banner
Breaking

ତିର୍ତ୍ତୋଲ ଉପନିର୍ବାଚନ ପାଇଁ ତିନୋଟି ଦଳରେ ଛକାପଞ୍ଝା ।

0

ଭୁବନେଶ୍ଵର,୨୭/୯(ବ୍ୟୁରୋ): ତିର୍ତୋଲ ଉପ ନିର୍ବାଚନ ପୂର୍ବରୁ ୩ ଦଳରେ ପ୍ରାର୍ଥିତ୍ଵକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା । କେଉଁ ଦଳରୁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନାହିଁ । ଫଳରେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଓ ସମସ୍ତେ ନିଜ ନିଜ ବାଟରେ ଟିକେଟ ପାଇଁ ଉଦ୍ୟମ ଚଳାଇଛନ୍ତି  ।

ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀ ପୂନଃର୍ଗଠନ ହେବାଦିନ ଠାରୁ ବିଜେଡି କବଜ୍ଜାରେ ରହିଆସିଛି। ପୂନଃର୍ଗଠନ ପରେ ପ୍ରଥମ ବିଧାୟକ ଭାବରେ ରବୀନ୍ଦ୍ର ନାଥ ଭୋଇ, ୨ୟ ବିଧାୟକ ଭାବରେ ରାଜଶ୍ରୀ ମଲ୍ଲିକ ଓ ୩ୟ ବିଧାୟକ ଭାବରେ ବିଷ୍ଣୁ ଚରଣ ଦାସ ନିର୍ବାଚିତ ହୋଇଥିଲେ।
ଏକଦା ବସନ୍ତ ବିଶ୍ଵାଳଙ୍କ କଂଗ୍ରେସ ଦୁର୍ଗକୁ ନବୀନ ନେତୃତ୍ଵାଧୀନ ବିଜେଡ଼ି ଦୁର୍ଗରେ ପରିଣତ କରିବାକୁ ସକ୍ଷମ ହୋଇଥିଲା ।  ଏ​‌ବେ ବି ଏଠାରୁ ବିଜେଡି ଯାହାକୁ ପ୍ରାର୍ଥୀ କରିବ ସେ ବହୁ ଭୋଟ ବ୍ୟବଧାନରେ ଜିତିବ ବୋଲି ଧାରଣା ରହିଛି।
ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ବିୟୋଗରେ ବର୍ତମାନ ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ହେବ। ଏଥିପାଇଁ ଆସନ୍ତା ୨୯ ତାରିଖରେ ନିର୍ବାଚନ ଆୟୋଗ ତାରିଖ ଘୋଷଣା କରି ପାରନ୍ତି। ତେଣୁ ବିଭିନ୍ନ ଦଳରେ ପ୍ରାର୍ଥୀ ହେବାକୁ ଆଶାୟୀମାନେ ଯୋରଦାର ଉଦ୍ୟମ ଚଳାଇଛନ୍ତି।

କଂଗ୍ରେସ, ବିଜେପି, ବିଜେଡି ଦଳ ମଧ୍ୟରୁ ପ୍ରଥମେ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଥିଲା କଂଗ୍ରେସ ।   ଦଳରେ ପ୍ରାର୍ଥୀ ହେବାକୁ ଏତେଟା ଲବି ନଥିଲେବି ଆଶାୟୀଙ୍କ ସଂଖ୍ୟା ଚାରି ଭିତରେ ସିମୀତ ରହିିଛି। ଦଳର ଅନୁସୂଚିତ ଜାତି ସେଲ ରାଜ୍ୟ ଆବାହକ ଦେବେନ୍ଦ୍ର ମଲ୍ଲିକ,ଗତ ନିର୍ବାଚନରେ ଲୋକସଭା ପ୍ରାର୍ଥ ହୋଇଥିବା ପ୍ରତିମା ମଲ୍ଲିକ, ୨୦୧୯ ନିର୍ବାଚନର ପ୍ରାର୍ଥୀ ହେଇଥିବା ଦେବୀ ପ୍ରସାଦ ମଲ୍ଲିକ ଓ ନବାଗତ ଯୁବ ଇଂଜିନିୟର ହିମାଂଶୁ ଭୂଷଣ ମଲ୍ଲିକଙ୍କ ନାମ ରହିଛି। ଇଂଜିନିୟର ହିମାଂଶୁ ସାଉଦିର ଏକ କମ୍ପାନୀରେ ଚାକିରୀ ଛାଡି ରାଜନୀତିରେ ପାଦ ଥାପିବାକୁ ଚେଷ୍ଟା ଚଳାଇଛନ୍ତି। ୧୯ ନିର୍ବାଚନରେ କଂଗ୍ରେସ ଦଳ ୨୩୮୦୯ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନ ହାସଲ କରିଥିଲା।

