banner
Breaking

ପାକିସ୍ତାନୀ ହନିଟ୍ରାପରେ ଭାରତୀୟ ଯବାନ। ଗୁଇନ୍ଦାକୁ ବଡ ସଫଳତା।

0

ନୂଆଦିଲ୍ଲୀ,୨୦/୯: ପାକିସ୍ତାନର ଆଇଏସ୍‌ଆଇ ପକ୍ଷରୁ ଚାଲିଥିବା ଏକ ‘କଲ୍‌ ସେଣ୍ଟର’ର ପର୍ଦ୍ଦାଫାଶ କରିବାରେ ଭାରତୀୟ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବଡ଼ ସଫଳତା ମିଳିଛି। ଏହି କଲ୍‌ ସେଣ୍ଟରରୁ ଆଇଏସ୍‌ଆଇ ହନିଟ୍ରାପ୍‌ ବିଛାଇ ଭାରତୀୟ ଯବାନଙ୍କୁ ଫସାଉଥିଲା ବୋଲି ଜଣାପଡ଼ିଛି।
ରାଜଧାନୀ ଇସ୍‌ଲାମାବାଦଠାରୁ ୧୧୬ କି.ମି. ଦୂର ଝେଲମ ସହରରେ ରହିଛି କୁଖ୍ୟାତ୍‌ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ତଥାକଥିତ କଲ୍‌ ସେଣ୍ଟର। ସେଠାରୁ ଭାରତୀୟ ସେନା ଓ ସରକାରୀ ଅଧିକାରୀମାନଙ୍କୁ ଜାଲରେ ଛନ୍ଦି ସମ୍ବେଦନଶୀଳ ତଥା ଗୋପନୀୟ ତଥ୍ୟ ହାସଲ କରୁଛି। ଏଥିରେ ଆଇଏସ୍‌ଆଇକୁ ପାକିସ୍ତାନ ଟେଲିକମ୍ୟୁନିକେଶନ କମ୍ପାନୀ ଲିମିଟେଡ୍‌ (ପିଟିସିଏଲ୍‌) ପୂରା ସହଯୋଗ କରୁଛି। ସେଠାରେ ଭାରତୀୟ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି, ଯାହାକି ପାକିସ୍ତାନରେ ଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିବାବେଳେ ଭାରତୀୟ ଯାତ୍ରୀ ବିଶେଷକରି ମହିଳାଙ୍କଠାରୁ ସେଠାର କଷ୍ଟମସ୍ ବିଭାଗ ଜବତ କରିଥାଏ। ଦିଲ୍ଲୀ ଓ ଅନ୍ୟ କେତେକ ରାଜ୍ୟର ପୋଲିସ ଏକ ଚାଞ୍ଚଲ୍ୟକର ହନିଟ୍ରାପ୍‌ ସ୍କାଣ୍ଡାଲ ନେଇ ଦେଶବ୍ୟାପୀ ତନାଘନା କରିବା ପରେ ୧୦୦ରୁ ଊର୍ଦ୍ଧ୍ୱ ଭାରତୀୟ ସିମ୍‌କାର୍ଡ ଠାବ କରିଛନ୍ତି। ସୀମାନ୍ତରେ ଅବସ୍ଥିତ କଲ୍‌ ସେଣ୍ଟରଗୁଡ଼ିକରେ କାର୍ଯ୍ୟରତ ପାକିସ୍ତାନୀ ମହିଳାମାନଙ୍କ ପରିଚୟ ଲୁଚାଇବା ପାଇଁ ଭାରତୀୟ ମହିଳା ଯାତ୍ରୀଙ୍କ ସିମ୍‌କାର୍ଡଗୁଡ଼ିକୁ ବ୍ୟବହାର କରାଯାଉଛି।
