ଆଜି ଆଇପିଏଲ ନିଲାମ

ନୂଆଦିଲ୍ଲୀ,୧୨/୨ : ବିସିସିଆଇ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମୀ ସଂସ୍କରଣ ନିମନ୍ତେ ଖେଳାଳି ନିଲାମ ୧୨ ଓ ୧୩ ତାରିଖରେ ବେଙ୍ଗାଲୁରୁରେ ହେବ। ୧୨ ତାରିଖ (ଶନିବାର) ପୂର୍ବାହ୍ଣ ୧୧ଟାରୁ ଏହି ନିଲାମ ଆରମ୍ଭ ହେବ। ନିଲାମରେ ଭାଗ ନେବାକୁ ଥିବା ଦଳମାନେ ନିଜର ରଣନୀତି ପ୍ରସ୍ତୁତ କରି ସାରିଥିବା ବେଳେ କେଉଁ ଦଳ କେଉଁ ଖେଳାଳିଙ୍କୁ ଅଧିକ ଅର୍ଥରେ କିଣିବ ତାହା ଉପରେ ସମସ୍ତଙ୍କ ନଜର ରହିଛି। ଏହି ନିଲାମରେ ଦୁଇଟି ନୂଆ ଦଳ ଲକ୍ଷ୍ନୌ ଓ ଅହମ୍ମଦାବାଦ୍‌ ଭାଗ ନେବେ। ଏହି ଦୁଇ ଦଳକୁ ମିଶାଇ ମୋଟ୍‌ ୧୦ଟି ଦଳ ନିଲାମରେ ରହିବେ। ଏଥିରେ ମୋଟ୍‌ ୫୯୦ ଜଣ କ୍ରିକେଟର୍‌ ନିଲାମ ହେବେ।

ଏହି ନିଲାମ ପୂର୍ବରୁ ବିଭିନ୍ନ ଦଳମାନେ ସେମାନଙ୍କ ପସନ୍ଦଯୋଗ୍ୟ ଖେଳାଳିଙ୍କୁ ନିଲାମ ପାଇଁ ନ ଛାଡ଼ି ନିଜ ପାଖରେ ରଖିଛନ୍ତି। ଚେନ୍ନଇ ସୁପର କିଙ୍ଗ୍‌ସ ରବିନ୍ଦ୍ର ଜାଡେଜା (୧୬ କୋଟି), ମହେନ୍ଦ୍ର ସିଂହ ଧୋନି (୧୨ କୋଟି), ମୋଇନ ଅଲ୍ଲି (୮କୋଟି), ଋତୁରାଜ ଗାଏକ୍ବାଡ୍‌ (୬ କୋଟି)ଙ୍କୁ ରଖିଥିବା ବେଳେ ଦିଲ୍ଲୀ କ୍ୟାପିଟାଲ୍‌ସ ଋଷଭ ପନ୍ତ୍‌ (୧୬କୋଟି), ଅକ୍ଷର ପଟେଲ (୧୨ କୋଟି), ପୃଥ୍ବୀ ସ’ (୮ କୋଟି), ନୋର୍ଟଜେ (୬କୋଟି)ଙ୍କୁ ରଖିଛି। ସେହିପରି କଲକାତା ନାଇଟ୍‌ ରାଇର୍ଡସ ଆ​‌େ​‌ନ୍ଦ୍ର ରସେଲ୍‌ (୧୨ କୋଟି), ବରୁଣ ଚକ୍ରବର୍ତ୍ତୀ (୮ କୋଟି), ଭେଙ୍କଟେଶ ଆୟାର (୮ କୋଟି), ସୁନୀଲ ନାରାୟଣ (୬କୋଟି)ଙ୍କୁ ରଖିଥିବା ବେଳେ ମୁମ୍ବଇ ଇଣ୍ଡିଆନ୍‌ସ ରୋହିତ ଶର୍ମା (୧୬ କୋଟି), ଯଶପ୍ରୀତ୍‌ ବୁମରା (୧୨ କୋଟି), ସୂର୍ଯ୍ୟକୁମାର ଯାଦବ (୮ କୋଟି), କୈରନ୍‌ ପୋଲାର୍ଡ (୬ କୋଟି)ଙ୍କୁ ରଖିଛି। ପଞ୍ଜାବ କିଙ୍ଗ୍‌ସ ଦଳ ମୟଙ୍କ ଅଗ୍ରୱାଲ୍‌ (୧୨ କୋଟି), ଅର୍ଶଦୀପ ସିଂହ (୪ କୋଟି)ଙ୍କୁ ରଖିଥିବା ବେଳେ ରାଜସ୍ଥାନ ରୟାଲ୍‌ସ ସଞ୍ଜୁ ସାମସନ୍‌ (୧୪ କୋଟି), ଜସ୍‌ ବଟଲର୍‌ (୧୦ କୋଟି), ଜଶସ୍ବୀ ଜୟସ୍ବାଲ୍‌ (୪ କୋଟି)ଙ୍କୁ ରଖିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳ ବିରାଟ କୋହଲି (୧୫ କୋଟି), ଗ୍ଲେନ୍‌ ମ୍ୟାକ୍ସୱେଲ୍‌ (୧୧​‌ କୋଟି), ମହମ୍ମଦ ସିରାଜ୍‌ (୭ କୋଟି)ଙ୍କୁ ରଖିଥିବା ବେଳେ ସନ୍‌ରାଇଜର୍ସ ହାଇଦରାବାଦ୍‌ ଦଳ କେନ୍‌ ୱିଲିୟମସନ୍‌ (୧୪ କୋଟି), ଅବଦୁଲ ସାମାଦ୍‌ (୪ କୋଟି) ଓ ଉମରାନ୍‌ ମଲିକ୍‌ (୪​‌ କୋଟି)ଙ୍କୁ ରଖିଛି। ନୂଆ ଦଳ ଅହମ୍ମଦାବାଦ୍‌ ହାର୍ଦିକ ପାଣ୍ଡ୍ୟା (୧୫ କୋଟି), ରସିଦ୍‌ ଖାନ୍‌ (୧୫ କୋଟି) ଓ ଶୁବମାନ୍‌ ଗିଲ୍‌ (୮କୋଟି)ଙ୍କୁ ନିଜ ଦଳରେ ସାମିଲ କରିଥିବା ବେଳେ ଲକ୍ଷ୍ନୌ ଦଳ କେଏଲ୍‌ ରାହୁଲ (୧୭ କୋଟି), ମାର୍କସ୍‌ ଷ୍ଟୋଇନିସ୍‌ (୯.୨କୋଟି) ଓ ରବି ବିଷ୍ଣୋଇ (୪ କୋଟି)ଙ୍କୁ ଦଳରେ ସାମିଲ କରିଛି।