୨୦୧୪ ଓ ୨୦୧୯ ବିଧାନସଭା ନିର୍ବାଚନରେ  ତିର୍ତୋଲରୁ  ବିଜେପିର ପ୍ରାର୍ଥୀ ହୋଇଥିବା ପ୍ରଫେସର ରମାକାନ୍ତ ଭୋଇ ଉପ ନିର୍ବାଚନରେ ପ୍ରାର୍ଥୀ ହେବାକୁ ସଜବାଜ ହେଉଥିବା ସମୟରେ ୨୦୦୯ ଓ ୨୦୧୪ ନିର୍ବାଚନରେ କଂଗ୍ରେସ  ପ୍ରାର୍ଥୀ  ଓକିଲ ରାଜକିଶୋର ବେହେରା ବିଜେପିରେ ସାମିଲ ହେବା ରମାକାନ୍ତଙ୍କ ପ୍ରାର୍ଥିତ୍ଵକୁ ନେଇ ସନ୍ଦେହ ସୃଷ୍ଟି କରିଛି ।  ରାଜକିଶୋର ବେହେରାଙ୍କୁ ବିଜେପିର ରାଜ୍ୟସ୍ତରୀୟ ଏକ ପ୍ରଭାବଶାଳୀ ଗୋଷ୍ଠୀ ସମର୍ଥନ ରହିଥିବାରୁ ତାଙ୍କ
ପ୍ରାର୍ଥୀ ହେବା ଏକ ପ୍ରକାର ନିଶ୍ଚିନ୍ତ ବୋଲି ଆଲୋଚନା ହେଉଛି। ଅନ୍ୟପକ୍ଷରେ ପ୍ରଫେସର ଭୋଇଙ୍କୁ ସମର୍ଥନ କରି ବିରିଡି ଓ ରଘୁନାଥପୁର ବ୍ଲକର ବିଜେପିର କର୍ମକର୍ତାମାନେ ବିରୋଧ କରି ରଣହୁଙ୍କାର ଦେଇ ରାଜକିଶୋରଙ୍କୁ ବିରୋଧ କରିବା ଆରମ୍ଭ ହେଲାଣି। ପ୍ରଫେସର ଭୋଇ ୨୦୧୯ ନିର୍ବାଚନରେ ୫୩୫୮୧ ଖଣ୍ଡ ଭୋଟ ପାଇ ୨ୟ ସ୍ଥାନ ହାସଲ କରିଥିଲେ। ତେଣୁ ତାଙ୍କୁ ଉପେକ୍ଷା କରାଗଲେ ବିଜେପି ଏଠାରେ ଭବିଷ୍ୟତ ଲାଗି କ୍ଷତି ସହିବ ବୋଲି ଆଲୋଚନା ଚାଲିଛି । ଅନ୍ୟପକ୍ଷରେ ଆଶାୟୀଙ୍କ ମଧ୍ୟରେ ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରେଇଙ୍କ ନାମ ମଧ୍ୟ ଚର୍ଚାରେ ରହିଛି ।

