banner
Breaking

ବ୍ୟାଙ୍କ ଡକାୟତି ଘଟଣାରେ ୫ ଗିରଫ

0

ଜଗତ୍‌ସିଂହପୁର , ୨୩|୧: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ଓଡ଼ିଶୋ ନିକଟରୁ ଗତ ୧୭ ତାରିଖରେ ୟୁନିଟ୍‌ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଜଗତ୍‌ସିଂହପୁର ଶାଖା ମହିଳା ଲୋନ ଅଫିସରଙ୍କଠାରୁ ପିସ୍ତଲ ଦେଖାଇ ୬୩ ହଜାର ଟଙ୍କା ଲୁଟ୍‌ କରାଯାଇଥିଲା। ଏନେଇ କଟକ ଜିଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଲିଆରା ଗ୍ରାମର ତଥା ଲୋନ ଅଫିସର ପ୍ରିୟଙ୍କା ପ୍ରିୟଦର୍ଶିନୀ ମହାନ୍ତି (୧୯) ଜଗତ୍‌ସିଂହପୁର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଶନିବାର ପୋଲିସ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଭରତପୁର ଥାନା ଗୋପାଳସାହି ଜଗନ୍ନାଥ ବିହାରରେ ରହୁଥିବା ସ୍ଥାନୀୟ ଓଡ଼ିଶୋର ଅଭିଜିତ ମହାରଣା (୨୧), ସାଗର ରଞ୍ଜନ ମହାରଣା (୨୩), କାଶୀନାଥ ବିଶ୍ୱାଳ ଓରଫ କାଶୀ (୨୮), କୃଷ୍ଣ ଚନ୍ଦ୍ର ଭୋଇ ଓରଫ ଧୁଣ୍ଡ (୨୦) ଓ ଭରତପୁର ଥାନା ବରମୁଣ୍ଡା ଟେଲ୍‌କୋ କଲୋନୀରେ ରହୁଥିବା ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କଇଣିର ରାକେଶ ପ୍ରଧାନ (୧୯)। ସେମାନଙ୍କ ନିକଟରୁ ନଗଦ ୩୨,୨୮୦ ଟଙ୍କା ସହ କଳା ରଙ୍ଗର ସ୍କୁଟି, ବାଇକ୍‌, ୪ ମୋବାଇଲ ଫୋନ୍‌ ଓ ଗୋଟିଏ ମେଟାଲିକ୍‌ ପିସ୍ତଲ ଜବତ କରାଯାଇଛି ବୋଲି ଜଗତ୍‌ସିଂହପୁର ଥାନା ପରିସରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଏସ୍‌ଡିପିଓ ରମେଶ ଚନ୍ଦ୍ର ସିଂହ ଓ ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ କହିଛନ୍ତି। ସେମାନେ କହିଛନ୍ତି, ଲୁଟ୍‌ର ୧୫ ଦିନ ପୂର୍ବରୁ ଅଭିଯୁକ୍ତମାନେ ଏଥିପାଇଁ ଯୋଜନା କରିଥିଲେ। କାରଣ ପ୍ରତ୍ୟେକ ସୋମବାର ଲୋନ୍‌ ଅଫିସର ମହାନ୍ତି ଗ୍ରୁଫଗୁଡିକରୁ ଟଙ୍କା ସଂଗ୍ରହ କରି ଜଗତ୍‌ସିଂହପୁର ଫେରିଥାନ୍ତି। ଗତ ୧୭ ତାରିଖରେ ମହାନ୍ତି ଦେଭୋଗ ଓ ଓଡ଼ିଶୋ ଅଞ୍ଚଳରୁ ଫାଇନାନ୍ସ ଲୋନ୍‌ ଟଙ୍କା ସଂଗ୍ରହ କରି ନିଜ ସ୍କୁଟିରେ ଓଡ଼ିଶୋରୁ ଫେରୁଥିଲେ। ପୂର୍ବପ୍ରସ୍ତୁତି ମୁତାବକ ୫ ଅଭିଯୁକ୍ତ ଏକ ନିକାଞ୍ଚନ ସ୍ଥାନରେ ତାଙ୍କୁ ଅଟକାଇ ପିସ୍ତଲ ଦେଖାଇ ପ୍ରଥମେ ଭୟଭୀତ କରିବା ପରେ ପାଖାରେ ଥିବା ଟଙ୍କା ଲୁଟ୍‌ ନେଇଥିଲେ। ଗଲାବେଳେ ମହାନ୍ତିଙ୍କ ସ୍କୁଟି ମଧ୍ୟ ନେଇ ଯାଇଥିଲେ।ଅଭିଯୋଗ ପରେ ପୋଲିସ ମାମଲା (ନଂ.୪୦/୨୨) ରୁଜୁ କରିଥିଲା।ତେବେ ସ୍ଥାନୀୟ କେତେଜଣ ଗୁପ୍ତଚର ଓ କ୍ଷେତ୍ର ପରିଦର୍ଶନ ଆଧାରରେ ଅଭିଯୁକ୍ତମାନଙ୍କ ଗତିବିଧି ସମ୍ପର୍କରେ ଜଣାପଡିଥିଲା। ତା ପରେ ଯୋଜନା ମୁତାବକ ସେମାନଙ୍କୁ ଗିରଫ କରାଯାଇଥିଲା ବୋଲି ପୋଲିସ କହିଛି।

Khansweb Solution Bhubaneswar

Leave A Reply

Your email address will not be published.