banner
Breaking

ହିନ୍ଦୁ ମହିଳାଙ୍କୁ ସଂସ୍କାର କଲେ ମୁସ୍‌ଲମାନ। ଭାଇଚାରାର ଜ୍ବଳନ୍ତ ନିଦର୍ଶନ।

0

ଇନ୍ଦୋର : ସାରା ଦେଶରେ କରୋନା ପ୍ରକୋପ ଜାରି ରହିଥିବାରୁ ଏହାର ମୁକାବିଲା ପାଇଁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଲକ୍‌ଡାଉନ୍‌ ସମୟରେ ଯେଉଁଠାରେ ଲୋକମାନେ ବାହାରକୁ ବାହାରି ପାରୁ ନାହାନ୍ତି ସେଠାରେ ସାହାଯ୍ୟ ତ ଦୂରର କଥା। କିନ୍ତୁ ଏଭଳି ସ୍ଥିତିରେ ମଧ୍ୟପ୍ରଦେଶ ଇନ୍ଦୋରରେ ମାନବିକତାର ପରିଚୟ ଓ ଭାଇଚାରାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି। ଇନ୍ଦୋରରେ ଜଣେ ହିନ୍ଦୁ ମହିଳାଙ୍କ ଅନ୍ତିମ ସଂସ୍କାର ମୁସ୍‌ଲମାନ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଇନ୍ଦୋରର ସାଉଥ ତୋଡା ଜୁନା ଗଣେଶ ମନ୍ଦିର ନିକଟରେ ଦ୍ରୌପଦି ନାମ୍ନୀ ଜଣେ ବୃଦ୍ଧା ମହିଳା ରୁହନ୍ତି। ତାଙ୍କର ୨ ପୁତ୍ର ଥିବା ବେଳେ ସେଠାରେ ସେ ଏକୁଟିଆ ରହୁଥିଲେ। ସ୍ଥାନୀୟ ଲୋକେ ଦ୍ରୌପଦିଙ୍କୁ ଖୁସିରେ ଦୁର୍ଗା ମା’ ବୋଲି ଡାକନ୍ତି। ସେ ଏକୁଟିଆ ରହୁଥିବାରୁ ତାଙ୍କର ସବୁ ଭଲମନ୍ଦ ପଡ଼ୋଶୀମାନେ ହିଁ ବୁଝିଥାନ୍ତି। ତେବେ ଗତ କିଛି ଦିନରୁ ସେ ରୋଗରେ ପୀଡ଼ିତ ଥିଲେ। ସୋମବାର ରାତିରେ ସ୍ଥାନୀୟ ଲୋକେ ତାଙ୍କ ସହ କଥାବାର୍ତ୍ତା ହୋଇଥିଲେ।
ହେଲେ ମଙ୍ଗଳବାର ସକାଳେ ଦେଖିବାବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେଠାରେ ଶୋକର ଛାୟା ଖେଳିଯାଇଥିଲା। ଦ୍ରୌପଦିଙ୍କ ମୃତ୍ୟୁ ଖବର ପଡୋଶୀମାନେ ତାଙ୍କ ୨ଜଣ ପୁଅଙ୍କୁ ଜଣାଇଥିଲେ। ପରେ ପିଲାମାନେ ମା’ଙ୍କ ଅନ୍ତିମ ସଂସ୍କାର ପାଇଁ ସାଉଥ ତୋଡାରେ ପହଞ୍ଚିଥିଲେ। ହେଲେ ଅନ୍ତିମ ସଂସ୍କାର ପାଇଁ ତାଙ୍କ ପାଖରେ ଟଙ୍କା ନ ଥିବା ଜାଣି ପଡ଼ୋଶୀ ମୁସ୍‌ଲମାନ ଭାଇମାନେ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଅନ୍ତିମ ସଂସ୍କାର ପାଇଁ ଟଙ୍କା ଦେବା ସହ ଅନ୍ୟ କାର୍ଯ୍ୟରେ ସାହାଯ୍ୟ ମଧ୍ୟ କରିଥିଲେ। କରୋନା ଯୋଗୁ ସାମାଜିକ ଦୂରତା ରକ୍ଷା କରିବା ସହ ମୁହଁରେ ମାସ୍କ ପିନ୍ଧି ଶବ ଦାହ ପାଇଁ ଦୁର୍ଗା ମା’ଙ୍କୁ ସେମାନେ ନିଜ କାନ୍ଧରେ ବୋହିକି ନେଇଥିଲେ। ଏଥିସହ ଶେଷକୃତ୍ୟ ସମ୍ପନ୍ନ ହେବା ପର୍ଯ୍ୟନ୍ତ ସେମାନେ ସେଠାରେ ରହିଥିଲେ। ତେବେ ଇନ୍ଦୋରରେ ଏହି ଭାଇଚାରା ଦୃଶ୍ୟ ଏବେ ସମସ୍ତଙ୍କ ପାଇଁ ଏକ ଉଦାହରଣ ପାଲଟିଛି।

Khansweb Solution Bhubaneswar

Leave A Reply

Your email address will not be published.