banner
Breaking

ବାତ୍ୟା ଉଜାଡି ଦେଲା ଧାନ

0

କେନ୍ଦ୍ରାପଡ଼ା, ୫ା୧୨: କେନ୍ଦ୍ରାପଡ଼ା ଜିଲାର ବିଭିନ୍ନ ସ୍ଥାନରେ ଗତ ଶୁକ୍ରବାର ସନ୍ଧ୍ୟାରୁ ଝିପିଝିପି ବର୍ଷା ଆରମ୍ଭ ହୋଇଛି। ବର୍ଷାରେ ଚାଷୀଙ୍କ ଫସଲ ନଷ୍ଟ ହେବା ଆଶଙ୍କା ରହିଛି। ସମୁଦ୍ର ଅଶାନ୍ତ ହୋଇଛି। ତଟାଞ୍ଚଳରେ ଉଚ୍ଚ ଜୁଆର ଦେଖିବାକୁ ମିଳିଛି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ ଥିବା ସୂଚନା ମିଳିଛି। ଇତିମଧ୍ୟରେ ୧୭୩ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଜିଲାର ୭୩ ଜଣ ଗର୍ଭବତୀଙ୍କୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ଥଇଥାନ କରାଯାଇଛି।
ରାଜନଗର ବ୍ଲକ ଅଞ୍ଚଳର ସୁଦର୍ଶନ ରାଉତ କହିଛନ୍ତି, ସମୁଦ୍ର ଜୁଆର ଅମାବାସ୍ୟା ତିଥି ଯୋଗୁ ଉତ୍ତାଳ ହୋଇଛି। ୧ ମିଟରରୁ ଅଧିକ ଉଚ୍ଚ ଜୁଆର ତଟାଞ୍ଚଳକୁ ଆସୁଛି। ସାତଭାୟା ସମେତ, ତାଳଚୁଆ, ରଙ୍ଗଣୀ, ଗୁପ୍ତି, ଖରିନାଶୀ, କଂସାର ବଡଦାଣ୍ଡୁଆ, ସୁନିତି ଆଦି ତଟାଞ୍ଚଳବାସୀ ଉଚ୍ଚ ଜୁଆରକୁ ନେଇ ଭୟରେ ଅଛନ୍ତି। ବାତ୍ୟା ପ୍ରକୋପରେ ଅଧିକ ଜୁଆର ଆସିଲେ ସ୍ଥାନୀୟ ଅଞ୍ଚଳକୁ ମାଡି ଆସିବାର ସମ୍ଭାବନା ଅଛି। ଫଳରେ ଚାଷ କ୍ଷତିଗ୍ରସ୍ତ ହେବା ସହ ଲୋକମାନଙ୍କୁ ସ୍ଥାନାନ୍ତର କରିବାକୁ ହେବ।

