banner
Breaking

ଚେନ୍ନାଇର ଜବରଦସ୍ତ ବିଜୟ। ୧୦ ଓ୍ବିକେଟରେ ହାରିଲା ପଞ୍ଜାବ

0

ଦୁବାଇ, ୫।୧୦- କ୍ରମାଗତ ୩ଟି ମ୍ୟାଚରେ ପରାଜୟ ପରେ ପୂର୍ବତନ ଚାମ୍ପିୟନ ଚେନ୍ନାଇ ସୁପରକିଙ୍ଗ୍ସ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ରବିବାର ବିଜୟ ସ୍ବାଦ ଚାଖିଛି। ଦୁଇ ଓପନର ଶେନ ଓ୍ବାଟସନ ଓ ଫାଫ୍‌ ଡୁପ୍ଲେସିଙ୍କ ଆକର୍ଷଣୀୟ ପ୍ରଦର୍ଶନ ବଳରେ ଦଳ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୧୦ ଉଇକେଟରେ ପରାସ୍ତ କରିଛି। ପଞ୍ଜାବ ପକ୍ଷରୁ ଧାର୍ଯ୍ୟ ୧୭୯ ରନର ବିଜୟ ଲକ୍ଷ୍ୟକୁ ମହେନ୍ଦ୍ର ସିଂ ଧୋନୀଙ୍କ ଦଳ କୌଣସି ଉଇକେଟ ନ ହରାଇ ହାସଲ କରି ନେଇଥିଲା। ଓପନିଂ ଯୋଡ଼ିରେ ଓ୍ବାଟସନ ଓ ଡୁପ୍ଲେସି ୧୮୧ ରନ ଯୋଗ କରି ଅପରାଜିତ ରହିଥିଲେ। ଆଇପିଏଲ ଇତିହାସରେ ଏହା ଦ୍ୱିତୀୟ ସର୍ବାଧିକ ଓପନିଂ ଭାଗୀଦାରି। ୫୨ଟି ବଲ୍‌ର ସମ୍ମୁଖୀନ ହୋଇ ଡୁପ୍ଲେସି ୧୦ ଚୌକା ଓ ୧ ଛକା ସହାୟତାରେ ୮୭ ଓ ଓ୍ବାଟସନ ୫୩ଟି ବଲ୍‌ ଖେଳି ୧୧ ଚୌକା ଓ ୩ ଛକା ସହ ୮୩ ରନ ସ୍କୋର କରିଥିଲେ। ପଞ୍ଜାବ ବୋଲିଂ ଲାଇନ୍‌ଅପ୍‌ ସମ୍ପୂର୍ଣ୍ଣ ଅସହାୟ ମନେ ହୋଇଥିଲା। କୌଣସି ବୋଲର ଡୁପ୍ଲେସି ଓ ଓ୍ବାଟସନଙ୍କ ଉପରେ ପ୍ରଭାବ ପକାଇ ପାରି ନ ଥିଲେ। ଉଦ୍‌ଘାଟନୀ ମ୍ୟାଚରେ ଚେନ୍ନାଇ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଥିଲେ ହେଁ ପରବର୍ତ୍ତୀ ୩ଟି ମ୍ୟାଚରେ ଯଥାକ୍ରମେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦଠାରୁ ହାରିଥିଲା। ଏଠାରେ ବିଜୟ ଫଳରେ ଦଳ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ପଞ୍ଜାବର ଅସ୍ଥିର ପ୍ରଦର୍ଶନ ଅପରିବର୍ତ୍ତିତ ରହିଛି। ୫ ମ୍ୟାଚରୁ ଦଳର ଏହା କ୍ରମାଗତ ତୃତୀୟ ଏବଂ ମୋଟ ୪ର୍ଥ ପରାଜୟ। ଦୁର୍ବଳ ବୋଲିଂ ଦଳପାଇଁ ଏପର୍ଯ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇ ଆସିଛି।
ପଞ୍ଜାବ ଇନିଂସରେ ଅଧିନାୟକ ଲୋକେଶ ରାହୁଲ ଅର୍ଦ୍ଧଶତକ (୬୩ ରନ, ୫୨ ବଲ, ୭ ଚୌକା, ୧ ଛକା) ହାସଲ କରିଥିବାବେଳେ ନିକୋଲସ ପୁରନ ୩୩(୧୭ ବଲ, ୧ ଚୌକା, ୩ ଛକା), ମନଦୀପ ସିଂ ୨୭(୧୬ ବଲ, ୨ ଛକା) ଓ ମୟଙ୍କ ଅଗ୍ରଓ୍ବାଲ ୨୬(୧୯ ବଲ, ୩ ଚୌକା) ରନ ସ୍କୋର କରିଥିଲେ। ଚେନ୍ନାଇର ଶାର୍ଦ୍ଦୁଳ ଠାକୁର ୨ଟି ଏବଂ ରବୀନ୍ଦ୍ର ଜାଡେଜା ଓ ପୀୟୂଷ ଚାଓ୍ବଲା ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
କିଙ୍ଗ୍ସ ଇଲେଭେନ ପଞ୍ଜାବ ୨୦ ଓଭରରେ ୧୭୮/୪(ରାହୁଲ-୬୩, ପୁରନ-୩୩, ଶାର୍ଦ୍ଦୁଳ-୨/୩୯, ଜାଡେଜା-୧/୩୦, ଚାଓ୍ବଲା-୧/୨୨)। ଚେନ୍ନାଇ ସୁପରକିଙ୍ଗ୍ସ ୧୭.୪ ଓଭରରେ ୧୮୧/୦ (ଡୁପ୍ଲେସି-୮୭*, ଓ୍ବାଟସନ-୮୩*)।

Khansweb Solution Bhubaneswar

Leave A Reply

Your email address will not be published.