banner
Breaking

ଆଇପିଏଲ ଫାଇନାଲର ସମୟ ପରିବର୍ତ୍ତନ

0

ମୁମ୍ବାଇ,୧୯।୫: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଫାଇନାଲ ମ୍ୟାଚ୍‌ ରାତି ୭ଟା ୩୦ ବଦଳରେ ୮ଟାରେ ଆରମ୍ଭ ହେବ। କ୍ରିକ୍‌ବଜରୁ ମିଳିଥିବା ସୂଚନା ମୁତାବକ, ଫାଇନାଲ ମ୍ୟାଚ୍‌ ପୂର୍ବରୁ ଏକ ସାଂସ୍କୃତିକ ଉଦ୍‌ଯାପନୀ ସମାରୋହ ଆୟୋଜନ ହେବ। ଚଳିତ ସିଜନର ଫାଇନାଲ ମ୍ୟାଚ୍‌ ଅହମ୍ମଦାବାଦର ମୋଟେରାସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆସନ୍ତା ୨୯ ତାରିଖରେ ଖେଳାଯିବ।

ବିସିସିଆଇ ଓ ଆଇପିଏଲ୍‌ ଅଧିକାରୀଙ୍କଠାରୁ କ୍ରିକ୍‌ବଜକୁ ମିଳିଥିବା ସୂଚନା ମୁତାବକ, ଉଦ୍‌ଯାପନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କୁ ଦେଖିବାକୁ ମିଳିବ। ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ରେ ଆରମ୍ଭ ହେବ ଏବଂ ୫୦ ମିନିଟ୍‌ ଧରି ଚାଲିବ। ୭ଟା ୩୦ରେ ଟସ୍‌ ପଡ଼ିବ ଓ ଏହାର ୩୦ ମିନିଟ୍‌ ପରେ ମ୍ୟାଚ୍‌ ଆରମ୍ଭ ହେବ।

ତେବେ ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ବଲିଉଡ୍‌ ଷ୍ଟାରଙ୍କ ଉପସ୍ଥିତି କିଛି ନୂଆ ଘଟଣା ନୁହେଁ। ୨୦୦୮ରୁ ୨୦୧୭ ପର୍ଯ୍ୟନ୍ତ ନିୟମିତ ଭାବେ ଉଭୟ ସମାରୋହରେ ବଲିଉଡ୍‌ ଷ୍ଟାର ଅଂଶଗ୍ରହଣ କରୁଥିଲେ। କିନ୍ତୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩ ବର୍ଷ କାର୍ଯ୍ୟକାଳରେ ଏହାକୁ ବନ୍ଦ ରଖାଯାଇଥିଲା। ତା’ପରେ ମହାମାରୀ ଯୋଗୁ ଗତ ଦୁଇ ବର୍ଷ ହେଲା ଏହି ଧାରା ଜାରି ରହିଥିଲା। ଏପରି କି ଚଳିତ ବର୍ଷ ମାର୍ଚ୍ଚ ୨୬ ତାରିଖରେ ଯେତେବେଳେ ଆଇପିଏଲ ଆରମ୍ଭ ହେଲା ସେତେବେଳେ କୌଣସି ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯାଇ ନ ଥିଲା। ପରେ ବସିଥିବା ଆପେକ୍ସ କାଉନ୍‌ସିଲ ବୈଠକରେ ଉଦ୍‌ଯାପନୀ ସମାରୋହ ଲାଗି ନିଷ୍ପତ୍ତି ନିଆଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.