banner
Breaking

ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ହେବି

0

ଭୁବନେଶ୍ୱର : କେନ୍ଦ୍ରାପଡ଼ା ସହରର ବାଳିକା ବିଦ୍ୟାଳୟ ପରିସରରେ ଜିଲାର ୩୦ ହାଇସ୍କୁଲର ରୂପାନ୍ତରଣ କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଥିଲା। ଏଥିରେ ଉକ୍ତ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ସୋନମ ପରୱିନଙ୍କ ମନ୍ତବ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୋନମ ନିଜ ହାଇସ୍କୁଲର ପରିବର୍ତ୍ତନ ସମ୍ପର୍କରେ ମତ ଦେବା ପରେ ଭବିଷ୍ୟତରେ ଆପଣ କ’ଣ ହେବାକୁ ଚାହୁଁଛନ୍ତି ବୋଲି ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ସୋନମ କହିଥିଲେ, ମୁଁ ପାଣ୍ଡିଆନ ସାର୍‌ଙ୍କ ପରି ଆଇଏଏସ୍‌ ଅଫିସର ହେବି। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପସ୍ଥିତ ଥିବା ୫-ଟି ସଚିବ ଭି.କେ.ପାଣ୍ଡିଆନ କହିଥିଲେ, ସରକାରୀ ସ୍କୁଲରେ ପଢ଼ି ଆଇଏଏସ୍‌ ଅଫିସର ହେବାରେ କୌଣସି ଅସୁବିଧା ନାହିଁ। ନିଜେ ସରକାରୀ ସ୍କୁଲରେ ପାଠ ପଢ଼ିଥିବା ଓ ତୁମ ଜିଲାର ଜିଲାପାଳ ଅମୃତ ଋତୁରାଜ ସରକାରୀ ସ୍କୁଲରେ ପଢ଼ିଥିବା ଉଦାହରଣ ଦେଇଥିଲେ।

କେନ୍ଦ୍ରାପଡ଼ାର ୩୦ ରୂପାନ୍ତରଣ ହାଇସ୍କୁଲ ଉଦ୍‌ଘାଟିତ

କେନ୍ଦ୍ରାପଡ଼ା ଜିଲାର ୩୪୩ଟି ହାଇସ୍କୁଲ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୦ଟି ହାଇସ୍କୁଲର ରୂପାନ୍ତରଣ ହୋଇଛି। ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡ୍‌ରେ ଶନିବାର ଉଦ୍‌ଘାଟନ କରିଛନ୍ତି। ଏଥିପାଇଁ ସହରର ବାଳିକା ହାଇସ୍କୁଲଠାରେ ଜିଲାପାଳ ଅମୃତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ରାଜନଗର ବିଧାୟକ ଧ୍ରୁବ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ, ଜିଲା ପରିଷଦ ଅଧ୍ୟକ୍ଷ ମାନସ କୁମାର ପରିଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଆଇନମନ୍ତ୍ରୀ ଜେନା ସରକାରୀ ସ୍କୁଲର ୫-ଟି ରୂପାନ୍ତରଣ ପ୍ରତିଭା ବିକାଶରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ଜିଲାର ଆଳି ନିର୍ବାଚନ ମଣ୍ଡଳୀରେ ୫, କେନ୍ଦ୍ରାପଡ଼ାରେ ୭, ପାଟକୁରାରେ ୧୦, ମହାକାଳପଡ଼ାରେ ୩ ଓ ରାଜନଗରରେ ୫ଟି ହାଇସ୍କୁଲକୁ ରୂପାନ୍ତରଣ କରାଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ଜିଲାର ୧୫୨ସ୍କୁଲର ରୂପାନ୍ତରଣ ହେବ ବୋଲି ଏଠାରେ ସୂଚନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.