banner
Breaking

ଆଜି ଆଇପିଏଲର ଶେଷ ମହାସମର। ଟସ୍ ଜିତି ବ୍ୟାଟିଂ କରିବ ଦିଲ୍ଲୀ।

0

ଦୁବାଇ,୧୦/୧୧(ବ୍ୟୁରୋ): ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍‌) ଇତିହାସରେ ସବୁଠାରୁ ରୋଚକ ଓ ପ୍ରତିଦ୍ବନ୍ଦ୍ବିତାମୂଳକ ଟୁର୍ଣ୍ଣାମେଣ୍ଟର ଯବନିକା ପଡ଼ିବାକୁ ଯାଉଛି। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଆଇପିଏଲର ଶେଷ ମ୍ୟାଚ୍‌ ଅର୍ଥାତ ଫାଇନାଲ ମ୍ୟାଚ ଖେଳାଯାଉଛି । ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ମୁମ୍ବଇ ଇଣ୍ଡିଆନ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍‌ସ ମଧ୍ୟରୁ କିଏ ବିଜୟ ମୁକୁଟ ପିନ୍ଧିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଦିଲ୍ଲୀ ଦଳ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।
ଏହାରି ମଧ୍ୟରେ କ୍ରମାଗତ ୨ୟ ଏବଂ ମୋଟ ଉପରେ ୫ମ ଟାଇଟଲ ଜିତିବା ଲକ୍ଷ୍ୟରେ ରହିଛି ଶକ୍ତିଶାଳୀ ମୁମ୍ବଇ ଇଣ୍ଡିଆନ୍‌ସ। ତେବେ ମୁମ୍ବଇର ଯୁବ ବ୍ୟାଟ୍‌ସମ୍ୟାନ୍ ଶ୍ରେୟାସ ଆୟରଙ୍କ ନେତୃତ୍ବାଧୀନ ଦିଲ୍ଲୀ କ୍ୟାପିଟାଲ୍‌ସ ଏହାର ପଥରୋଧ କରି ପ୍ରଥମଥର ଚମ୍ପିଆନ୍ ହେବାର ପ୍ରୟାସ କରିବ। ମୁମ୍ବଇ ୬ଷ୍ଠ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଥିବା ବେଳେ ଦିଲ୍ଲୀ ପ୍ରଥମଥର ଫାଇନାଲ ଖେଳିବ। ୫୨ ଦିନର ମୁକାବିଲା ପରେ ଆମେ କହିପାରିବା ଯେ ଆଇପିଏଲ୍‌ ବିଦେଶରେ ଖେଳାଯିବା; ଫାଇନାଲ ମ୍ୟାଚ୍ ରବିବାର ବଦଳରେ ମଙ୍ଗଳବାର ଖେଳାଯିବା ଏବଂ ଖେଳାଳି ଜୈବ ନିରାପତ୍ତା ବଳୟରେ ରହିବା ସତ୍ତ୍ବେ କ୍ରିକେଟ୍‌ ପ୍ରଭାବିତ ହୋଇନାହିଁ; ବରଂ ଆଇପିଏଲ୍‌ର ଚଳିତ ସଂସ୍କରଣ ବେଶ୍ ଚିତ୍ତାକର୍ଷକ ହୋଇଛି।

