banner
Breaking

ନିର୍ବାଚନ ଆଚରଣବିଧି ଉଲ୍ଲଙ୍ଘନ କରି ଦୁଇ ନିଲମ୍ବିତ

0

ଭୁବନେଶ୍ୱର,୧୯।୧(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ମା’ ତାରିଣୀ କଲେଜ ଅଧ୍ୟକ୍ଷ ବିକାଶ ଦାଶ ଓ ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କୁ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଚାକିରିରୁ ନିଲମ୍ବିତ କରାଯାଇଛି। ଅଧ୍ୟକ୍ଷ ଦାଶଙ୍କ ବିରୋଧରେ ମାର୍ଶାଘାଇ ଥାନାରେ ମଧ୍ୟ ମାମଲା ରୁଜୁ କରାଯାଇଛି। କେନ୍ଦ୍ରାପଡ଼ା ଜିଲାପାଳଙ୍କ ରିପୋର୍ଟ ଆଧାରରେ କମିଶନ ଏହି ୨ ସରକାରୀ ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମ୍ପୃକ୍ତ ବିଭାଗକୁ ସୁପାରିସ କରିଥିଲେ। ଏଥିସହ ଅଧ୍ୟକ୍ଷଙ୍କ ନାଁରେ ଥାନାରେ ଏଫ୍‌ଆଇଆର ରୁଜୁ କରିବା ପାଇଁ ଜିଲାପାଳଙ୍କୁ କହିଥିଲେ। ସେହିପରି ସାଲେପୁର ଏସ୍‌ଡିପିଓ ପ୍ରଶାନ୍ତ ମାଝିଙ୍କୁ ନିଲମ୍ବନ କରିବା ପାଇଁ ଡିଜିପିଙ୍କୁ ସୁପାରିସ କରାଯାଇଥିଲା।ଏଠାରେ ଉଲ୍ଲେଖଯୋଗ୍ୟ ଯେ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନ ଜାରି କରିଥିବା ଗାଇଡ୍‌ଲାଇନକୁ ଉଲ୍ଲଂଘନ କରି ଗତ ରବିବାର ମା’ତାରିଣୀ କଲେଜରେ ନିର୍ବାଚନୀ ସଭା ଆୟୋଜିତ ହୋଇଥିଲା । ଏହି ସଭାରେ ୨ ଶହରୁ ଊର୍ଦ୍ଧ୍ୱ ଲୋକ ଏକତ୍ରିତ ହୋଇଥିଲେ। ଗଡ଼ରୋମିତ ପଞ୍ଚାୟତର ଆଶାୟୀ ସରପଞ୍ଚ ପ୍ରାର୍ଥୀ (ଜଣେ ମହିଳା)ଙ୍କୁ ଜିତାଇବା ପାଇଁ ଏହି ସଭା ଆୟୋଜିତ ହୋଇଥିବା ଅଭିଯୋଗ ହୋଇଥିଲା। ଅଧ୍ୟକ୍ଷ ଦାଶ ଏବଂ ଏସ୍‌ଡିପିଓ ମାଝି ଉକ୍ତ ପଞ୍ଚାୟତର ବାସିନ୍ଦା ହୋଇଥିବାରୁ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ କେନ୍ଦ୍ରାପଡ଼ା ଜିଲାପାଳଙ୍କୁ ରିପୋର୍ଟ ତଲବ କରିଥିଲେ। ଜିଲାପାଳଙ୍କ ରିପୋର୍ଟ ଆଧାରରେ ଉଭୟ ସରକାରୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।
ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ଜାନୁୟାରୀ ୧୧ ତାରିଖରୁ ରାଜ୍ୟରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। କୋଭିଡ୍‌ ମହାମାରୀ ଯୋଗୁ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଓ ପଥପ୍ରାନ୍ତ ସଭା ଆଦି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି। କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଘରକୁ ଘର ବୁଲି ପ୍ରଚାର କରିପାରିବେ।

Khansweb Solution Bhubaneswar

Leave A Reply

Your email address will not be published.