banner
Breaking

ଲିଭିଗଲା ପୂର୍ବ ଭାରତର ମହାଦୀପ। ଆଉ ନାହାନ୍ତି ପ୍ରଣବ ମୁଖାର୍ଜୀ।

0

ନୂଆଦିଲ୍ଲୀ,୩୧/୮(ଓଡ଼ିଆ ନ୍ୟୁଜ):ଲିଭିଗଲା ପୂର୍ବ ଭାରତର ମହାଦୀପ। ପୂର୍ବତନ ରାଷ୍ଟ୍ରପତି ତଥା ଭାରତ ରତ୍ନ ପ୍ରଣବ ମୁଖାର୍ଜୀ ଆଉ ନାହାନ୍ତି । ୮୪ ବର୍ଷ ବୟସରେ ଭାରତୀୟ ସେନା ହସ୍ପିଟାଲରେ ତାଙ୍କର ପରଲୋକ ହୋଇ ଯାଇଛି । କିଛିଦିନ ତଳେ ସେ କରୋନା ସଂକ୍ରମିତ ହୋଇଥିବା ସୂଚନା ଦେବା ସହ ଡ଼ାକ୍ତରଖାନାରେ ଭର୍ତି ହୋଇଥିଲେ । ମାତ୍ର ସେଠାରେ ଯାଞ୍ଚ ବେଳେ ତାଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବା ସୂଚନା ମିିଳିଥିଲା ଓ ତାହାର ଅପରେସନ କରାଯାଇଥିଲା । ଅପରେସନ ପରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ଅବନତି ଘଟିଥିଲା । ତାଙ୍କୁ ଜୀବନରକ୍ଷା ପ୍ରଣାଳୀ (ଭେଣ୍ଟିଲେଟର)ରେ ରଖା ଯାଇଥିଲା । ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ତାଙ୍କର ପୁଅ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ପୂର୍ବତନ ରାଷ୍ଟ୍ରପତିଙ୍କ ବିୟୋଗରେ ଦେଶର ଜାତୀୟ ପତାକାକୁ ଅର୍ଧନମିତ କରାଯାଇଛି ଏବଂ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି ।
ବ୍ୟକ୍ତିଗତ ଜୀବନ:-
ପ୍ରଣବ ମୁଖାର୍ଜୀ ୧୯୩୫ ଡ଼ିସେମ୍ବର ୧୧ ତାରିଖରେ ପଶ୍ଚିମବଙ୍ଗରେ ଜନ୍ମ ଗ୍ରହଣ କରିଥିଲେ । ୧୯୬୯ରେ ସେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିବା ପରେ ୨୦୧୨ ପର୍ଯ୍ୟନ୍ତ ସକ୍ରିୟ ରହିଥିଲେ । ୨୦୧୨ ମସିହାରେ ଦେଶର ରାଷ୍ଟ୍ରପତି ରୂପେ ନିର୍ବାଚିତ ହେବା ପରେ ସେ ପ୍ରତ୍ୟକ୍ଷ ରାଜନୀତିରୁ ସନ୍ୟାସ ନେଇଥିଲେ । ପ୍ରଣବ ୧୯୫୭ ଜୁଲାଇ ୧୩ ତାରିଖରେ ଶୁଭ୍ରା ମୁଖାର୍ଜୀଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ପୁଅ ଓ ଗୋଟିଏ ଝିଅ ଅଛନ୍ତି । ଶୁଭ୍ରା ୨୦୧୫ରେ ୭୪ ବର୍ଷରେ ପରଲୋକଗମନ କରିଥିଲେ । ତାଙ୍କର ପୁଅ ଅଭିଜିତ୍ ମୁଖାର୍ଜୀ କଂଗ୍ରେସର ସାଂସଦ ଅଛନ୍ତି । ଝିଅ ଶର୍ମିଷ୍ଠା ଜଣେ କଥକ ନୃତ୍ୟଶିଳ୍ପୀ ଓ ସେ ମଧ୍ୟ କଂଗ୍ରେସରେ ଅଛନ୍ତି ।