ତିର୍ତୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଠୁ ଶକ୍ତିଶାଳୀ ମନେ ହେଉଥିବା ବିଜେଡ଼ିରେ ବିବାଦ କିନ୍ତୁ ତୀବ୍ର । ଦଳ ଏଠି ତିନି ଗୋଷ୍ଠୀରେ ବିଭକ୍ତ । ଗୋଟିଏ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ଅନୁଗତ ଗୋଷ୍ଠୀ, ଯାହାର ନେତୃତ୍ଵ ନେଉନ୍ତି ବିଶୁନପୁର ସରପଞ୍ଚ ବସନ୍ତ ମହାପାତ୍ର (ବଚୁ) ।  ଦ୍ବିତୀୟ ଗୋଷ୍ଠୀଟି ସିଧାସଳଖ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ନିୟନ୍ତ୍ରଣରେ ଥିବାବେଳେ ତୃତୀୟ ଗୋଷ୍ଠୀଟି ପୂର୍ବତନ ବିଧାୟକ ଦେବାଶିଷ ମହାପାତ୍ରଙ୍କ ଦଖଲରେ ରହିଛି । ଦେବାଶିଷ ଓ ରାଜଶ୍ରୀ  ପୂର୍ବରୁ ତିର୍ତୋଲ ବିଧାୟକ ଥିଲେ ମଧ୍ୟ ରାଜଶ୍ରୀଙ୍କ ଗୋଷ୍ଠୀର ପତିଆରା ଦେବାଶିଷ ଗୋଷ୍ଠୀଙ୍କ ପ୍ରଭାବଠାରୁ ବେଶ୍ ଅଧିକ ବୋଲି ଅନୁଭୂତ ହେଉଛି । ତେବେ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କୁ ରାଜ୍ୟସଭାରୁ ଅପସାରଣ, ପରବର୍ତୀ ସମୟରେ ତାଙ୍କ ନିର୍ବାଚନମଣ୍ଡଳୀ ଜଗତସିଂହପୁରରୁ ହଟାଯାଇ ତିର୍ତୋଲରେ ଟିକେଟ ଦେବା, ତାଙ୍କର ଅକାଳ ବିୟୋଗ ଦୃଷ୍ଟିରୁ ତାଙ୍କ ପୁଅ ବିଜୟଶଙ୍କରଙ୍କୁ ଟିକେଟ ଦେବା ନିମ​‌ନ୍ତେ ବିଜେଡ଼ିର ଏକ ବଡ଼ ଗୋଷ୍ଠୀ ଏବଂ କର୍ମୀମାନେ ମତ ଦେଉଥିବା ଦେଖାଯାଉଛି । ବିଜଡିର ପକେଟ ଭୋଟ ଓ ବିଷ୍ଣୁଙ୍କ ବିୟୋଗର ସିମ୍ପାତି ଭୋଟ ବଳରେ ବିଜେଡିର ବୃହତ ବିଜୟ ଆଶା ରଖିଛନ୍ତି ବିଷ୍ଣୁଙ୍କ ସମର୍ଥକ ମାନେ। କିଛି ଦିନ ତଳେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ଗୋଷ୍ଠୀ ଭୁବନେଶ୍ୱର ଠାରେ ବିଧାୟକ ଅତନୁ ସବ୍ୟସଚୀ ନାୟକ ଓ ପ୍ରଣବ ପ୍ରକାଶ ଦାସଙ୍କୁ ଭେଟି ସମସ୍ତ ଘଟଣା କହିବା ସହିତ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ଦଳୀୟ ଟିକେଟ ଦେବାକୁ ଦାବି କରିଥିଲେ।

ଅନ୍ୟପକ୍ଷରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଟିକଟ ଲାଗି ଆଗ୍ରହୀ ଥିବା ଓ ତାଙ୍କୁ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ସମର୍ଥନ ଥିବା କୁହାଯାଉଛି । ପୂର୍ବରୁ ଏକଦା ମିନତୀ ବେହେରା ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଜିଲା ପରିଷଦ ସଭ୍ୟ ପଦରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ, ସେତେବେଳେ ତାଙ୍କର ଅମାନତ ରହି ନ ଥିଲା । ତେଣୁ ସେ ଟିକେଟ ପାଇଁ ଆଶାୟୀ ଥିବା କୁହାଯାଉଥିଲେ ହେଁ ନିଜ ତରଫରୁ ଏଥିନେଇ ଖୋଲାଖୋଲି ଆଗ୍ରହ ପ୍ରକାଶ କରୁଥିବା ଦେଖାଯାଉ ନାହିଁ ।

