banner
Breaking

ବାତ୍ୟା କ୍ଷୟକ୍ଷତିର ରିପୋର୍ଟ ମାଗିଲେ ସରକାର

0

ଭୁବନେଶ୍ୱର, ୭।୧୨(ବ୍ୟୁରୋ): ବାତ୍ୟା ‘ଜଓ୍ବାଦ’ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଯୋଗୁ ଚାଷ କ୍ଷତିଗ୍ରସ୍ତ ହୋଇଛି। ଧାନ ସହିତ ପନିପରିବା ଫସଲ ମଧ୍ୟ ନଷ୍ଟ ହୋଇଛି। ତେଣୁ ଫସଲ କ୍ଷୟକ୍ଷତି ରିପୋର୍ଟ ଜିଳାପାଳଙ୍କୁ ମଗାଯାଇଛି। ୭ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା ସୋମବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି। ଯେଉଁ ଚାଷୀମାନେ ପ୍ରଭାବିତ ହୋଇଥିବେ ରିଲିଫ କୋଡ୍‌ ଅନୁସାରେ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି।
ଅପରପକ୍ଷେ ‘ଜୱାଦ’ ଆହୁରି ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି। ଏହା ସହିତ ଓଡ଼ିଶା ପାଇଁ କୌଣସି ସତର୍କ ସୂଚନା ନ ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ଉପକୂଳ ତଥା ସଂଲଗ୍ନ ଜିଲାଗୁଡ଼ିକରେ ପାଗ ମେଘୁଆ ରହିଛି। ମଙ୍ଗଳବାରଠାରୁ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ। ଏଥିସହ ତାପମାତ୍ରା ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇ ସ୍ବାଭାବିକ ଶୀତ ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ଆକଳନ କରିଛି।
ତେବେ ରବିବାର ରାତିରୁ ସୋମବାର ସକାଳ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲା। ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ଏହି ସମୟରେ ଏରସମାରେ ସର୍ବାଧିକ ୨୩୪ ମି.ମି. ବର୍ଷା ହୋଇଥିବାବେଳେ ପାରାଦୀପରେ ୨୦୦.୫, ବାଲିକୁଦରେ ୧୫୪, କୁଜଙ୍ଗ ୧୪୦, ନୁଆଗାଁ ୧୩୧, ମାର୍ଶାଘାଇ ୧୨୮, ଗରଦପୁର ୧୨୮, ରାଜନଗର ୧୧୮, କାକଟପୁର ୧୧୭.୨, ତିର୍ତ୍ତୋଲ ୧୧୫, ଅସ୍ତରଙ୍ଗ ୧୦୯, ମହାକାଳପଡ଼ା ୧୦୩ ମି.ମି. ବର୍ଷା ରେକର୍ଡ କରାଯାଇଛି। ସେପଟେ ରାଜସ୍ବ ବିଭାଗର ରିପୋର୍ଟ ଅନୁସାରେ, ରାଜ୍ୟରେ ଡିସେମ୍ବର ୪ରୁ ୬ ତାରିଖ ମଧ୍ୟରେ ୩୫.୮ ମି.ମି. ବୃଷ୍ଟିପାତ ହୋଇଛି। ୩ ଜିଲାରେ ୧୦୦ ମି.ମି.ରୁ ଅଧିକ ବର୍ଷା ହୋଇଛି। ସେହି ଜିଲାଗୁଡ଼ିକ ହେଲା ଜଗତ୍‌ସିଂହପୁର ୧୯୨ ମି.ମି., କେନ୍ଦ୍ରାପଡ଼ା ୧୩୩.୯ ମି.ମି. ଏବଂ ପୁରୀରେ ୧୧୩.୫ ମି.ମି.। ସେହିଭଳି ଖୋର୍ଦ୍ଧାରେ ୭୪.୮ ମି.ମି., ଗଞ୍ଜାମ ୭୩.୩ ମି.ମି., କଟକ ୬୧.୮ ମି.ମି., ବାଲେଶ୍ୱରରେ ୫୩.୪ ମି.ମି., ନୟାଗଡ଼ରେ ୫୨.୩ ମିମି ଏବଂ ଭଦ୍ରକରେ ୫୧.୬ ମିମି ଅର୍ଥାତ୍‌ ଏହି ୬ଟି ଜିଲାରେ ହାରାହାରି ୫୦ ମି.ମି. ବୃଷ୍ଟିପାତ ହୋଇଛି। ୮ ଜିଲାରେ ହାରାହାରି ବୃଷ୍ଟିପାତ ୧୦ମି.ମି.ରୁ ଅଧିକ ଓ ୧୨ ଜିଲାରେ ଏହାଠାରୁ କମ୍‌ ପରିମାଣର ବର୍ଷା ହୋଇଥିବା ରାଜସ୍ବ ବିଭାଗ ସୂଚନା ଦେଇଛି।

Khansweb Solution Bhubaneswar

Leave A Reply

Your email address will not be published.