ରାଜନୈତିକ ଜୀବନ:-
୧୯୬୯ମସିହାରେ ପ୍ରଥମ ଥର ପାଇଁ ରାଜ୍ୟସଭା ସାଂସଦ ସେ ହୋଇଥିଲେ । ୧୯୬୯ରୁ ୨୦୦୨ ପର୍ଯ୍ୟନ୍ତ ସଂସଦର ଉଚ୍ଚସଦନକୁ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୪- ୧୨ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରୁ ୮୪ ରାଜ୍ୟସଭା ନେତା ଭାବେ ଦାୟିତ୍ୱ ତୁଲାଇଥିଲେ । ୧୯୯୧ରୁ ୯୬ ପ୍ଲାନିଂ କମିଶନ ଉପାଧ୍ୟକ୍ଷ ଥିଲେ । ଏହାସହ ୨୦୦୬-୦୯, ୧୯୯୫-୯୬ ଦୁଇ ଥର ବୈଦେଶିକ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୪-୦୬ ପ୍ରତି ରକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯-୧୨, ୧୯୮୨-୮୪ ଦୁଇଥର ଅର୍ଥମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ ପ୍ରଣବ । ୨୦୧୨ରୁ ୨୦୧୭ ଯାଏଁ ରାଷ୍ଟ୍ରପତି ପଦରେ ଥିଲେ ।

ଶୋକବାର୍ତ୍ତା:- ରାଷ୍ଟ୍ରପତି ରାମନାଥ କୋବିନ୍ଦ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଦେହାନ୍ତ ଏକ ଯୁଗର ଅନ୍ତ ବୋଲି ସେ କହିଛନ୍ତି । ଜାତି ନିଜର ଜଣେ ମୂଲ୍ୟବାନ ପୁଅକୁ ହରାଇ ଶୋକ କରୁଛି । ପ୍ରଥମ ନାଗରିକ ଭାବେ ରାଷ୍ଟ୍ରପତି ଭବନକୁ ଲୋକଙ୍କ ସେ ନିକଟତର କରିଥିଲେ । ମହାମହିମ ଶଦ୍ଦର ବ୍ୟବହାର ବନ୍ଦ କରିବା ତାଙ୍କର ଐତିହାସିକ ନିଷ୍ପତ୍ତି ଥିଲା । ପ୍ରଣବ ପରିବାର, ବନ୍ଧୁ ଓ ସମସ୍ତ ନାଗରିକଙ୍କୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
ପ୍ରଧାନମନ୍ତ୍ରୀ-ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି । ଭାରତରତ୍ନ ପ୍ରଣବ ମୁଖାର୍ଜୀ ଦେହାନ୍ତରେ ଭାରତ ଦୁଃଖିତ ବୋଲି ମୋଦି କହିଛନ୍ତି । ସେ ଦେଶର ବିକାଶରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡ଼ିଛନ୍ତି । ସାଧାରଣ ନାଗରିକଙ୍କ ପାଇଁ ରାଷ୍ଟ୍ରପତି ଭବନକୁ ଅଧିକ ସୁଗମ କରିଥିଲେ । ପ୍ରମୁଖ ନୀତି ସମ୍ପର୍କରେ ତାଙ୍କ ପରାମର୍ଶ ଭୁଲି ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ଓଡ଼ିଶାର ମୁଖ୍ୟମନ୍ତ୍ରୀ-ନବୀନ ପଟ୍ଟନାୟକ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରଣବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଦେଶର ଜାଜୁଲ୍ୟମାନ ସୁପୁତ୍ର ଥିଲେ । ସେ ଶକ୍ତିଶାଳୀ ବକ୍ତା, ବିଦ୍ୱାନ ଓ ଶାସନରେ ଅଦ୍ୱିତୀୟ ଥିଲେ ବୋଲି ନବୀନ କହିଛନ୍ତି ।
ସେହିପରି ଉପରାଷ୍ଟ୍ରପତି ଭେଙ୍କୟା ନାଇଡ଼ୁ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଧ୍ୟ ପ୍ରଣବଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.