ତାଙ୍କ ବ୍ୟତୀତ ସାଂସଦ ରାଜଶ୍ରୀ ମଲ୍ଲିକଙ୍କ ସ୍ୱାମୀ ଇଂ ଆଶୁତୋଷ ମଲ୍ଲିକ, ତେନ୍ତୁଳିପଦା ସରପଂଚ ଲକ୍ଷ୍ମୀପ୍ରିୟା ବେହେରା, ଅର୍ଜୁନ ବେହେରା, ପୂର୍ବତନ ସାଂସଦ କୁଳମଣି ସାମଲ, ଯୁଧିଷ୍ଠିର ସେଠୀଙ୍କ ନାମ ରହିଛି। ଗତ ମାସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ଅକାଳ ବିୟୋଗ ପରେ ତାଙ୍କ ପୁତୁରା ଅମରେନ୍ଦ୍ର ଭୋଇଙ୍କ ନାମ ଆଶାୟୀ ପ୍ରାର୍ଥୀ ଦୈାଡରେ ସାମିଲ ହେଇଛି। ସେହିପରି ପୂର୍ବତନ ଛାତ୍ର ନେତା ଓ ଯୁବ ବିଜେଡ଼ିର ଛାମୁଆଁ ନେତା କୁହାଯାଉଥିବା ସରୋଜ ସେଠୀ ମଧ୍ୟ ପ୍ରାର୍ଥୀ ହେବା ପାଇଁ ଆଶା ବାନ୍ଧିଛନ୍ତି । ଜଣେ ମନ୍ତ୍ରୀଙ୍କ ସହ କିଛି ବିଧାୟକ ତାଙ୍କୁ ସମର୍ଥନ କରୁଥିବା ଚର୍ଚା ହେଉଛି ।

ଏହି ସ୍ଥିତିରେ ଏକଦା ବିଜେପି ପ୍ରାର୍ଥୀ ରମାକାନ୍ତ ଭୋଇ ବିଜେଡ଼ିରେ ଯୋଗ ଦେବା ନେଇ ଚର୍ଚା ଦାନା ବାନ୍ଧିଛି । ତାଙ୍କୁ ପ୍ରାର୍ଥୀ କରାଯିବାକୁ ଆଶ୍ଵାସନା ମିିଳିଲେ ସେ ହୁଏତ ବିଜେଡ଼ିରେ ଯୋଗ ଦେଇ ପାରନ୍ତି ବୋଲି କୁହାଯାଉଛି । ମନ୍ତ୍ରୀ ରଘୁନଂଦନ ଦାସଙ୍କ ସହ ତାଙ୍କର ପୂର୍ବ ସମ୍ପର୍କ ଆଧାରରେ ଏହାକୁ ନେଇ ସ୍ବାଭାବିକ ଚର୍ଚା ଚାଲିଥିଲେ ହେଁ ଏହାକୁ ବିିଜେଡ଼ିର ଉଚ୍ଚ ମହଲରେ ସେପରି ଗୁରୁତ୍ଵ ମିଳିନାହିଁ । ରମାକାନ୍ତ ଦଳରେ ଯୋଗ ଦେଲେ ତାଙ୍କୁ ହୁଏତ କେଉଁଠି ଥଇଥାନ କରାଯାଇପାରେ, ମାତ୍ର ଟିକେଟ ମିଳିବା ନିଶ୍ଚିତ ବୋଲି କୁହାଯାଇ ପାରିବ ନାହିଁ ବୋଲି ସୂଚନା ମିଳିିଛି । ଏପରି ସ୍ଥିତିରେ ପ୍ରାର୍ଥିତ୍ଵକୁ ନେଇ ୩ ଦଳରେ ଘଣ୍ଟାଚକଟା ଚାଲିଥିବାବେଳେ ଆଶାୟୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କିନ୍ତୁ ପରିଶେଷରେ ବିଜୟଙ୍କ ପାଇଁ ତିନୋଟି ଦଳର ସିମ୍ପାତି ଭୋଟ ରହିଛି ବୋଲି ଆଲୋଚନା ହେଉଛି।

Khansweb Solution Bhubaneswar

Leave A Reply

Your email address will not be published.