ମହାକାଳପଡ଼ା ବ୍ଲକ ଜମ୍ବୁ ଅଞ୍ଚଳର ପ୍ରତାପ ଜେନା କୁହନ୍ତି, ଝିପିଝିପି ବର୍ଷା ଖରିଫ ଧାନ ଓ ପନିପରିବା ପାଇଁ ବିପଦ ହୋଇଛି। ଖରିଫ ଧାନ ଅମଳ ହୋଇନାହିଁ। ପାଚିଲା ଧାନ କ୍ଷେତରେ ଅଧିକ ଦିନ ପାଣି ଜମି ରହିଲେ ପାଚିଲା ଧାନ ଗଜା ହୋଇଯିବ। ସେହିପରି ପନିପରିବା ଚାଷୀ ଋଣ ସୁଝିବା ଚିନ୍ତାରେ ଅଛନ୍ତି। ରାଜକନିକାର ପ୍ରତିମା ସାମଲ କହିଛନ୍ତି, ସମ୍ଭାବ୍ୟ ବାତ୍ୟାକୁ ଦେଖି ଜିଲା ପ୍ରଶାସନ ପକ୍ଷରୁ ସମସ୍ତ ଗର୍ଭବତୀଙ୍କୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି। ମୁଁ ମଧ୍ୟ ୯ମାସର ଗର୍ଭବତୀ ଥିବାରୁ ସରପଞ୍ଚଙ୍କ ଅନୁରୋଧ ରକ୍ଷା କରି ସ୍ବାସ୍ଥ୍ୟକେନ୍ଦ୍ରକୁ ଆସିଛି। କେନ୍ଦ୍ରାପଡ଼ା ବ୍ଲକ କଂସାର ଗ୍ରାମର ନିରଞ୍ଜନ ପରିଡ଼ା କହିଛନ୍ତି, ଚଳିତ ବର୍ଷ ସେ ନିଜର ଓ ଭାଗରେ ପ୍ରାୟ ୧୫ ଏକର ଜମିରେ ଖରିଫ ଧାନ ଚାଷ କରିଛନ୍ତି। ଏଥିସହିତ କିଛି ଜମିରେ ବିରି ଓ ମୁଗ ବିହନ ପକାଇଛନ୍ତି। ବାତ୍ୟା ସତର୍କତା ସମ୍ପର୍କରେ ଜାଣିବା ପରେ କେତେଜଣ କୃଷି ଶ୍ରମିକଙ୍କୁ ଲଗାଇ ଦରପାଚିଲା ଧାନ କ୍ଷେତରୁ କାଟିଛନ୍ତି। ତେବେ ସେହି ଧାନର ସଂରକ୍ଷଣ ପାଇଁ ସମୟ ମିଳିଲା ନାହିଁ। ଜିଲାରେ ଆବଶ୍ୟକ ଅନୁଯାୟୀ ହାର୍ଭେଷ୍ଟର ଓ କୃଷି ଶ୍ରମିକ ମିଳୁନାହାନ୍ତି। ଲଗାଣ ବର୍ଷା ହେଲେ ଫସଲ ନଷ୍ଟ ହେବ ବୋଲି ସେ ଆଶଙ୍କା ପ୍ରକଟ କରିଛନ୍ତି। ବାତ୍ୟାର ମୁକାବିଲା ସମ୍ପର୍କରେ ଜିଲା ଜରୁରୀକାଳୀନ ଅଧିକାରୀ ହେମଲତା ବାହାଲିଆ କହିଛନ୍ତି, ଜିଲା ପ୍ରଶାସନ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ ଅଛି। ଇତିମଧ୍ୟରେ ସମୁଦ୍ରକୁ ଯାଇଥିବା ସମସ୍ତ ବୋଟ୍‌ ଓ ଟ୍ରଲର କୂଳକୁ ଫେରି ଆସିଛି। କଚ୍ଚା ଘରେ ରହିଥିବା ଲୋକ, ବୃଦ୍ଧାବୃଦ୍ଧଙ୍କୁ ସ୍ଥାନାନ୍ତର କରାଯାଉଛି। ଅପରାହ୍ନ ୨ଟା ସୁଦ୍ଧା ଡେରାବିଶ ବ୍ଲକ ଅଞ୍ଚଳରେ ୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇ ଗୋଟିଏ ଫ୍ରି କିଚେନ ମାଧ୍ୟମରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ଗରଦପୁର ବ୍ଲକ ଅଞ୍ଚଳରେ ୪ ଜଣ, ମାର୍ଶାଘାଇରେ ୩୦ ଜଣ ଓ ରାଜକନିକାରେ ୬୪ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ରାଜନଗର ଓ ମହାକାଳପଡ଼ା ସମୁଦ୍ର ତଟାଞ୍ଚଳରୁ ସ୍ଥାନାନ୍ତର ପ୍ରକ୍ରିୟା ଜାରି ରହିଛି। ଅନ୍ୟ ୩ଟି ବ୍ଲକ ଓ ୨ଟି ପୌରାଞ୍ଚଳର ତଥ୍ୟ ଅଦ୍ୟାବଧି ହସ୍ତଗତ ହୋଇନାହିଁ। ପ୍ରଶାସନ ପକ୍ଷରୁ ବିଭିନ୍ନ ଲାଇନ୍‌ ଡିପାର୍ଟମେଣ୍ଟକୁ ସଜାଗ କରା ଯାଇଥିବା ବେଳେ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏଥିରେ ସହଯୋଗ କରୁଥିବା ଜିଲା ଜରୁରୀକାଳୀନ ଅଧିକାରୀ ବାହାଲିଆ ପ୍ରକାଶ କରିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.