banner
Breaking

କେନ୍ଦ୍ରାପଡ଼ାରେ ଗଢ଼ି ଉଠିବ ଶିଳ୍ପ କାରଖାନା

0

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲାରେ ଗଢ଼ି ଉଠିବ ଶିଳ୍ପ କାରଖାନା । ଷ୍ଟିଲ ପ୍ଲାଣ୍ଟ ସମେତ ଶିଳ୍ପ କରିଡରରେ ଛୋଟବଡ ଶିଳ୍ପ ଚଳିତ ବର୍ଷ ଶେଷ ସୁଦ୍ଧା ଦେଖିବାକୁ ମିଳିବ। ଏ ନେଇ ଚଣ୍ଡିଖୋଲ-ପାରାଦୀପ ଜାତୀୟ ରାଜପଥ ପାର୍ଶ୍ୱରେ ୩ଟି ସ୍ଥାନକୁ ଚିହ୍ନଟ କରାଯାଉଛି। ଏଥିସହ ଜିଲା ପ୍ରଶାସନ ଓ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ ଏକ ସମୀକ୍ଷା ବୈଠକ ସହ ସ୍ଥାନଗୁଡିକ ଶୁକ୍ରବାର ବୁଲି ଦେଖିଛନ୍ତି। ପୂର୍ବାହ୍ନରେ ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ଦେବ, ଶିଳ୍ପ ସଚିବ ହେମନ୍ତ ଶର୍ମା, ଜିଲାପାଳ ଅମୃତ ଋତୁରାଜ, ଉପଜିଲାପାଳ ନିରଞ୍ଜନ ବେହେରା ପ୍ରମୁଖ ଜାତୀୟ ରାଜପଥର ଡେରାବିଶ ବ୍ଲକ ଅନ୍ତର୍ଗତ ରଘୁଦେଇପୁର, ରାଜନଗର ଓ ବଳଭଦ୍ରପୁର ଅଞ୍ଚଳକୁ ଶିଳ୍ପ ଭିତ୍ତିଭୂମି ପ୍ରତିଷ୍ଠା ପାଇଁ ପରିଦର୍ଶନ କରିଥିଲେ। ଏହି ୩ ସ୍ଥାନରେ ପ୍ରାୟ ୩୦୦ ଏକର ଜମିରେ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଆକଳନ କରାଯାଇଥିଲା। ଏ ସମ୍ପର୍କରେ ଶିଳ୍ପମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ କେଶରୀ ଦେବ କହିଥିଲେ ଯେ, କେନ୍ଦ୍ରାପଡ଼ା ଏକ ଶିଳ୍ପ ବିହୀନ ଜିଲା ବୋଲି ଗଣମାଧ୍ୟମ ସହ ଜିଲାବାସୀ ବାରମ୍ବାର ପ୍ରଶ୍ନ ଉଠାଉଛନ୍ତି। ତେବେ ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଷ୍ଟିଲ ପ୍ଲାଣ୍ଟ ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକ୍ରିୟା ଜାରି ରଖିଥିବାରୁ ଏବେ ଶିଳ୍ପ କରିଡରକୁ ଗୁରୁତ୍ୱ ଦିଆଯାଉଛି। ଚଣ୍ଡିଖୋଲରୁ ପାରାଦୀପ ମଧ୍ୟରେ ବିଭିନ୍ନ ସ୍ଥାନକୁ ସମୀକ୍ଷା କରାଯାଇ ଛୋଟବଡ ଶିଳ୍ପ ନିର୍ମାଣ କରିବାକୁ ସୁଯୋଗ ଦିଆଯିବ। ଶିଳ୍ପାଞ୍ଚଳ ପାଇଁ ସମସ୍ୟା ଥିବା ଜମି ଅଧିଗ୍ରହଣଠାରୁ ଶିଳ୍ପ ପ୍ରତିଷ୍ଠା ମଞ୍ଜୁରୀକୁ ଖୁବ୍‌ କମ ଦିନ ମଧ୍ୟରେ ସାରିବାକୁ ଜିଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିଦର୍ଶନ ସମୟରେ ଡେରାବିଶ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସରୋଜ ସାହୁଙ୍କ ସମେତ ବିଜେଡି ଦଳର କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.