ୍‌ଫର୍ମ ଭାଙ୍ଗିଯାଇଛି। ଏଥିସହ ଏହି ବନ୍ୟା ଜଳ ୫୪,୦୫୦ ହେକ୍ଟର ଜମିରେ ମାଡିଯାଇ ଫସଲ ନଷ୍ଟ କରିଛି। ଏଥିମଧ୍ୟରୁ ୩୬,୭୪୫ ହେକ୍ଟର ଜମିରେ ଥିବା ଫସଲ ୩୩ ପ୍ରତିଶତରୁ ଅଧିକ ନଷ୍ଟ ହୋଇଛି, ଯାହାର ଆନୁମାନିକ ମୂଲ୍ୟ ୩,୫୧୬ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଜିଲାର ୧୮,୨୩୫ଟି ଘର ବନ୍ୟା ନଷ୍ଟ କରିଛି। ୪୫ଟି କଚାଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ୫୮ଟି ଘର ସଜାଡିବା ଅବସ୍ଥାରେ ନାହିଁ। ୧୩,୨୪୬ଟି ଘର ଆଂଶିକ ଭାଙ୍ଗିଛି। ୯୧୩ଟି କୁଡିଆ ଓ ୩,୮୩୪ ଗୁହାଳ ସହ ଘର ଭାଙ୍ଗିଛି। ଯାହାର ଆନୁମାନିକ ମୂଲ୍ୟ ୬୦୯.୫୬ ଲକ୍ଷ ହେବ। ଏହି ବନ୍ୟାରେ ୫୧,୯୦୧ଟି ଗୃହପାଳିତ ପଶୁ ପ୍ରଭାବିତ ହୋଇଥିବା ବେଳେ ଏଥିମଧ୍ୟରୁ ୫ଟି ପଶୁଙ୍କ ଜୀବନ ଯାଇଛି।
ସେହିପରି ଜିଲାର ୭୦ ମାଛ ପୋଖରୀ ଓ ୬୮ଟି ଯାଆଁଳ କେନ୍ଦ୍ର ପ୍ରଭାବିତ ହୋଇଛି। ବିଭାଗୀୟ ତଥ୍ୟ ଅନୁଯାୟୀ, ଚଳିତ ବନ୍ୟାରେ ୪,୭୬୦.୮୬ ଲକ୍ଷ ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ଓ ୮,୮୯୦.୨୧ ଲକ୍ଷ ଟଙ୍କର ସରକାରୀ ସମ୍ପତ୍ତି ନଷ୍ଟ ହୋଇଛି। ବୁଦ୍ଧିଜୀବୀ ଗଣେଶ ଚନ୍ଦ୍ର ସାମଲ, ପ୍ରତାପ ଚନ୍ଦ୍ର ପାଢ଼ୀ, ପ୍ରମୋଦ କୁମାର ସ୍ବାଇଁ ପ୍ରମୁଖ କହିଛନ୍ତି, ଜିଲା ବିକାଶ ଯୋଜନାରେ ବନ୍ୟା ନିରାକରଣକୁ ଗୁରୁତ୍ୱ ଦିଆଯାଉନାହିଁ। ପ୍ରତିବର୍ଷ ବନ୍ୟା ଆସି ଜିଲାର ଧନଜୀବନ ନଷ୍ଟ କରୁଛି। ବେଣୀପୁର ଘାଇକୁ ବିଭାଗ ପକ୍ଷରୁ ୬ କୋଟି ଟଙ୍କାରେ ୨୦୧୯ରେ ସୁଦୃଢ଼ୀକରଣ କରାଯାଇଥିଲା। ତେବେ ବିରୂପା ନଦୀରେ ସାମାନ୍ୟ ଜଳପତ୍ତନରେ ଘାଇ ହେଲା। ସେହିପରି ଦୁର୍ବଳ ନଦୀବନ୍ଧ ଚିହ୍ନଟ ଓ ମରାମତିକୁ ଅଣଦେଖା କରାଯାଇଛି। ଉପାନ୍ତ ଅଞ୍ଚଳରେ ନଦୀବନ୍ଧ ଯୋଜନା ନ ଥିବାରୁ ବନ୍ୟା ଜଳ ମାଡି ଆସୁଥିବା ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଜିଲା ଜରୁରିକାଳୀନ ଅଧିକାରୀ ସମ୍ବିତ କୁମାର ଶତପଥୀ କହିଛନ୍ତି, ବନ୍ୟା ମୁକାବିଲା ପାଇଁ ପ୍ରଶାସନିକ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟ ମଧ୍ୟରେ ୩୩,୬୮୫ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୦୧ଟି କେନ୍ଦ୍ରରେ ୫ ଦିନ ପାଇଁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟା ଅଞ୍ଚଳରେ ରାଶନ ସାମଗ୍ରୀ ଓ ଅର୍ଥ ପ୍ରଦାନ କରାଯାଇଛି। ୨,୨୫,୪୦୬ ଲୋକଙ୍କୁ ଚୁଡା, ଗୁଡ ଓ ଅନ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି। ସେହିପରି ୧,୦୬୭ଟି ନଳକୂପ, ୧,୦୦୫ଟି କୂଅକୁ ବିଶୋଧିତ କରାଯାଇଛି। ୮ଟି ମେଡିକାଲ ଟିମ୍‌ ସ୍ବାସ୍ଥ୍ୟସେବାରେ ନିୟୋଜିତ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.