banner
Breaking

ଆଇଏଏସ୍ ସ୍ତରରେ ହୋଇପାରେ ବଡ ଅଦଳବଦଳ

0

ଭୁବଶ୍ୱେର (ଓଡ଼ିଆ ନ୍ୟୁଜ) : ରାଜ୍ୟ ପ୍ରଶାସନିକ କ୍ଷେତ୍ରରେ ଏକ ବଡ଼ ଧରଣର ଅଦଳବଦଳ ହେବାକୁ ଯାଉଛି । ଛୁଟିରେ ଯାଇଥିବା ମୁଖ୍ୟ ଶାସନସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଫେରିବା ପରେ ତାଙ୍କୁ ସ୍ୱେଚ୍ଛାକୃତ ଅବସର ନେବାପାଇଁ ପରାମର୍ଶ ଦିଆଯାଇଥିବା କୁହାଯାଉଛି । ତାଙ୍କ ସ୍ଥାନରେ ଘରୋଇ ବିଭାଗର ସଚିବ ଦାୟିତ୍ୱରେ ଥିବା ଉନ୍ନୟନ କମିଶନର ଅସିତ କୁମାର ତ୍ରିପାଠୀଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିବା ନେଇ ସମ୍ଭାବନା ଦେଖାଦେଇଛି । ୧୯୮୬ ବ୍ୟାଚର ଅଫିସର ଶ୍ରୀ ତ୍ରିପାଠୀ ଦକ୍ଷତାର ସହ ବିଭିନ୍ନ ବିଭାଗର କାର୍ଯ୍ୟ ତୁଲାଇ ନିଜର ଦକ୍ଷତା ପ୍ରତିପାଦ କରିଛନ୍ତି । ଶ୍ରୀ ତ୍ରିପାଠୀ ୨୦୨୦ ଡିସେମ୍ବରରେ ଅବସର ନେବେ । ସେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟକରି ସୁନାମ ଅର୍ଜନ କରିଛନ୍ତି । ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ପାଢ଼ୀଙ୍କ ପରେ ଶ୍ରୀ ତ୍ରିପାଠୀଙ୍କ ନାମକୁ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି । ମୁଖ୍ୟଶାସନ ସଚିବ ଶ୍ରୀ ପାଢ଼ୀ ୨୦୨୦ରେ ଅବସର ନେବେ । ତାଙ୍କୁ ସରକାର ରାଜ୍ୟ ମୁଖ୍ୟ ନିର୍ବାଚନଶନର ଭାବେ ଥଇଥାନ କରିବା ପାଇଁ ଯୋଜନା କରିଛନ୍ତି । ରାଜ୍ୟର ମୁଖ୍ୟ ନିର୍ବାଚନ କମିଶନର ନବକୁମାର ନାୟକଙ୍କ କାର୍ଯ୍ୟକାଳ ଗତ ମାର୍ଚ୍ଚରୁ ଶେଷ ହୋଇଛି । ଏଠାରେ ନୂଆ ନିଯୁକ୍ତି ଦିଆଯାଇନାହିଁ । ନୂଆ ନିଯୁକ୍ତି ପାଇବା ପର୍ଯ୍ୟନ୍ତ ସେ କାର୍ଯ୍ୟ ତୁଲାଉଛନ୍ତି । ଆଗକୁ ପୌର ନିର୍ବାଚନ ଥିବାରୁ ଶ୍ରୀ ପାଢ଼ୀଙ୍କୁ ସେଠାରେ ନିଯୁକ୍ତ କରିବା ପାଇଁ ସରକାର ଯୋଜନା କରିଛନ୍ତି । ଏଠାରେ ସେ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କାର୍ଯ୍ୟ କରିପାରିବେ । ଏଣୁ ସେ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିବାକୁ କୁହାଯାଇଛି ।
ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବା ରାଜେଶ ବର୍ମା ଇତିମଧ୍ୟରେ କେନ୍ଦ୍ରୀୟ ଡେପୁଟେସନରେ ଯାଇସାରିଛନ୍ତି । ତାଙ୍କୁ କେନ୍ଦ୍ର କୃଷି ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତ ମିଳିଛି । ରାଜସ୍ୱ ପରିଷଦର ସଦସ୍ୟ ଜିଭିବି ଶର୍ମା ମଧ୍ୟ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି । ସେଠାରେ ସେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧୀକରଣରେ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି । ରାଜ୍ୟ ଏମ୍ଏସଏମଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏଲ୍ଏନ୍ ଗୁପ୍ତା ଆସନ୍ତା ମାସରେ ଅବସର ନେବାକୁ ଯାଉଛନ୍ତି । ଏଣୁ ସରକାରୀସ୍ତରରେ ଏତେ ପଦବୀ ଖାଲି ହେବାକୁ ଯାଉଥିବାରୁ ଏକ ବଡ଼ଧରଣର ଅଦଳବଦଳ ହେବାକୁ ଯାଉଥିବା କୁହାଯାଉଛି ।

Khansweb Solution Bhubaneswar

Leave A Reply

Your email address will not be published.