ଭୁବନେଶ୍ୱର : ପ୍ରତ୍ୟେକଟି ସାହିତ୍ୟିକଙ୍କ ଜୀବନ ଅବସୋସ । ବିନା ଅବସୋସରେ ସାହିତ୍ୟିକ ଜୀବନ ନାହିଁ । ଜଣେ ସାହିତ୍ୟିକ ଜୀବନ କାଳ ମଧ୍ୟରେ ଅନେକ ସାହିତ୍ୟ ରଚନା କରିଥାଏ । ୧୦୦ ଖଣ୍ଡ ବହି ପ୍ରକାଶିତ ହୋଇ ସାରିବା ପରେ ବି ମନରେ ଅବସୋସ ଥାଏ ଯେ ଆଉ କିଛି ରହିଗଲା । ଏହି ଅବସୋସ ହିଁ ନୂତନ ସାହିତ୍ୟ ସୃଷ୍ଟି କରେ । ଏ ଅବସୋସ ସାହିତ୍ୟିକ ମାନଙ୍କ ପାଇଁ ମୂଲ୍ୟବାନ ଉପହାର । ଅବସୋସ ନରହିଲେ ସାହିତ୍ୟିକ ଜୀବନ ସଫଳ ହେବ ନାହିଁ ବୋଲି ମୁଖ୍ୟ ଅତିଥି ଭାବେ ଯୋଗଦେଇ ସୁସାହିତ୍ୟିକା ତଥା କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତ କହିଛନ୍ତି । ଆଜି ପଟିଆ ସ୍ଥିତ ତ୍ରିଷ୍ଣା ମଣ୍ଡପରେ କବିତା ପୁସ୍ତକ ଲୋକାର୍ପଣ ଉତ୍ସବରେ ବନଫୁଲ ପ୍ରକାଶିତ କବି ନାରାୟଣ ସେଠୀଙ୍କ ଦ୍ୱିତୀୟ କବିତା ସଂକଳନ ମୁଠାଏ ଅବସୋସ ଲୋକାର୍ପିତ ହୋଇଯାଇଛି । ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସୁସାହିତ୍ୟିକା ତଥା କାଦମ୍ବିନୀର ସମ୍ପାଦିକା ଡକ୍ଟର ଇତି ସାମନ୍ତ, ମୁଖ୍ୟବକ୍ତା ଭାବେ କବି ତଥା ସମାଲୋଚକ ପ୍ରଫେସର ପ୍ରଦୀପ୍ତ କୁମାର ବାରିକ ଯୋଗଦେଇ ପୁସ୍ତକର ସମୀକ୍ଷା କରିଥିଲେ । ସମ୍ମାନିତ ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗର ଅବସରପ୍ରାପ୍ତ ଉପନିର୍ଦ୍ଦେଶକ ପ୍ରଫେସର ପ୍ରଦୀପ କୁମାର ଦାସ, ବନଫୁଲ ପ୍ରକାଶନୀର ମୁଖ୍ୟ ପବିତ୍ର ବ୍ରହ୍ମପୁତ୍ର ନାୟକ ପ୍ରମୁଖ ଯୋଗଦେଇଥିଲେ । କବି ନାରାୟଣ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।




