banner
Breaking

ବାଜିଲା ନିର୍ବାଚନ ଘଣ୍ଟି। ତିର୍ତ୍ତୋଲ ବିଜେଡି ଦୁର୍ଗ ରକ୍ଷା ହେବ ତ?

0

ଭୁବନେଶ୍ଵର,୨୯/୯(ବ୍ୟୁରୋ):ବାଜିଲା ଉପ ନିର୍ବାଚନ ଘଣ୍ଟି । ତିର୍ତ୍ତୋଲ ଓ ବାଲେଶ୍ଵର ବିଧାନସଭା ଉପନିର୍ବାଚନ ନିମନ୍ତେ ଆରମ୍ଭ ହୋଇଛି ନିର୍ବାଚନ ପ୍ରକ୍ରିୟା । ନଭେମ୍ବର ୩ ତାରିଖରେ ଭୋଟ ହେବ ଏବଂ ୧୦ ତାରିଖରେ ଗଣତି । ଏହିକ୍ରମରେ ସକ୍ରିୟ ହୋଇଛନ୍ତି ୩ ରାଜନୈତିକ ଦଳ । ଗତ ପ୍ରାୟ ୨ ଦଶନ୍ଧି ଧରି ତିର୍ତୋଲକୁ ନିଜର ଦୁର୍ଗରେ ପରିଣତ କରିଥିବା ବିଜେଡ଼ି ପୁଣିଥରେ ବିଷ୍ଣୁ ଦାସଙ୍କ ଅବର୍ତମାନରେ ଏଠାରେ ବିଜୟୀ ହେବାକୁ ଆଶା ସ୍ବାଭାବିକ ବାନ୍ଧିଛି । ଅବଶ୍ୟ ତିର୍ତୋଲରେ ବ୍ୟକ୍ତି ଅପେକ୍ଷା ଗତ ୨୦ ବର୍ଷ ମଧ୍ୟରେ ନବୀନଙ୍କ ଉପରେ ଦଳ ନିର୍ଭର କରିଛି ଏବଂ ବିଜେଡ଼ି ଏଠି ଅପ୍ରତିଦ୍ବନ୍ଦ୍ବୀ ଦଳ ଭାବରେ ଉଭା ହୋଇଛି । ଚଳିତ ଉପନିର୍ବାଚନରେ ବିଜେଡ଼ି ତୁଳନାତ୍ମକ ଭାବରେ ଅନ୍ୟମାନଙ୍କଠାରୁ ଅଗ୍ରଣୀ ରହିଛି, ତଥାପି ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ହୋଇଛି ଗୋଷ୍ଠୀ ବିବାଦ  । ଜିଲା ସଭାପତି ପ୍ରଶାନ୍ତ ମୁଦୁଲି ତିର୍ତୋଲ ପ୍ରସଙ୍ଗ ଓ ପ୍ରାର୍ଥୀ ମନୋନୟନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ସମ୍ପୂର୍ଣ୍ଣ ଛାଡ଼ି ଦେଇଛନ୍ତି । ଦଳ ଯାହାକୁ ପ୍ରାର୍ଥୀ କରିବ ସେ ବିଜୟୀ ହେବେ ବୋଲି ପ୍ରଶାନ୍ତ କହିଛନ୍ତି । ଏହା ସତ୍ବେ ଦଳର ଭୋଟହାର ପୂର୍ବ ପରି ଅପରିବର୍ତିତ ରଖିବା ଦଳ ପାଇଁ ବର୍ତମାନ ଗୋଷ୍ଠୀ ବିବାଦ ପରିପ୍ରେକ୍ଷୀରେ ସବୁଠୁ ବଡ଼ ଆହ୍ବାନ ହୋଇଛି ।