ନିଲାମ ହେବାକୁ ଥିବା ୫୯୦ କ୍ରିକେଟରଙ୍କ ମଧ୍ୟରୁ ୩୭୦ଜଣ ଭାରତୀୟ ରହିଥିବା ବେଳେ ୨୨୦ ଜଣ ବିଦେଶୀ ରହିଛନ୍ତି। ସୂଚନାଥାଉକି ଆଇପିଏଲ୍‌ ଖେଳାଳି ନିଲାମ ନିମନ୍ତେ ମୋଟ୍‌ ୧୨୧୪ ଜଣ କ୍ରିକେଟର୍‌ ସେମାନଙ୍କ ନାମ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୫୯୦ ଜଣ ନିଲାମ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଯେଉଁ ୫୯୦ ଜଣ କ୍ରିକେଟର୍‌ ନିଲାମ ହେବେ ସେମାନଙ୍କ ମଧ୍ୟରୁ ୨୨୮ଜଣ ବିଭିନ୍ନ ଦେଶର ବରିଷ୍ଠ କ୍ରିକେଟ୍‌ ଦଳକୁ ପ୍ରତିନିଧିତ୍ବ କରିଥିବା ବେଳେ ୩୫୫ଜଣ ବରିଷ୍ଠ ଦଳକୁ ପ୍ରତିନିଧିତ୍ବ କରିନାହାନ୍ତି। ସେହିପରି ୭ଜଣ କ୍ରିକେଟର୍‌ ଆଇସିସିର ଆସୋସିଏଟ୍‌ ଦେଶର ବୋଲି ଜଣାପଡ଼ିଛି। ନିଲାମ ହେବାକୁ ଥିବା କ୍ରିକେଟର୍‌ଙ୍କ ମଧ୍ୟରୁ ୪୮ଜଣ ନିଜ ମୂଳ ମୂଲ୍ୟ (ବେସ୍‌ ପ୍ରାଇସ୍‌) ୨ କୋଟି ଟଙ୍କା ରଖିଛନ୍ତି, ଯାହାକି ସର୍ବାଧିକ। ଏହି ତାଲିକାରେ ୧୭ଜଣ ଭାରତୀୟ କ୍ରିକେଟର୍‌ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଭାରତୀୟ କ୍ରିକେଟର୍‌ ହେଉଛନ୍ତି ବରିଷ୍ଠ ଓପନର୍‌ ଶିଖର ଧାୱନ୍‌, ବ୍ୟାଟସମ୍ୟାନ୍‌ ଶ୍ରେୟାସ ଆୟର, ବରିଷ୍ଠ ଦ୍ରୁତ ବୋଲର ମହମ୍ମଦ ସାମି, ଭୁବନେଶ୍ବର କୁମାର, ଉମେଶ ଯାଦବ, ସାର୍ଦ୍ଦୁଳ ଠାକୁର, ସ୍ପିନର ରବିଚନ୍ଦ୍ରନ୍‌ ଅଶ୍ବିନ୍‌, ୟୁଜବେନ୍ଦ୍ର ଚହଲ୍ ପ୍ରମୁଖ। ସେହିପରି ଯୁବ କ୍ରିକେଟର୍‌ ଈଶାନ କିଷନ୍‌, ଦେବବତ୍ତ ପାଡିକଲ୍‌, ଦୀପକ ଚହର୍‌, ହର୍ଷଲ ପଟେଲ ପ୍ରମୁଖ ଅଛନ୍ତି।