banner
Breaking

ସନରାଇଜର୍ସକୁ ୭ ଓ୍ବିକେଟରେ ପରାସ୍ତ କଲା କେକେଆର।

0

ଆବୁଧାବି : ଚଳିତ ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ର ୧୩ଶ ସଂସ୍କରଣରେ ତା’ର ୨ୟ ମ୍ୟାଚରେ ପ୍ରଥମ ବିଜୟ ହାସଲ କରିଛି କଲକାତା ନାଇଟ୍‍ ରାଇଡର୍ସ (କେକେଆର୍‍)। ଶନିବାର ୮ମ ଦିନରେ ଖେଳାଯାଇଥିବା କମ୍‍ ସ୍କୋର୍‍ ବିଶିଷ୍ଟ ମୁକାବିଲାରେ ସନ୍‍ରାଇଜର୍ସ ହାଇଦରାବାଦକୁ ୭ ୱିକେଟରେ କେକେଆର୍‍ ପରାସ୍ତ କରିଛି। ମନୀଷ ପାଣ୍ଡେଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ସନ୍‍ରାଇଜର୍ସ ହାଇଦରାବାଦ ୨୦ ଓଭରରେ ୪ ୱିକେଟ ହରାଇ ୧୪୨ ରନ୍‍ କରିଥିଲା। ପରେ ଶୁବ୍‍ମାନ ଗିଲ୍‍ଙ୍କ ଅର୍ଦ୍ଧଶତକ ବଳରେ କେକେଆର୍‍ ୧୮ ଓଭରରେ ୩ ୱିକେଟ ହରାଇ ବିଜୟୀ ହୋଇଥିଲା। ଏହି ମ୍ୟାଚ୍‍ ସହ ସନ୍‍ରାଇଜର୍ସ ତା’ର ଉଭୟ ମ୍ୟାଚରେ ପରାସ୍ତ ହୋଇଛି।
ଟସ୍‍ ଜିତି ସନ୍‍ରାଇଜର୍ସ ହାଇଦରାବାଦ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ସନ୍‍ରାଇଜର୍ସର ଦୁଇ ଓପ୍‍ନର ଡେଭିଡ୍‍ ୱାର୍ଣ୍ଣର ଓ ଜନି ବେୟାରଷ୍ଟୋଙ୍କ ଭାଗିଦାରୀ ଅଧିକ ସମୟ ତିଷ୍ଠି ରହି ପାରିନଥିଲା। ଆଇପିଏଲ୍‍ ଇତିହାସରେ ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ଅଷ୍ଟ୍ରେଲିଆର ଫାଷ୍ଟବୋଲର ପ୍ୟାଟ୍‍ କମିନ୍‍ସ ନୂଆବଲରେ ଚମତ୍କାର ବୋଲିଂ କରିଥିଲେ। ୪ ଓଭରରେ ସ୍କୋର୍‍ ୨୪ ରନ୍‍ ଥିବା ବେଳେ ବେୟାରଷ୍ଟୋ ୫ ରନ୍‍କରି ବିଦାୟ ନେଇଥିଲେ। ପରେ ମନୀଷ ପାଣ୍ଡେଙ୍କ ସହ ଅଧିନାୟକ ଡେଭିଡ୍‍ ୱାର୍ଣ୍ଣର ୩୫ ରନ୍‍ ଯୋଡ଼ିଥିଲେ। ବାମହାତି ୱାର୍ଣ୍ଣର ୩୦ ବଲ୍‍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୬ ରନ୍‍କରି ଆଉଟ ହୋଇଥିଲେ। ବେୟାରଷ୍ଟୋ ଓ ୱାର୍ଣ୍ଣରଙ୍କ ବିଦାୟ ପରେ ରନ୍‍ଗତି ଧିମା ହୋଇ ଯାଇଥିଲା। ୧୬ଶ ଓଭରରେ ସନ୍‍ରାଇଜର୍ସ ହାଇଦରାବାଦ ଶହେ ରନରେ ପହଞ୍ଚି ପାରିଥିଲା। ମନୀଷ ପାଣ୍ଡେ ୩୫ ବଲ୍‍ରୁ ୧୬ଶ ଆଇପିଏଲ୍‍ ଅର୍ଦ୍ଧଶତକ ପୂରଣ କରିଥିଲେ। ଋଦ୍ଧିମାନ ଶାହାଙ୍କ ସହ ୩ୟ ୱିକେଟ ପାଇଁ ୫୧ ବଲ୍‍ରୁ ୬୨ ରନ୍‍ର ଭାଗିଦାରୀ କରିବା ପରେ ମନୀଷ ଆଉଟ ହୋଇଥିଲେ। ମନୀଷ ୩୮ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୫୧ ରନ୍‍ କରିଥିଲେ। ଋଦ୍ଧିମାନ ଶାହା ନୈରାଶ୍ୟଜନକ ବ୍ୟାଟିଂକରି ୩୧ ବଲ୍‍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୩୦ ରନ୍‍କରି ରନ୍‍ଆଉଟ ହୋଇଥିଲେ। ମହମ୍ମଦ ନବି ୧୧ ରନ୍‍କରି ଅପରାଜିତ ଥିଲେ। ପ୍ୟାଟ୍‍ କମିନ୍‍ସ ୪ ଓଭରରୁ ମାତ୍ର ୧୯ ରନ୍‍ଦେଇ ଗୋଟିଏ ୱିକେଟ ନେଇଥିଲେ।
କଲକାତା ନାଇଟ୍‍ ରାଇଡର୍ସ ସମ୍ମୁଖରେ ୧୪୩ ରନ୍‍ର ସହଜ ବିଜୟଲକ୍ଷ୍ୟ ଥିବା ବେଳେ ସନ୍‍ରାଇଜର୍ସକୁ ଜଲ୍‍ଦି ୱିକେଟ ନେବା ଆବଶ୍ୟକ ଥିଲା। ସନ୍‍ରାଇଜର୍ସର ବୋଲର ଏହା କରି ପାରିଥିଲେ। ୭ମ ଓଭରରେ ସ୍କୋର୍‍ ୫୩ ରନ୍‍ ଥିବା ବେଳେ କଲକାତା ୩ଟି ୱିକେଟ ହରାଇଥିଲା। ସୁନୀଲ ନାରାୟଣ ବିନା ସ୍କୋରରେ ଆଉଟ ହୋଇଥିଲେ। ଯୁବ ବାମହାତି ନୀତୀଶ ରାଣା ମାତ୍ର ୧୩ ବଲ୍‍ରୁ ୬ଟି ଚୌକା ସହ ୨୬ ରନ୍‍କରି ବିଦାୟ ନେଇଥିଲେ। ରସିଦ୍‍ ଖାଁ ତାଙ୍କ ପ୍ରଥମ ଓଭରରେ କେକେଆର୍‍ର ଅଧିନାୟକ ଦିନେଶ କାର୍ତ୍ତିକଙ୍କ ୱିକେଟ ନେଇଥିଲେ। ଯୁବ ଓପ୍‍ନର ଶୁବ୍‍ମାନ ଗିଲ୍‍ ଦର୍ଶନୀୟ ବ୍ୟାଟିଂ କରିଥିଲେ। ଏହି ଇନିଂସରେ ଚଳିତ ସଂସ୍କରଣରେ ପ୍ରଥମ ଏବଂ ଆଇପିଏଲ୍‍ ଜୀବନରେ ୫ମ ଅର୍ଦ୍ଧଶତକ ହାସଲ କରିଥିଲେ ଶୁବ୍‍ମାନ। ଇଓନ୍‍ ମୋର୍ଗାନ୍‍ଙ୍କ ସହ ଚମତ୍କାର ଭାଗିଦାରୀ କରି ଶୁବ୍‍ମାନ ଦଳକୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇଥିଲେ। ଦୁହେଁ ଅବିଭାଜିତ ୪ର୍ଥ ୱିକେଟ ପାଇଁ ୯୨ ରନ୍‍ର ଭାଗିଦାରୀ କରିଥିଲେ। ବାମହାତି ଇଓନ୍‍ ମୋର୍ଗାନ୍‍ ୨୯ ବଲ୍‍ରୁ ୨ଟି ଛକା ଓ ୩ଟି ଚୌକା ସହ ୪୨ ରନରେ ଅପରାଜିତ ଥିଲେ। ଶୁବ୍‍ମାନ ଗିଲ୍‍ ୬୨ ବଲ୍‍ରୁ ୨ଟି ଛକା ଓ ୫ଟି ଚୌକା ସହ ୭୦ ରନ୍‍କରି ଅପରାଜିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.