ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟ ସରକାର ବୁଧବାର ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। କେନ୍ଦ୍ରୀୟ ଡେପୁଟେଶନରୁ ଫେରିଥିବା ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ, ସେହିପରି ଆଇଏଏସ୍ ଅଶ୍ୱଥି ଏସ୍ଙ୍କୁ ସ୍କୁଲ ଓ ଗଣଶିକ୍ଷା ସଚିବ ଭାବେ ନିଯୁକ୍ତି ମିଳିଛି। ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ମିଳିଥିବା ବେଳେ ସଞ୍ଜିବ ଚୋପ୍ରାଙ୍କୁ କୃଷି ବିଭାଗର ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇଛି।
ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୯୫ ବ୍ୟାଚ୍ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କୁୁ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ବଦଳି କରାଯାଇଛି । ସେ ଅତିରିକ୍ତ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରିବେ। ୧୯୯୬ ବ୍ୟାଚ୍ ଆଇଏଏସ୍ ଅରବିନ୍ଦ ପାଢ଼ୀଙ୍କୁ କୃଷି ଓ କୃଷକ କଲ୍ୟାଣ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ସେ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ। ଅରବିନ୍ଦ ପାଢ଼ୀ କୃଷି ବିଭାଗର ଦାୟିତ୍ୱ ନେବା ଦିନ ହିଁ ଅତିରିକ୍ତ ମୁଖ୍ୟ ସଚିବ ସଞ୍ଜିବ ଚୋପ୍ରାଙ୍କ ପାଖରେ ଥିବା ଏହି ଅତିରିକ୍ତ ଦାୟିତ୍ୱ ରଦ୍ଦ ହୋଇଯିବ। ସେହିପରି ୧୯୯୭ ବ୍ୟାଚ୍ ଆଇଏଏସ ସଞ୍ଜୟ କୁମାର ସିଂଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ସେ ଏବେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ସଞ୍ଜୟ କୁମାର ଅତିରିକ୍ତ ଭାବେ ବିଡିଏ ଉପାଧ୍ୟକ୍ଷ, ଭୁବନେଶ୍ୱର ସ୍ମାର୍ଟ ସିଟି ପରିଚାଳନା ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ ଜାରି ରଖିବେ ବୋଲି ବିଜ୍ଞପ୍ତି ପ୍ରକାଶ ପାଇଛି।




