banner
Breaking

ଯାଜପୁରରେ ଭୟଙ୍କର ବନ୍ୟା।

0

ଯାଜପୁର ,୨୯ା୮(ବ୍ୟୁରୋ): ବ୍ରାହ୍ମଣୀ, ବୈତରଣୀ ଏବଂ ଏହାର ଶାଖା ନଦୀଗୁଡ଼ିକ ଦ୍ୱାରା ଯାଜପୁର ଜିଲାରେ ବନ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ୨୯ଟି ସ୍ଥାନରେ ଘାଇ ସୃଷ୍ଟି ହୋଇ ବ୍ୟାପକ ଅଞ୍ଚଳକୁ ଜଳମଗ୍ନ କରିଛି। ରାସ୍ତା ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ୨୯ଟି ଘାଇ ମଧ୍ୟରୁ ବରୀ ବ୍ଲକର ୧୦, ରସୁଲପୁର ବ୍ଲକର ୭, ଯାଜପୁର ବ୍ଲକର ୫, ବିଞ୍ଝାରପୁର ଓ ଦଶରଥପୁର ବ୍ଲକର ୩ ଲେଖାଏ ଏବଂ ସୁକିନ୍ଦା ବ୍ଲକର ଗୋଟିଏ ରହିଛି। ନଦୀବନ୍ଧ ନିର୍ମାଣ ଓ ମରାମତି କାର୍ଯ୍ୟ ନିମ୍ନମାନର ହୋଇଥିବା ଯୋଗୁ ବିଭିନ୍ନ ସ୍ଥାନରେ ଘାଇ ସୃଷ୍ଟି ହୋଇ ଧନଜୀବନ ହାନି ଘଟିଛି ବୋଲି ବନ୍ୟା ବିପନ୍ନମାନେ ଅଭିଯୋଗ କରୁଛନ୍ତି। ବନ୍ୟାଯୋଗୁ ଘରକାନ୍ଥ ପଡ଼ି ଯାଜପୁର ବ୍ଲକ ପଣସା ପଞ୍ଚାୟତ ବେହେରାପାଟଣା ଗ୍ରାମର ଅମର ମାଝିଙ୍କ ୩ ମାସର ଶିଶୁକନ୍ୟା ଲକ୍ଷ୍ମୀଙ୍କ ମୃତ୍ୟୁ ଘଟିଛି। ସେହିପରି ରସୁଲପୁର ବ୍ଲକ ବନ୍ଧଢ଼ିହ ପଞ୍ଚାୟତର କାଣ୍ଡିଆ ସାହି ନିକଟରେ ବ୍ରାହ୍ମଣୀ ନଦୀବନ୍ଧରେ ୧୫୦ ଫୁଟର ଘାଇ ସୃଷ୍ଟି ହେବା ପରେ ୨ମହଲା ବିଶିଷ୍ଟ ଏକ କୋଠା ଭୁଶୁଡ଼ି ପଡ଼ିଛି। ବନ୍ୟାଯୋଗୁ ୧୦ ବ୍ଲକର ୧୨୪ ପଞ୍ଚାୟତର ୫୩୦ ଗ୍ରାମର ୪,୩୭,୦୧୪ ଲୋକ ଏବଂ ୨,୮୬,୩୨୭ ପ୍ରାଣୀ ପ୍ରଭାବିତ ହୋଇଛନ୍ତି। ୨୪,୦୯୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୧୨୭ଟି ରିଲିଫ୍‌ କେନ୍ଦ୍ରରେ ଥଇଥାନ କରାଯାଇଛି। ଉଦ୍ଧାର କାର୍ଯ୍ୟରେ ୧୯ ଡଙ୍ଗା, ୧୨ ଅଗ୍ନିଶମ ଦଳ ଓ ୨ ଏନ୍‌ଡିଆର୍‌ଏଫ୍‌ ଟିମ୍‌କୁ ନିୟୋଜିତ କରାଯାଇଛି। ପ୍ରଭାବିତ ଲୋକଙ୍କୁ ଜିଲା ପ୍ରଶାସନ ପକ୍ଷରୁ ୪୧୨ କୁଇଣ୍ଟାଲ ଚୁଡା ଓ ୪୦ କୁଇଣ୍ଟାଲ ଗୁଡ ସହ ୫୨୨ ରୋଲ ପଲିଥିନ ବଣ୍ଟନ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.