banner
Breaking

ଲୋକଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କର – ମୁଖ୍ୟମନ୍ତ୍ରୀ । ଆଇଏଏସ ସମ୍ମିଳନୀ ଉଦଘାଟିତ।

0

ଭୁବନେଶ୍ୱର,୧୭।୧(ଓଡ଼ିଆ ନ୍ୟୁଜ): ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିବା ଲାଗି କାମ କରିବା ଉଚିତ। ଆମ ସରକାର ଉପରେ ଜନସାଧାରଣଙ୍କ ଅତୁଟ ଆଶା ଓ ବିଶ୍ୱାସ ରହିଛି। ସାଧାରଣ ଲୋକଙ୍କ ଇଚ୍ଛା, ବିଶ୍ୱାସକୁ ଚରିତାର୍ଥ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ଶୁକ୍ରବାର ଭୁବନେଶ୍ୱର ଲୋକ ସେବା ଭବନରେ ଆୟୋଜିତ ଆଇଏଏସ୍‌ ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ବିଶେଷକରି ”ମୋ’ ସରକାର“ ଏବଂ ”୫-ଟି“କୁ ବ୍ୟାପକ ଓ ସଫଳ କରିବା ଲାଗି ସେ ଜିଲାପାଳଙ୍କୁ କହିଛନ୍ତି।

ନବନିର୍ମିତ ସମ୍ମିଳନୀ କକ୍ଷରେ ନବୀନ ବରିଷ୍ଠ ପ୍ରଶାସକ ଏବଂ ଜିଲାପାଳମାନଙ୍କୁ ମାର୍ଗଦର୍ଶନ କରି କହିଛନ୍ତି, ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ଗୋଟିଏ ପରିବାର ଅଛି। ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ ବର୍ଷ ଧରି ସେମାନଙ୍କ ସେବା କରୁଛି। ଆମ ସମସ୍ତଙ୍କ ପାଇଁ ନିଜ ନିଜ ପରିବାର ଗୁରୁତ୍ୱପୂର୍ଣ୍ଣ। ଆମେ ସମସ୍ତେ ନିଜ ନିଜ ପିଲାଙ୍କୁ ଭଲ ପଢ଼ାଇବାକୁ ଚେଷ୍ଟା କରୁ। ଆମ ନିଜ ଭାଇ, ଭଉଣୀ ଭଲ ଚାକିରି କରନ୍ତୁ, ମାବାପା ଭଲ ସ୍ବାସ୍ଥ୍ୟ ସୁବିଧା ପାଆନ୍ତୁ ବୋଲି ଆମେ ଚାହୁଁ। ସେହିଭଳି ମୁଁ ମୋ ପରିବାରର ସମସ୍ତଙ୍କୁ ସୁଖ ସୁବିଧା ମିଳୁ ବୋଲି ଚାହେଁ। ଏଣୁ ଲୋକଙ୍କୁ ସର୍ବଶ୍ରେଷ୍ଠ ସେବା ପ୍ରଦାନ କରିବା ଆମର ପ୍ରମୁଖ କର୍ତ୍ତବ୍ୟ ହେବା ଉଚିତ। ଲୋକମାନେ ହିଁ ଗଣତନ୍ତ୍ରର ଆତ୍ମା। ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମର୍ଯ୍ୟାଦା ଦିଅନ୍ତୁ ବୋଲି ସେ କହିଥିଲେ। ଏଥିସହ ଉପସ୍ଥିତ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଶପଥ ପାଠ କରାଇବା ସହ କିଛି ଯୁଗାନ୍ତକାରୀ ଆଇଡିଆ ଦେବାକୁ ଆହ୍ବାନ କରିଛନ୍ତି। ଏମିତି ଆଇଡିଆ ଦିଅନ୍ତୁ, ଯାହା ଗେମ୍‌ ଚେଞ୍ଜର ହେବ ବୋଲି ସେ କହିଛନ୍ତି।

ଏହି ସମ୍ମିଳନୀରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ମହାପାତ୍ର, କୃଷି ଉତ୍ପାଦନ କମିଶନର ପ୍ରଦୀପ୍ତ ମହାପାତ୍ରଙ୍କ ସହ ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟବୃନ୍ଦ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ଜିଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Khansweb Solution Bhubaneswar

Leave A Reply

Your email address will not be published.