ଭାରତୀୟ ସିମ୍‌କାର୍ଡ ଓ ଫେସ୍‌ବୁକ୍‌ରେ ସଙ୍ଗୀତା ମିଶ୍ର, ଆୟେଶା ରୟ, ନୀତା ସିଂ ଭଳି ନାମରେ ଜାଲ ଆକାଉଣ୍ଟ ଖୋଲାଯାଇ ପାକିସ୍ତାନୀ ଯୁବତୀମାନଙ୍କୁ ନିୟୋଜିତ କରାଯାଇଛି। ସେଠାରେ କାର୍ଯ୍ୟରତ ଯୁବତୀମାନେ ଉତ୍ତର ଭାରତୀୟଙ୍କ ଭଳି ଅନର୍ଗଳ ହିନ୍ଦୀ କହିପାରୁଛନ୍ତି। ଆଇଏସ୍‌ଆଇ ହ୍ୟାଣ୍ଡଲର୍ସଙ୍କ ସହାୟତାରେ ସେହି ଯୁବତୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଭାରତୀୟ ଯବାନମାନଙ୍କୁ ସର୍ଚ୍ଚ କରୁଛନ୍ତି। ପରେ ସେମାନେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ଚାଟିଂ କରୁଛନ୍ତି। ଫେସ୍‌ବୁକ୍‌ରେ ଭିଡିଓ କଲ୍‌ କରି ତାକୁ ରେକର୍ଡ କରୁଛନ୍ତି। ସମ୍ପର୍କକୁ ଅଧିକ ନିବିଡ଼ କରିବା ପାଇଁ ସେମାନେ ହ୍ବାଟ୍ସଆପ୍‌ରେ ପ୍ରାଇଭେଟ ଚାଟିଂ ପାଇଁ ଯବାନମାନଙ୍କୁ ଅନୁରୋଧ କରୁଛନ୍ତି। ଏଥିଯୋଗୁ ଯବାନମାନେ ସେମାନଙ୍କୁ ଭାରତୀୟ ଯୁବତୀ ମନେକରି ସେମାନଙ୍କ ସହ ପ୍ରେମାଳାପ କରିବା ପରେ ଜାଲରେ ଫସିଯାଉଛନ୍ତି। ଦିଲ୍ଲୀର ଜଣେ ଯୁବତୀଙ୍କୁ ଦିଲ୍ଲୀ ପୋଲିସ ଜେରା କରିବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ୩୦ ବର୍ଷୀୟା ଯୁବତୀ ପ୍ରଘଟ କରିଛନ୍ତି ଯେ, ସେ ପାକିସ୍ତାନ ଯାଇଥିବାବେଳେ ସେଠାକାର କଷ୍ଟମ୍ସ ବିଭାଗ ଅଧିକାରୀମାନେ ତାଙ୍କ ସିମ୍‌କାର୍ଡ ଓ ଫୋନ୍‌କୁ ଜବତ କରିନେଇଥିଲେ। ସୁରକ୍ଷା କାରଣରୁ ପାକିସ୍ତାନ ମାଟିରେ କୌଣସି ଭାରତୀୟ ସିମ୍‌କାର୍ଡ କିମ୍ବା ମୋବାଇଲ ଫୋନ୍‌କୁ ଅନୁମତି ଦିଆଯିବ ନାହିଁ କହି ପାକିସ୍ତାନୀ କର୍ତ୍ତୃପକ୍ଷ ସେଗୁଡ଼ିକୁ ଭାରତୀୟ ଯାତ୍ରୀଙ୍କଠାରୁ ଜବତ କରିନେଉଥିବା ସମ୍ପୃକ୍ତ ମହିଳାଙ୍କୁ ପଚରାଉଚରା ବେଳେ ଜଣାପଡ଼ିଛି। ଭାରତୀୟ ସେନାର ଯବାନ ଓ ସରକାରୀ ଅଧିକାରୀମାନଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ଗୋପନୀୟ ତଥ୍ୟ ହାସଲ କରିବା ପାଇଁ ଆଇଏସ୍‌ଆଇ ଏଭଳି ଚକ୍ରବୂ୍ୟହ କରିଥିବା ସ୍ପଷ୍ଟ ହୋଇଛି।

Khansweb Solution Bhubaneswar

Leave A Reply

Your email address will not be published.