ପରଲୋକଗତ ବିଧାୟକ ବିଷ୍ଣୁ ଦାସଙ୍କ ଅନୁଗତ ଗୋଷ୍ଠୀ ପୁଅ ବିଜୟଶଙ୍କରଙ୍କ ପ୍ରାର୍ଥିତ୍ଵ ନିମ​‌ନ୍ତେ ଲବି କରୁଛନ୍ତି । ବିଜୟଶଙ୍କର ଯଦିଓ ରାଜନୀତିରେ ପୁରୁଣା ବୋଲି କୁହାଯାଇପାରିବ ନାହିଁ, ତେ​‌ବେ ବିଷ୍ଣୁଙ୍କ ଉତ୍ତରାଧିକାରୀ ଭାବରେ ପ୍ରାର୍ଥୀହେବା ନିମନ୍ତେ ପ୍ରଥମ ଦାବିଦାର ମନେ ହେଉଛନ୍ତି । ବିଷ୍ଣୁ ଜୀବିତ ଥିବା ସମୟରେ ୨୦୧୯ ବିଧାନସଭା ନିର୍ବାଚନ କାଳରେ ପୁଅକୁ ପ୍ରାର୍ଥୀ କରିବା ପାଇଁ ଢ଼େର ଚେଷ୍ଟା କରିଥିଲେ ହେଁ ସଫଳ ହୋଇ ପାରି ନ ଥିଲେ । ପ୍ରଭାତ ବିଶ୍ଵାଳ, ପ୍ରଭାତ ତ୍ରିପାଠୀ, ଦାମୋଦର ରାଉତ, ବିଜୟଶ୍ରୀ ରାଉତରାୟଙ୍କ ପୁଅମାନଙ୍କୁ ଦଳୀୟ ଟିକେଟ ଦିଆଯାଇଥିଲେ ହେଁ ପୁଅ ପରିବର୍ତେ ବିଷ୍ଣୁ ଦାସଙ୍କୁ ଟିକେଟ ମିଳିଥିଲା । ଏପରିକି ଅସୁସ୍ଥ ହୋଇ ମୃତ୍ୟୁବରଣ କରିବା ପୂର୍ବରୁ ବିଷ୍ଣୁ ଦଳର କିଛି ଛାମୁଆଁ ନେତାଙ୍କୁ ଭେଟି ତାଙ୍କ ପୁଅ କଥା ଲାଗିଲା ବୋଲି କହିଥିବା ମଧ୍ୟ ଜଗତସିଂହପୁରରେ ଚର୍ଚା ହୋଇଥିଲା । ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଷ୍ଣୁ ନିଜ ପୁଅର ଭବିଷ୍ୟତ ଦେଖିବାକୁ ଅନୁରୋଧ କରିଥିବା ମଧ୍ୟ ଚର୍ଚା ହେଉଛି । ଏପରି ସ୍ଥିତିରେ ବିଷ୍ଣୁଙ୍କ ଅନୁଗତ କୁହାଯାଉଥିବା ତିର୍ତୋଲ ବିଜେଡ଼ି ନେତା ବସନ୍ତ ମହାପାତ୍ରଙ୍କ ଗୋଷ୍ଠୀକୁ ନିକଟରେ ଦଳୀୟ ବୈଠକରେ ଉପେକ୍ଷା କରାଯିବା ଅଭିଯୋଗ ହେବା ଦଳରେ ହଲଚଲ ସୃଷ୍ଟି କରିଛି ।

ଅନ୍ୟପକ୍ଷରେ ପୂର୍ବତନ ବିଧାୟିକା ତଥା ସାଂସଦ ରାଜଶ୍ରୀ ମଲ୍ଲିକ ଓ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଗୋଷ୍ଠୀ ପକ୍ଷରୁ ତିର୍ତୋଲରେ ବିଷ୍ଣୁଙ୍କ ଅନୁଗତ କିମ୍ବା ତାଙ୍କ ପୁଅର ପ୍ରାର୍ଥିତ୍ଵକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା କୁହାଯାଉଛି । ଏଇଠାରୁ ଆରମ୍ଭ ହୋଇଛି ବିବାଦ । ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା, ପୂର୍ବତନ ମୁଖ୍ୟଯନ୍ତ୍ରୀ ତଥା ରାଜଶ୍ରୀ ମଲ୍ଲିକଙ୍କ ସ୍ବାମୀ ଇଂ. ଆଶୁତୋଷ ମଲ୍ଲିକଙ୍କ ପ୍ରାର୍ଥିତ୍ଵ ସମ୍ପର୍କରେ ମଧ୍ୟ କେହିକେହି ମତ ଦେଉଥିଲେ ହେଁ ତାହା ଦଳର ଉଚ୍ଚ ନେତୃତ୍ଵ କେତେ ଗ୍ରହଣ କରିବେ ତାହା ଏବେ ବି ଅସ୍ପଷ୍ଟ ।