୨୦୧୩ରୁ ୨୦୧୯ ପର୍ଯ୍ୟନ୍ତ ପ୍ରତି ୨ ବର୍ଷରେ ଥରେ ମୁମ୍ବଇ ଟାଇଟଲ ଜିତିଥିବା ବେଳେ ଏହି ଧାରା ଭାଙ୍ଗିବାକୁ ଏଥର ରୋହିତ ଶର୍ମାଙ୍କ ଦଳ ପ୍ରୟାସ କରିବ। ବିଭିନ୍ନ ଦିଗକୁ ଦେଖିଲେ ଚଳିତବର୍ଷ ମୁମ୍ବଇ ଇଣ୍ଡିଆନ୍‌ସ ବଡ଼ ଫେଭରିଟ୍‌ ନଜର ଆସୁଛି। ଚଳିତବର୍ଷ ପଏଣ୍ଟ ଟେବୁଲ୍‌ର ପ୍ରଥମ ୨ଟି ସ୍ଥାନରେ ମୁମ୍ବଇ ଦିଲ୍ଲୀ ରହିଥିବା ବେଳେ ଉଭୟଙ୍କ ମଧ୍ୟରେ ଫାଇନାଲ ହେବାକୁ ଯାଉଛି। ଚଳିତବର୍ଷ ଉଭୟ ଦଳଙ୍କ ମଧ୍ୟରେ ୩ଟି ମୁକାବିଲା ହୋଇଥିବା ବେଳେ ୩ଟିଯାକ ମ୍ୟାଚ୍‌ ମୁମ୍ବଇ ଜିତିପାରିଛି। କ୍ବାଲିଫାୟର-୧ରେ ଦିଲ୍ଲୀ ବିପକ୍ଷରେ ମୁମ୍ବଇ ୨୦୦ ରନ୍‌କରି ସହଜ ବିଜୟ ହାସଲ କରିଥିଲା। ଲିଗ୍ ପର୍ଯ୍ୟାୟରେ ଦିଲ୍ଲୀକୁ ମୁମ୍ବଇ ୫ ୱିକେଟ୍ ଓ ୯ ୱିକେଟ​‌​ରେ ହରାଇ ପ୍ରାଧାନ୍ୟ ଜାହିର କରିଥିଲା। ଫାଇନାଲରେ ଏହି ଧାରା ବଜାୟ ରଖିବାକୁ ରୋହିତଙ୍କ ଦଳ ପ୍ରୟାସ କରିବ। ତେବେ କ୍ବାଲିଫାୟର-୨ରେ ଏକ ଭିନ୍ନ ଦଳ ନଜର ଆସିଥିଲା ଦିଲ୍ଲୀ। ସନ୍‌ରାଇଜର୍ସ ବିପକ୍ଷରେ ଦିଲ୍ଲୀ ନିର୍ଭୀକ କ୍ରିକେଟ୍‌ ଖେଳିଥିଲା ଏବଂ ୧୭ ରନ୍‌ରେ ଜିତିଥିଲା। ଚଳିତ ଟୁର୍ଣ୍ଣାମେଣ୍ଟରେ ବୋଧହୁଏ ସବୁଠାରୁ ଲମ୍ବା ବ୍ୟାଟିଂ ଲାଇନ୍ ମୁମ୍ବଇର ଅଛି। ତେଣୁ ସହଳ ୱିକେଟ ହରାଇବାର ପ୍ରଭାବ ଏହା ଉପରେ ପଡ଼ିନାହିଁ। ଅଦ୍ୟାବଧି ମୁମ୍ବଇ ୧୫ରୁ ୧୦ଟି ମ୍ୟାଚ୍ ଜିତିଥିବା ବେଳେ ଦିଲ୍ଲୀ ୧୬ରୁ ୯ଟି ମ୍ୟାଚ୍‌ ଜିତିଛି। ଅଦ୍ୟାବଧି ମୁମ୍ବଇ ୧୩୦ଟି ଛକା ମାରିଥିବା ବେଳେ ଦିଲ୍ଲୀ ୮୪ଟି ଛକା ମାରିଛି। ମୁମ୍ବଇ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଯଶପ୍ରୀତ ବୁମ୍‌ରା ଓ ସୂର୍ଯ୍ୟକୁମାର ଯାଦବ। ସୂର୍ଯ୍ୟକୁମାର ୬୦ଟି ଚୌକା ଓ ୧୦ଟି ଛକା ମାରିଛନ୍ତି। ଈଶାନ୍ କିଷନ୍, କ୍ବିଣ୍ଟନ ଡି କକ୍, କୈରନ୍ ପୋଲାର୍ଡ ଓ ହାର୍ଦିକ ପାଣ୍ଡ୍ୟା ଚମତ୍କାର ବ୍ୟାଟିଂ କରିଛନ୍ତି।
ଅନ୍ୟପକ୍ଷରେ ଦିଲ୍ଲୀର ଦୁଇ ପେସ୍ ବୋଲର କାଗିସୋ ରାବାଡ଼ା ୨୯ଟି ଓ ଆନ୍‌ରିଚ୍ ନୋ​‌​‌ର୍ଜ୍ୟେ ୨୦ଟି ୱିକେଟ ନେଇଛନ୍ତି। ଅଦ୍ୟାବଧି ୨ଟି ଶତକ ସହ ୬୦୩ ରନ୍ କରିଥିବା ଓପ୍‌ନର ଶିଖର ଧାୱନ୍‌ଙ୍କ ଫର୍ମକୁ ନେଇ ମୁମ୍ବଇ ନିଶ୍ଚିତ ଚିନ୍ତିତ ଥିବ। ମାର୍କସ ଷ୍ଟୋଇନିସ୍ ବ୍ୟାଟିଂ ଓପନ୍‌ କରି ସଫଳ ହେବା ଦିଲ୍ଲୀ କ୍ୟାପିଟାଲ୍‌ସର ପ୍ରଶିକ୍ଷକ ରିକି ପଣ୍ଟିଂଙ୍କୁ ଉତ୍ସାହିତ କରିଛି। ଷ୍ଟୋଇନିସ୍ ୩୩୨ ରନ୍ କରିବା ସହ ୧୨ଟି ୱିକେଟ ନେଇଛନ୍ତି। ସଠିକ୍ ସମୟରେ ସିମ୍ରନ୍ ହେତ୍‌ମେୟର ଫର୍ମକୁ ଫେରିବା ଦିଲ୍ଲୀ ପାଇଁ ଏକ ଶୁଭଖବର। ତେବେ ଋଷଭ ପନ୍ତ୍‌ଙ୍କ ଖରାପ ଫର୍ମ ଦିଲ୍ଲୀକୁ ଚିନ୍ତିତ କରିଛି। ମୁମ୍ବଇର ଓପ୍‌ନିଂ ବୋଲର ଟ୍ରେଣ୍ଟ୍‌ ବୋଲ୍‌ଟ ଓ ଲେଗ୍‌ସ୍ପିନର ରାହୁଲ ଚହର ମଧ୍ୟ ଭଲ ବୋଲିଂ କରୁଛନ୍ତି। ମୁମ୍ବଇର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍‌କୁ ରୋକିବାକୁ ହେଲେ ଅଭିଜ୍ଞ ଅଫ୍‌ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନଙ୍କୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ।

Khansweb Solution Bhubaneswar

Leave A Reply

Your email address will not be published.