୨୦୧୯ ବିଧାନସଭା ନିର୍ବାଚନରେ ବିଜେଡି ପକ୍ଷରୁ ବିଷ୍ଣୁ ଦାସ ପ୍ରାୟ ୯୩,୭୭୪ ଭୋଟ ପାଇଥିବାବଳେ ବିଜେପିର ରମାକାନ୍ତ ଭୋଇଙ୍କୁ ମିଳିଥିଲା  ୫୩,୫୮୧ ଖଣ୍ଡ ଭୋଟ । ବିଷ୍ଣୁ ପ୍ରାୟ ୪୦ ହଜାର ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ।   କଂଗ୍ରେସ ପ୍ରାର୍ଥୀ ଦେବୀ ମଲ୍ଲିକଙ୍କ ସପକ୍ଷରେ ୨୩ ୭୪୦ ଭୋଟ ପଡ଼ିଥିଲା । ଅନ୍ୟପକ୍ଷରେ ୨୦୧୪ରେ ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ୮୮,୯୫୩ ଖଣ୍ଡ ଭୋଟ ପାଇଥିବାବେଳେ ଏବଂ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରା ୫୩, ୫୦୫ ଖଣ୍ଡ ଭୋଟ ପାଇଥିଲେ । ବିଜେପିକୁ ସେତେବେଳେ ୧୪, ୫୧୬ ଖଣ୍ଡ ଭୋଟ ମିଳିଥିଲା । ସେତେବେଳେ ବିଜେଡ଼ିର ବିଜୟ ବ୍ୟବଧାନ ପ୍ରାୟ ୩୫ ହଜାରରୁଅଧିକ ରହିଥିଲା । ଅନୁରୂପ ଭାବେ ୨୦୦୯ରେ ବିଜେଡ଼ି ପ୍ରାର୍ଥୀ ରବୀନ୍ଦ୍ରନାଥ ଭୋଇ ୮୨,୨୮୨ ​‌ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ୪୮ହଜାରରୁ ଅଳ୍ପ କିଛି ଅଧିକ ​‌ଭୋଟ ମିଳିଥିଲା  । ବିଜୟ ବ୍ୟବଧାନ ଥିଲା ୩୪ ହଜାରରୁ ଅଧିକ ।

ଏହି ସ୍ଥିତିରେ ରାଜ୍ୟରେ ଗତ ୨୦ ବର୍ଷର ଉପନିର୍ବାଚନ ରେକର୍ଡ଼ ଦେଖିଲେ ବିଜେଡ଼ି ଅପ୍ରତିଦ୍ବନ୍ଦ୍ବୀ ରହିଛି ଓ କୌଣସି ଉପନିର୍ବାଚନରେ ପରାଜିତ ହେବାର ଦେଖାଯାଇନାହିଁ । ଉପନିର୍ବାଚନଗୁଡ଼ିକରେ ଦଳ ପକ୍ଷରୁ ସତର୍କ ରଣନୀତି ସବୁବେଳେ ସଫଳ ହୋଇଛି । ଏପରିିକି  ବିଜେପୁର ଉପନିର୍ବାଚନରେ ଦଳ ରେକର୍ଡ଼ ବ୍ୟବଧାନରେ ବିଜେଡ଼ି ପ୍ରାର୍ଥୀ ରୀତା ସାହୁ ବିଜୟୀ ହୋଇଛନ୍ତି । ଏହାକୁ ଆଧାର କରି ଆକଳନ କଲେ ତିର୍ତୋଲ ଉପନିର୍ବାଚନରେ ଶାସକ ବିଜେଡ଼ିର ସ୍ଥିତି ସବୁଠୁ ଦୃଢ଼ ରହିଛି । ​‌ତେବେ ଏ କ୍ଷେତ୍ରରେ ତିନି ବ୍ଲକରେ ସାମ୍ପ୍ରତିକ ସ୍ଥିତିକୁ ନିରିଖେଇ ଅନୁଧ୍ୟାନ କଲେ ବିଜେଡ଼ି ସଙ୍ଗଠନରେ ରହିଛି ଅନେକ ଛିଦ୍ର । ବର୍ତମାନ ଯେଉଁମାନଂକ ଉପରେ ପ୍ରାକ ନିର୍ବାଚନ ପରିଚାଳନା ଦାୟିତ୍ଵ ରହିଛି ସେମାନଙ୍କର ବ୍ୟକ୍ତିଗତ ଏଜେଣ୍ଡା ଆଧାରରେ ଯଦି କାର୍ଯ୍ୟ କରନ୍ତି ତେବେ ଦଳ ପାଇଁ ସମସ୍ୟା ସୃଷ୍ଟି ହୋଇପାରେ ବୋଲି କର୍ମୀ ମହଲରେ କଳ୍ପନାଜଳ୍ପନା ପ୍ରକାଶ ପାଇଛି । ଦଳ ଏଠାରେ ପୂର୍ବରୁ ଯେତିକି ଭୋଟ ପାଇଛି ଯଦି ସେତିକି ଭୋଟ ନ ପାଇପାରିଲା ତେବେ କେବଳ ଦଳର ପତିଆରା ନୁହେଁ, ଦାୟିତ୍ଵରେ ଥିବା ନେତାମାନଙ୍କ ଭାବମୂର୍ତି ଉପରେ ସ୍ବାଭାବିକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Khansweb Solution Bhubaneswar

Leave A Reply

Your email address will not be published.